ଡେରାଡୁନ୍ ୦୬/୦୮: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା । ଦେବଭୂମିରେ ୩୪ ସେକେଣ୍ଡର ପ୍ରଳୟ । ପ୍ରକୃତିର କରାଳ ରୂପରେ ଛାରଖାର ଚାରିଆଡ । ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଅଞ୍ଚଳ ଛାରଖାର । ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ ଧ୍ୱଂସ ହୋଇଯାଇଛି ।
ଏହା ସହିତ ହର୍ସିଲରେ ହେଲିପ୍ୟାଡ୍ ଏବଂ ସେନାର କ୍ୟାମ୍ପ ମଧ୍ୟ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ଥ ହୋଇଛି । ଖାଲି ଏତିକି ନୁହେଁ ଭାରତୀୟ ସେନାର ୮ ରୁ ୧୦ ଜଣ ଯବାନ ନିଖୋଜ ଥିବାର ମଧ୍ୟ କୁହାଯାଉଛି । ଧରାଲିରେ ବିପର୍ଯ୍ୟୟ ଆସିବା ପରେ ସେନାର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ସେନା ଏକ ପୋଷ୍ଟରେ କହିଛି ସୂଚନା ମିଳିବା ମାତ୍ରେ ଆଇବ୍ରେକ୍ସ ବ୍ରିଗେଡର ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରାଯାଉଛି । ବିପର୍ଯ୍ୟୟର ଘଡ଼ିସନ୍ଧି ମୁହୂର୍ତ୍ତରେ ସେନା ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି ।
ମଙ୍ଗଳବାର ଖୀର ଗଙ୍ଗା ନଦୀରେ ବାଦଲଫଟା ବର୍ଷା ପରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି । ଫଳରେ ହର୍ସିଲ ଅଞ୍ଚଳର ପ୍ରାଚୀନ କଳ୍ପ କେଦାର ମନ୍ଦିରଟି ଭଗ୍ନାବଶେଷ ତଳେ ପୋତି ହୋଇଯାଇଛି । ଯାହା ଦେଖିବାକୁ ପୁରା କେଦାରନାଥ ପରି କାଟୁରେ ଶୈଳୀରେ ନିର୍ମିତ । ଏହି ମନ୍ଦିର ବର୍ଷ ବର୍ଷ ଧରି ଭୂମିଗର୍ଭରେ ପୋତି ରହିବା ପରେ ୧୯୪୫ ମସିହାରେ ପୁନଃ ଆବିଷ୍କୃତ ହୋଇଥିଲା ।
ମଙ୍ଗଳବାରର ବନ୍ୟାରେ ସେହି ସ୍ଥାନକୁ ପୋତିହୋଇପଡିଛି ମାଟିତଳେ । ଭଗ୍ନାବଶେଷର ସ୍ତର ତଳେ ପୁନଃ ପୋତି ଦେଇଥିଲା। ମନ୍ଦିରର କେବଳ ଅଗ୍ରଭାଗ ଅଳ୍ପ ଦୃଶ୍ୟମାନ ରହିଛି, ଯାହା ପ୍ରାୟ ୮୦ ବର୍ଷ ପୂର୍ବର ପୁନଃ ଆବିଷ୍କାରକୁ ପ୍ରତିଫଳିତ କରେ। ସ୍ଥାନୀୟ ଲୋକମାନେ ମନେ ପକାଇଛନ୍ତି ଯେ ମନ୍ଦିରଟି ଭୂମି ସ୍ତର ତଳେ ଅବସ୍ଥିତ ଥିଲା । ତୀର୍ଥଯାତ୍ରୀମାନଙ୍କୁ ଗର୍ଭଗୃହରେ ପ୍ରାର୍ଥନା କରିବାକୁ କିଛି ଫୁଟ ତଳକୁ ଓହ୍ଲାଇବାକୁ ପଡୁଥିଲା । ଯେଉଁଠାରେ ଖୀର ଗଙ୍ଗାରୁ ଜଳ ପ୍ରାୟତଃ ପ୍ରାକୃତିକ ଭାବରେ ପ୍ରବେଶ କରୁଥିଲା।