ଭାରତରେ VinFastର ଏଣ୍ଟ୍ରି, ସୁରଟରେ ଖୋଲିଲା କମ୍ପାନିର ପ୍ରଥମ ଇଲେକ୍ଟ୍ରିକ କାର୍ ଶୋ’ରୁମ୍

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ: ଭିଏତନାମର ଲୋକପ୍ରିୟ ଇଭି ନିର୍ମାତା VinFast ଭାରତରେ ଏହାର ରିଟେଲ ବ୍ୟବସାୟ ଆରମ୍ଭ କରିଛି। କମ୍ପାନି ଗୁଜରାଟର ସୁରଟରେ ଆରମ୍ଭ କରିଛି ପ୍ରଥମ ଶୋ'ରୁମ୍ 'VinFast ସୁରଟ'। ଭାରତର ଅଟୋମୋବାଇଲ୍ ରିଟେଲ ସେକ୍ଟରରେ ପରିଚିତ ‘ଚନ୍ଦନ କାର୍ସ’ ସୁରଟର ପିପ୍ଲୋଡ୍ ଅଞ୍ଚଳରେ ଥିବା ଏହି ଶୋ'ରୁମ୍ର ପରିଚାଳନା ଦାୟିତ୍ବ ନେଇଛି। 

ଶୋ’ରୁମ୍ଟି ପ୍ରାୟ ୩ ହଜାର ବର୍ଗଫୁଟରେ ନିର୍ମିତ ହୋଇଥିବାବେଳେ, ଏଥିରେ କମ୍ପାନିର ଆଗାମୀ ପ୍ରିମିୟମ୍ ଇଲେକ୍ଟ୍ରିକ୍ ଏସୟୁଭି ମଡେଲ୍ VF 6 ଏବଂ VF 7 ପ୍ରଦର୍ଶିତ ହେବ। ଗ୍ରାହକମାନେ ଏଠାରେ ଇଭି କାର କିଣିବା ସହ, ସେଗୁଡ଼ିକର ସର୍ଭିସ ଏବଂ ନୂଆ କାର୍‌ ଅନୁଭବ ମଧ୍ୟ ନେଇପାରିବେ। ଜୁଲାଇ ୧୫ରୁ VF 6 ଏବଂ VF 7ର ପ୍ରି-ବୁକିଂ ଆରମ୍ଭ ହୋଇଥିବାବଳେ ଗ୍ରାହକମାନେ କମ୍ପାନିର ଅଫିସିଆଲ୍ ୱେବସାଇଟ୍ VinFastAuto.inରେ କାର୍ ବୁକ୍ କରିପାରିବେ। ଏହି ଇଭିଗୁଡ଼ିକୁ VinFastର ଥୁଥୁକୁଡି ପ୍ଲାଣ୍ଟରେ ଆସେମ୍ବଲ କରାଯିବ।  

ତାମିଲନାଡୁର ଥୁଥୁକୁଡିରେ ନିର୍ମାଣ ହେଉଥିବା ପ୍ଲାଣ୍ଟକୁ କମ୍ପାନି ଅଗଷ୍ଟ ୪ରେ ଉଦଘାଟନ କରିବାକୁ ଯାଉଛି। ୨ ବିଲିୟନ ଡଲାର ବା ପ୍ରାୟ ୧୬,୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଏହି ପ୍ଲାଣ୍ଟ। କମ୍ପାନୀ ବର୍ଷ ଶେଷ ସୁଦ୍ଧା ଦେଶର ୨୭ରୁ ଅଧିକ ସହରରେ ୩୫ଟି ଡିଲରସିପ୍ ଖୋଲିବାକୁ ଲକ୍ଷ୍ୟ ରଖିଛି।

ଭିନଫାଷ୍ଟ ଏସିଆର ସିଇଓ ଫାମ୍ ସାନ୍ ଚାଉ କହିଛନ୍ତି, "ସୁରଟରେ ପ୍ରଥମ ଶୋ’ରୁମ୍ ଭାରତ ପ୍ରତି ଆମର ଦୀର୍ଘକାଳୀନ ପ୍ରତିବଦ୍ଧତାର ପ୍ରତୀକ। ଆମେ କେବଳ ଯାନବାହାନ ନୁହେଁ ବରଂ ଗୁଣବତ୍ତା, ବିଶ୍ୱାସ ଏବଂ ସେବା ଉପରେ ଆଧାରିତ ଗ୍ରାହକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଅଭିଜ୍ଞତା ମଧ୍ୟ ଆଣିବାକୁ ଚାହୁଁଛୁ।"

ଭାରତରେ, Vinfast ଚାର୍ଜିଂ ଭିତ୍ତିଭୂମି ଏବଂ ବିକ୍ରୟ ପରବର୍ତ୍ତୀ ସେବା ନେଟୱାର୍କ ସୃଷ୍ଟି କରିବା ପାଇଁ RoadGrid, myTVS ଏବଂ Global Assure ଭଳି କମ୍ପାନୀ ସହିତ ସହଭାଗୀ ହୋଇଛି। ଏହା ବ୍ୟତୀତ, କମ୍ପାନୀ BatX Energies ସହିତ ସହଯୋଗରେ ବ୍ୟାଟେରୀ ପୁନଃଚକ୍ରଣ ଏବଂ ସ୍ଥାୟୀ ବ୍ୟାଟେରୀ ଇକୋସିଷ୍ଟମ ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଛି।

ଉଲ୍ଲେଖଯୋଗ୍ୟ, ଭିନଫାଷ୍ଟ ହେଉଛି ଭିଏତନାମର ସବୁଠାରୁ ବଡ଼ କମ୍ପାନୀମାନଙ୍କ ମଧ୍ୟରୁ ଗୋଟିଏ, ଭିଙ୍ଗଗ୍ରୁପ୍ JSCର ଏକ ସହାୟକ କମ୍ପାନି, ଏବଂ ଏହା ସମ୍ପୂର୍ଣ୍ଣ ବୈଦ୍ୟୁତିକ ଯାନ ନିର୍ମାଣ ଉପରେ ଧ୍ୟାନ ଦିଏ। କମ୍ପାନୀ ଇଲେକ୍ଟ୍ରିକ୍ ଏସୟୁଭି, ସ୍କୁଟର ଏବଂ ବସ୍ ମଧ୍ୟ ତିଆରି କରୁଛି। କମ୍ପାନି ଭାରତ, ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆ ଭଳି ପ୍ରମୁଖ ବଜାରରେ ଏହାର ଡିଲରସିପ୍ ଏବଂ ଉତ୍ପାଦନ କ୍ଷମତାକୁ ଦ୍ରୁତ ବିସ୍ତାର ପାଇଁ ଯୋଜନା ରଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.