ଖୋଜି ଖୋଜି ଚୀନ୍ ଛାତ୍ରଙ୍କ ବାତିଲ କରାଯିବ ଭିସା, ଟ୍ରମ୍ପ ପ୍ରଶାସନର ବଡ଼ ଘୋଷଣା ପରେ ଟେନସନ୍‌ରେ ଜିନଫିଙ୍ଗ୍

Published By : Prameya-News7 Bureau | May 29, 2025 IST

News7

ନୂଆଦିଲ୍ଲୀ: ଖୋଜି ଖୋଜି ଚୀନ୍‌ ଛାତ୍ରଙ୍କ ବାତିଲ କରାଯିବ ଭିସା। ଚୀନ୍ ଛାତ୍ରମାନଙ୍କ ପାଇଁ ଭିସା ପ୍ରତ୍ୟାହାର କରିବା ଆରମ୍ଭ କରିବ ଆମେରିକା। ଭାରତ ପରେ ଚୀନ୍ ହେଉଛି ଆମେରିକାରେ ଆନ୍ତର୍ଜାତୀୟ ଛାତ୍ରମାନଙ୍କର ଦ୍ୱିତୀୟ ସର୍ବବୃହତ ଉତ୍ସ। ୨୦୨୩-୨୪ ଶିକ୍ଷାବର୍ଷ ପାଇଁ, ଚୀନ୍‌ ପ୍ରାୟ ୨.୭ ଲକ୍ଷ ଛାତ୍ର ଆମେରିକାରେ ଅଧ୍ୟୟନ କରୁଥିବା ରିପୋର୍ଟ ହୋଇଛି। ଯାହା ସମସ୍ତ ବିଦେଶୀ ଛାତ୍ରଙ୍କ ପ୍ରାୟ ଏକ ଚତୁର୍ଥାଂଶ। ତେବେ କାହିଁକି ହଠାତ୍‌ ଚୀନ ଛାତ୍ରଙ୍କ ଉପରେ ଚିହିଁକି ଉଠିଲା ଟ୍ରମ୍ପ ପ୍ରଶାସନ।  

ଏନେଇ ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓ କହିଛନ୍ତି ଯେ "ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ, ଆମେରିକାର ବୈଦେଶିକ ବିଭାଗ ଘରୋଇ ସୁରକ୍ଷା ବିଭାଗ ସହିତ ମିଶି ଚୀନ୍ ଛାତ୍ରମାନଙ୍କ ପାଇଁ ଭିସା ପ୍ରତ୍ୟାହାର କରିବ। ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଧ୍ୟୟନ କରୁଥିବା କିମ୍ବା ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହିତ ଜଡିତ ଥିବା ଛାତ୍ରଛାତ୍ରୀମାନେ ସାମିଲ ଅଛନ୍ତି।

ଏହି ପଦକ୍ଷେପ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପରେ ଚୀନ୍ ସହିତ ସମ୍ପର୍କ ଶେଷ କରିବା ପାଇଁ ବଢ଼ୁଥିବା ଚାପର ପ୍ରତିକ୍ରିୟା। ଡ୍ୟୁକ୍ ବିଶ୍ୱବିଦ୍ୟାଳୟକୁ ଚୀନ୍ ବିଶ୍ୱବିଦ୍ୟାଳୟ ସହିତ ସମ୍ପର୍କ ଶେଷ କରିବାକୁ କହିଛନ୍ତି। ସେମାନେ କହିଛନ୍ତି ଯେ ଏହି ସହଯୋଗ ଚୀନ୍ ଛାତ୍ରମାନଙ୍କୁ ଆମେରିକା ଦ୍ୱାରା ପାଣ୍ଠି ଯୋଗାଇ ଦିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ଗବେଷଣାରେ ପ୍ରବେଶ ଦେଇଛି।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟକୁ ନୂତନ ଆନ୍ତର୍ଜାତୀୟ ଛାତ୍ରଙ୍କୁ ପ୍ରବେଶ ଦେବାରୁ ଅସ୍ଥାୟୀ ଭାବରେ ବ୍ୟାନ କରିଛି ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS)। ସ୍କୁଲ୍ ଉପରେ ଗବେଷଣା ସହଭାଗୀତା ମାଧ୍ୟମରେ 'ଚାଇନିଜ୍ କମ୍ୟୁନିଷ୍ଟ ପାର୍ଟି ସହିତ ସମନ୍ୱୟ' କରିବାର ଅଭିଯୋଗ ଆସିଛି। ହାର୍ଭାର୍ଡକୁ ଏକ ଚୀନ୍ ଅର୍ଦ୍ଧସାମରିକ ଗୋଷ୍ଠୀର ସଦସ୍ୟମାନଙ୍କୁ ତାଲିମ ଦେବାର ମଧ୍ୟ ଅଭିଯୋଗ କରିଛି DHS। ନୂତନ ଆନ୍ତର୍ଜାତୀୟ ଛାତ୍ରଙ୍କ ପାଇଁ ଭିସା ଇଣ୍ଟରଭ୍ୟୁ ବନ୍ଦ କରିବାର ଗୋଟିଏ ଦିନ ପରେ ରୁବିଓଙ୍କ ଘୋଷଣା ଆସିଛି।

ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଦେଶୀ ଛାତ୍ରମାନଙ୍କୁ ଟାର୍ଗେଟ କରିଥିଲେ। "ଆମେ ସପିଂ ସେଣ୍ଟରରେ ବିସ୍ଫୋରଣ ଦେଖିବାକୁ ଚାହୁଁନାହୁଁ। ଦଙ୍ଗା ଦେଖିବାକୁ ଚାହୁଁନାହୁଁ।

ଛାତ୍ର ଭିସା ନିୟମ ପରିବର୍ତ୍ତନ କରିବା ପୂର୍ବରୁ ପ୍ରଶାସନ ହଜାର ହଜାର ଆନ୍ତର୍ଜାତୀୟ ଛାତ୍ରଙ୍କ ଆଇନଗତ ସ୍ଥିତିକୁ ଅସ୍ଥାୟୀ ଭାବରେ ପ୍ରତ୍ୟାହାର କରିଥିଲା। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ୨୭ ପ୍ରତିଶତରୁ ଅଧିକ ଆନ୍ତର୍ଜାତୀୟ ଛାତ୍ର ଅଛନ୍ତି। ଟ୍ରମ୍ପ୍ କହିଛନ୍ତି ଯେ ପ୍ରତିଶତକୁ ୧୫ ପ୍ରତିଶତକୁ ହ୍ରାସ କରାଯିବା ଉଚିତ। 

ଆମେରିକା ସରକାର ଭିସା ଆବେଦନକାରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିବ। ୨୦୧୯ ଠାରୁ ଭିସା ଆବେଦନକାରୀଙ୍କ ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ରୁବିଓ କହିଛନ୍ତି ଯେ ନୂତନ ନିୟମ ଯାଞ୍ଚକୁ ବୃଦ୍ଧି କରିବ, ବିଶେଷକରି ଚୀନ୍ ଏବଂ ହଂକଂର ଲୋକଙ୍କ ପାଇଁ।

ପ୍ରକାଶଥାଉକି ବିଶ୍ୱବିଦ୍ୟାଳୟକୁ ୨.୨ ବିଲିୟନ ଡଲାରର ଫେଡେରାଲ୍ ପାଣ୍ଠି ବନ୍ଦ କରିଦେଇଥିଲା ଟ୍ରମ୍ପ ପ୍ରଶାସନ। ଏହା ପରେ ହାର୍ଭାର୍ଡର ଆନ୍ତର୍ଜାତୀୟ ଛାତ୍ରମାନଙ୍କୁ ପ୍ରବେଶ ଦେବାର କ୍ଷମତାକୁ ବନ୍ଦ କରିଦେଇଥିଲା। ହାର୍ଭାର୍ଡ ବିଦେଶୀ ଛାତ୍ରମାନଙ୍କ ବିଷୟରେ ସୂଚନା ଅଂଶୀଦାର କରିବାକୁ ଏବଂ କ୍ୟାମ୍ପସରେ ଇହୂଦୀ-ବିରୋଧୀ ଘଟଣାଗୁଡ଼ିକର ସମାଧାନ କରିବାକୁ ମନା କରିବା ପରେ ଏହି ପଦକ୍ଷେପ ନିଆଯାଇଥିଲା। ଜବାବରେ ହାର୍ଭାର୍ଡ ପ୍ରଶାସନ ବିରୋଧରେ ଏହାର କାର୍ଯ୍ୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.