ଭୁବନେଶ୍ୱର ୩୦/୦୫: ଭିଜିଲାନ୍ସ ଜାଲରେ ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ । ଭୁବନେଶ୍ୱର ଆରଡି ବିଭାଗ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡଙ୍ଗୀଙ୍କ ଘରେ ପଶିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ଅନୁଗୁଳ ବାସଭବନ ସମେତ କଟକ ଓ ଢେଙ୍କାନାଳରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ସୂଚନା ଥାଉକି, ଭୁବନେଶ୍ୱର ଆରଡି ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଆୟରୁ ଅଧିକ ସମ୍ପତ୍ତି ଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ । ଏନେଇ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏବେ ବି ଅନେକ ସ୍ଥାନରେ ରେଡ୍ ଚାଲିଛି । ୮ ଜଣିଆ ଟିମ୍ ଅନୁଗୁଳ ସ୍ଥିତ ବାସଭବନରେ ଚଢ଼ାଉ କରୁଛି।
ଅନୁଗୁଳ ଜିଲ୍ଲାର ୪ଟି ସ୍ଥାନରେ ରେଡ଼ ଚାଲିଥିବା ସୂଚନା ମିଳିଛି । ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଡିଏସପି ଅନୁଷ୍କା ସେନାପତିଙ୍କ ନେତୃତ୍ୱରେ ଅନୁଗୁଳ, ଢେଙ୍କାନାଳ, କଟକ ଟିମର ୮ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । କରଡ଼ାଗାଡ଼ିଆ, ଲୋକେଇପଶି, ମାଟିଆସାହି ଏବଂ ଶିକ୍ଷକପଡ଼ାରେ ଚଢ଼ାଉ ଜାରି ରହିଛି ।
ରେଡ୍ ବେଳେ ଘରୁ ପୁଳା ପୁଳା ଟଙ୍କା ମିଳିଥିବା ସୂଚନା ମିଳିଛି । କରଡ଼ାଗାଡ଼ିଆରୁ କୋଟିଏ ୪୦ ଲକ୍ଷ ଟଙ୍କା ନଗଦ ବର୍ତ୍ତମାନ ସୁଦ୍ଧା ମିଳିଥିବା ଜଣା ପଡ଼ିଛି । ତେବେ ଯାହା ଜଣାପଡିଛି ଆଉ କିଛି ଦିନ ପରେ ତାଙ୍କର ଚାକିରି କାର୍ଯ୍ୟକାଳ ସରିଥାନ୍ତା । ହେଲେ ଅବସର ପୂର୍ବରୁ ମାଡିବସିଛି ଭିଜିଲାନ୍ସ ।