କଟାରା ୧୬।୩: ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଅନୁସାରେ ଜମ୍ମୁ ଓ କାଶ୍ମୀରରେ ମାତା ବୈଷ୍ଣୋଦେବୀ ମନ୍ଦିରରେ ତୀର୍ଥ ଯାତ୍ରୀଙ୍କ ଦାନ ୨୦୨୪-୨୫(ଜାନୁୟାରୀ ପର୍ଯ୍ୟନ୍ତ) ୧୭୧.୯୦ କୋଟି ଟଙ୍କାକୁ ପହଞ୍ଚିଛି। ଯାହା ୨୦୨୦-୨୧ ମସିହାରେ ୬୩.୮୫ କୋଟି ଟଙ୍କା ଥିଲା। ସେହିପରି ଏହି ଅବଧିରେ ମାଁଙ୍କୁ ଭକ୍ତ ଉପହାରରେ ଦେଇଥିବା ସ୍ୱର୍ଣ୍ଣ ଆଭୂଷଣ ୯ କେଜିରୁ ବଢି ୨୭.୭ କେଜିକୁ ପହଞ୍ଚିଥିବା ବେଳେ ରୂପା ଅଳଙ୍କାର ୭୫୩ କେଜିରୁ ବଢି ୩,୪୨୪ କେଜିରୁ ଅଧିକ ହୋଇଯାଇଛି।
ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ ବୋର୍ଡ (ଏସଏମଭିଡିଏସବି) ଏକ ଆରଟିଆଇ ସୂଚନାରେ ଏହା ସୂଚିତ କରିଛନ୍ତି। ମନ୍ଦିର ବୋର୍ଡ କହିଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଦାନ ରୂପେ ମନ୍ଦିରକୁ ୬୩.୮୫କୋଟି ଟଙ୍କା ପ୍ରାପ୍ତ ହୋଇଥିଲା। ଏହା ପରେ ୨୦୨୧-୨୨ ବର୍ଷରେ ଏହି ଦାନର ପରିମାଣ ବଢି ୧୬୬.୬୮ କୋଟି ଟଙ୍କା ଓ ୨୦୨୩-୨୪ରେ ୨୩୧.୫୦କୋଟି ଟଙ୍କା ପ୍ରାପ୍ତ ହୋଇଛି। ଜମ୍ମୁ-କାଶ୍ମୀର ରିୟାସୀ ଜିଲ୍ଲା ତ୍ରିକୁଟା ପର୍ବତରେ ଅବସ୍ଥିତ ଏହି ମନ୍ଦିରକୁ ୨୦୨୦ରେ ୧୭.୨୦ଲକ୍ଷ ତୀର୍ଥ ଯାତ୍ରୀ ଆସିଥିଲେ। ଯାହା ଗତ ୩ ଦଶନ୍ଧୀରେ ସବୁଠୁ କମ ଥିଲା।
ଏହି ମନ୍ଦିର କୋଭିଡ-୧୯ ମହାମାରୀ କାଳରେ ୫ ମାସ ବନ୍ଦ ଥିଲା। ଏହାକୁ ୧୬ ଅଗଷ୍ଟ ୨୦୨୦ରେ ପୁଣିଥରେ ଭକ୍ତଙ୍କ ନିମନ୍ତେ ଖୋଲା ଯାଇଥିଲା। ବ୍ୟବସ୍ଥିତ ପରିଚାଳନା ନିମନ୍ତେ ମନ୍ଦିରକୁ ୧୯୮୬ ମସିହାରେ ମନ୍ଦିର ବୋର୍ଡ ନିଜ ହାତକୁ ନେଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ମନ୍ଦିରକୁ ତୀର୍ଥ ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ୨୦୧୨ ମସିହାରେ ମନ୍ଦିରକୁ ସର୍ବାଧିକ ୧.୦୪କୋଟି ତୀର୍ଥଯାତ୍ରୀଙ୍କ ଆଗମନର ରେକର୍ଡ ରହିଛି। ଗତବର୍ଷ ମନ୍ଦିରକୁ ୧.୦୧ କୋଟି ତୀର୍ଥ ଯାତ୍ରୀ ଆସିଥିଲେ।
ମନ୍ଦିରକୁ ଦାନରେ ମିଳୁଥିବା ସ୍ୱର୍ଣ୍ଣଅଳଙ୍କାର ଓ ହଳଦିଆ ଏବଂ ସ୍ୱେତ ଧାତୁକୁ ତରଳାଯାଇ ପରୀକ୍ଷଣ, ନିରୀକ୍ଷଣ ଓ ଶୋଧନ ପରେ ୦.୯୯୫ ଓ ୦.୯୯୯ ସୁଦ୍ଧତାର ମୁଦ୍ରାରେ ପରିଣତ କରି ସ୍ମାରକ ରୂପେ ବିକ୍ରି ପାଇଁ ବ୍ୟବସାୟୀଙ୍କୁ ବିକ୍ରି କରାଯାଏ। ଏଣୁ ମନ୍ଦିରର ସ୍ୱର୍ଣ୍ଣାଳଙ୍କାରକୁ ନଷ୍ଟ କରାଯାଏନା କି ବିକ୍ରି କରାଯାଏନା ବୋଲି ଏସଏମଭିଡିଏସବି କହିଛନ୍ତି।