ମହାକୁମ୍ଭ ଦଳାଚକଟା ନେଇ ହଙ୍ଗାମା, ଭଡକିଲେ ସମାଜବାଦୀ ପାର୍ଟି ସାଂସଦ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ ୦୪/୦୨: ସଂସଦରେ ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ସୋମବାର ମହାକୁମ୍ଭ ଦଳାଚକଟା ମୃତ୍ୟୁକୁ ନେଇ ବିରୋଧୀମାନେ ହଙ୍ଗାମା କରିଛନ୍ତି । ଉଭୟ ଗୃହରେ ସେମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ସରକାର ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଥିବା କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ତମାମ ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ବୟାନବାଜି ବି କରିଛନ୍ତି । 

ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବୟାନକୁ ନେଇ ବିବାଦ ଉପୁଜିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ଖଡ୍‌ଗେ କହିଛନ୍ତି, ଜାନୁଆରୀ ୨୯ରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ଦଳାଚକଟା ଯୋଗୁ ପ୍ରାଣ ହରାଇଥିବା ହଜାର ହଜାର ଲୋକଙ୍କୁ ମୋର ଶ୍ରଦ୍ଧାଞ୍ଜଳି । 

ଖଡ୍‌ଗେଙ୍କ ଏହି ବୟାନକୁ ନେଇ ଗୃହ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୁରନ୍ତ ଆପତ୍ତି ଉଠାଇବା ସହ ଏହା ଶୁଣି ସମ୍ପୂର୍ଣ୍ଣ ଗୃହ ସ୍ତବ୍ଧ ହୋଇଯାଇଥିବା କହିଛନ୍ତି । ତେଣୁ ବୟାନକୁ ଫେରାଇନେବା ଲାଗି ସେ କହିଛନ୍ତି । ଧନଖଡ଼ଙ୍କ ଆପତ୍ତିରେ ଜବାବ ଦେଇ ଖଡ୍‌ଗେ କହିଛନ୍ତି, ଏହା ମୋର ଅନୁମାନ । ଯଦି ଏହି ସଂଖ୍ୟା ଠିକ୍‌ ନୁହେଁ ତେବେ ସରକାର ସତକଥା କ’ଣ ତାହା କହିବା ଆବଶ୍ୟକ । 

ସେହିଭଳି କୁମ୍ଭରେ ଦଳାଚକଟା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ନଦୀ ପାଣିରେ ଭସାଯାଇଛି ବୋଲି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ସୋମବାର ଅଭିଯୋଗ ଆଣିଛନ୍ତି । ୟୁପିର ଯୋଗୀ ଆଦିତ୍ୟନାଥ ସରକାର ସାଧାରଣ ଲୋକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରି ନ ଥିବା ସେ କହିଛନ୍ତି । ସଂସଦ ବାହାରେ ଗଣମାଧ୍ୟମ ଆଗରେ ଜୟା କହିଥିଲେ, ସବୁଠୁ ଦୂଷିତ ପାଣି ଏବେ କେଉଁଠି, ଏହା ହେଉଛି କୁମ୍ଭ । 

ନଦୀ ପାଣିରେ ମୃତଦେହଗୁଡ଼ିକ ଫିଙ୍ଗି ଦିଆଯାଇଛି । ମୁଖ୍ୟ ସମସ୍ୟା ଉପରେ ଏ ଯାଏ ଆଲୋଚନା କରାଯାଇନାହିଁ । କୁମ୍ଭକୁ ଯାଉଥିବା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଆୟୋଜନ କରାଯାଇନାହିଁ । ମୃତଦେହଗୁଡ଼ିକର ପୋଷ୍ଟମର୍ଟମ ହୋଇନାହିଁ । ଶବଗୁଡ଼ିକୁ ପାଣିରେ ଫିଙ୍ଗି ଦିଆଯାଇଥିବାବେଳେ ସେହି ପାଣିକୁ ଲୋକଙ୍କ ପାଖରେ ପହଞ୍ଚୁଛି । 

ବିଜେପି ସରକାର ଏ ଦିଗରେ କୌଣସି ସ୍ପଷ୍ଟୀକରଣ ଦେଉନାହାନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଆଖିରେ ଧୂଳି ପକାଇବା ଭଳି । କହିବାକୁ ଗଲେ, ଜାନୁଆରୀ ୨୯ ଦଳାଚକଟାରେ ମହାକୁମ୍ଭରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ବାସ୍ତବ ମୃତ୍ୟୁସଂଖ୍ୟା ଢେର ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.