ନୂଆଦିଲ୍ଲୀ ୦୬।୦୮ :ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା । ତା’ପରେ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଅଞ୍ଚଳକୁ କରିଦେଇଛି ଛାରଖାର । ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି । ଅନେକ ଘର ଏବଂ ହୋଟେଲ ଧ୍ୱଂସ ହୋଇଯାଇଛି । ଏହା ସହିତ ହର୍ସିଲରେ ହେଲିପ୍ୟାଡ୍ ଏବଂ ସେନାର କ୍ୟାମ୍ପ ମଧ୍ୟ ବାଦଲଫଟା ବର୍ଷାରେ କ୍ଷତିଗ୍ରସ୍ଥ ହୋଇଛି । ଖାଲି ଏତିକି ନୁହେଁ ଭାରତୀୟ ସେନାର ୮ ରୁ ୧୦ ଜଣ ଯବାନ ନିଖୋଜ ଥିବାର ମଧ୍ୟ କୁହାଯାଉଛି ।
ଧରାଲିରେ ବିପର୍ଯ୍ୟୟ ଆସିବା ପରେ ସେନାର ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସେନା ଏକ ପୋଷ୍ଟରେ କହିଛି ସୂଚନା ମିଳିବା ମାତ୍ରେ ଆଇବ୍ରେକ୍ସ ବ୍ରିଗେଡର ଯବାନମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ବିପର୍ଯ୍ୟୟରେ ହୋଇଥିବା କ୍ଷତିର ଆକଳନ କରାଯାଉଛି । ବିପର୍ଯ୍ୟୟର ଘଡ଼ିସନ୍ଧି ମୁହୂର୍ତ୍ତରେ ସେନା ଲୋକମାନଙ୍କ ସହିତ ଅଛଛି ।
ଅନ୍ୟପଟେ ରାଜ୍ୟ ସରକାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଉତ୍ତରକାଶୀ ଜିଲ୍ଲାରେ ୩ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସ୍ଥିତିର ସମୀକ୍ଷା କରିବା ପାଇଁ ଷ୍ଟେଟ୍ ଡିଜାଷ୍ଟର ଅପରେସନ ସେଣ୍ଟରରେ ପହଞ୍ଚିଛନ୍ତି । ସେନା ସହିତ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ଙ୍କ ତରଫରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି । ହର୍ସିଲ ପୋଷ୍ଟରେ ନିୟୋଜିତ ସେନା ବାର୍ଟାଲିୟନ୍ ପ୍ରଥମେ ଏନେଇ ଆକ୍ସନ୍ ନେଇଥିଲେ ଏବଂ ୧୦ ମିନିଟ୍ ଭିତରେ ଗାଁରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୨୦ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇସାରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ ପୋଷ୍ଟରେ ଧରାଲିରେ ଆସିଥିବା ବନ୍ୟାରେ ପ୍ରଭାବିତ ଲୋକମାନଙ୍କର ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ସେ ଏକ ପୋଷ୍ଟରେ ଲେଖିଛନ୍ତି ମୁଁ ଧରାଲିରେ ହୋଇଥିବା ଏହି ଦୁଃଖଦ ଘଟଣାରେ ପ୍ରଭାବିତ ଲୋକମାନଙ୍କ ପ୍ରତି ସମବେଦନା ଜଣାଉଛି । ଏହା ସହିତ ସମସ୍ତ ପ୍ରଭାବିତ ଲୋକଙ୍କର କୁଶଳତା କାମନା କରୁଛି । ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି ଏବଂ ସ୍ଥିତି ବିଷୟରେ ସୂଚନା ନେଇଛି । ରିଲିଫ୍ ଏବଂ ଉଦ୍ଧାର ଦଳ କାମରେ ଲାଗିଛନ୍ତି । ଲୋକମାନଙ୍କୁ ସାହାଯ୍ୟ ପହଞ୍ଚାଇବାରେ କୌଣସି ଅବହେଳା କରାଯାଉନାହିଁ। ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ କଥା ହୋଇଛନ୍ତି । ସେ ଧରାଲିରେ ଆସିଥିବା ବିପର୍ଯ୍ୟୟ ବିଷୟରେ ସୂଚନା ଦେଇଛନ୍ତି । ଗୃହମନ୍ତ୍ରୀ ଏକ ପୋଷ୍ଟରେ କହିଛନ୍ତି ଧରାଲିରେ ଆସିଥିବା ବନ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସୂଚନା ନେଲି । ପାଖରେ ହିଁ ନିୟୋଜିତ ଆଇଟିବିପିର ୩ଟି ଟିମକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଏନ୍ଡିଆର୍ଏଫ୍ର ୪ ଟି ଟିମ ମଧ୍ୟ ପଠାଇ ଦିଆଯାଇଛି ।