ପାଟନା ୨୪।୭: ବିହାର ବିଧାନସଭାରେ ଗୁରୁବାର ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଦେଖାଯାଇଛି, ଯେଉଁଥିରେ ଗୃହ ଭିତରେ ମାରପିଟ ଭଳି ପରିସ୍ଥିତି ଉପୁଜିଛି। ଭୀଷଣ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସ୍ଥଗିତ କରିଦିଆଯାଇଥିବା ବେଳେ ବିଜେପି ବିଧାୟକ ଆରଜେଡି ଉପରେ ଆକ୍ରମଣ କରିବା ଲାଗି ଉଦ୍ୟତ ହୋଇଥିଲେ। ଉତ୍ତେଜନାମୂଳକ ପରିବେଶରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭାରୁ ବାହାରକୁ ନିଆଯାଇଛି।
ବିଧାନସଭାର ଦ୍ୱିତୀୟ ଅଧିବେଶନରେ ବିହାର ଭୋଟର ଲିଷ୍ଟ ପୁନରୀକ୍ଷଣ ଉପରେ ଚର୍ଚ୍ଚା ଚାଲିଥିଲା। ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ପ୍ରସଙ୍ଗରେ କହୁଥିଲେ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ବିଜେପି-ଜେଡିୟୁର କିଛି ବିଧାୟକଙ୍କ ସହ ତାଙ୍କର ବଚସା ହୋଇଥିଲା। ତେବେ ସମ୍ରାଟ ଚୌଧୁରୀ ଏହି ଆଲୋଚନା ମଧ୍ୟକୁ ଧସେଇ ପସି ତେଜସ୍ୱୀଙ୍କୁ ‘ତୁମ ବାପା ଅପରାଧୀ’ ବୋଲି କହିଥିଲେ। ଏଥିରେ ତେଜସ୍ୱୀ ତୁମେ ସବୁ ଲୁଟେରା ବୋଲି କହିଥିଲେ।
ଏଥିରେ ବିଜେପି ବିଧାୟକ ଜନକ ସିଂହ ଛିଡା ହୋଇ କିଛି କହିବା ଆରମ୍ଭ କରିଥିଲେ। ଏତେ ଜୋରରେ ଗର୍ଜନ କଲେ ପ୍ୟାଣ୍ଟ ଓଦା ହୋଇଯିବ ବୋଲି ତେଜସ୍ୱୀ କହିବାରୁ ଗୃହରେ ସଦସ୍ୟମାନେ ଅଭଦ୍ର ଭାଷାରେ ଗାଳି ଗୁଲଜ ଆରମ୍ଭ କରିଦେଇଥିଲେ। ପରିସ୍ଥିତିକୁ ଦେଖି ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ପରେ ମାରପିଟ ଭଳି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ବିଜେପି ବିଧାୟକ ସଞ୍ଜୟ ସିଂହ ଟେବୁଲରୁ ମାଇକ୍ ଉପାଡି ଆରଜେଡି ବିଧାୟକଙ୍କୁ ଆକ୍ରମଣ କରିବା ପାଇଁ ବାହାରିଥିଲେ। ତାଙ୍କ ସହ ଆଉ କିଛି ବିଧାୟକ ଆସିବାରୁ ଆରଜେଡି ବିଧାୟକ ମଧ୍ୟ ଗୃହରେ ମାରପିଟ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।
ତେବେ ମଝିରେ ସୁରକ୍ଷା କର୍ମୀ ଆସିଯିବାରୁ ପରିସ୍ଥିତି ଆୟତ ହୋଇଥିଲେ ମଧ୍ୟ ଗୃହେ ହଟ୍ଟଗୋଳ ଲାଗି ରହିଥିଲା। ଏଣୁ ବିଜେପି ବିଧାୟକମାନେ ସଞ୍ଜୟ ସିଂହଙ୍କୁ ଗୃହରୁ ବାହାର କରିଦେଇଥିଲେ। ଗୃହରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ଥିବା ବେଳେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଚୁପଚାପ ସୁରକ୍ଷା ବଳୟ ମଧ୍ୟରେ ଗୃହରୁ ବାହାରକୁ ବାହାର କରାଯାଇଛି।