ଓ୍ୱାଶିଂଟନ ୨୦/୦୧: ଆମେରିକାକୁ ଫେରିବ ଟ୍ରମ୍ପ ଶାସନ । ୪୭ ତମ ରାଷ୍ଟ୍ରପତି ଭାବେ ନେବେ ଶପଥ । ୭୮ ବର୍ଷୀୟ ଟ୍ରମ୍ପଙ୍କ ଦ୍ବିତୀୟ ପାଳି । ମିଷ୍ଟର ପ୍ରେସିଡେଣ୍ଟ ଏବେ ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ । ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଇନ୍ଡୋରରେ ହେବ ଉତ୍ସବ । କାର୍ଯ୍ୟକ୍ରମରେ ସାମିଲ ହେବେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ । ଭାରତ ପକ୍ଷରୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତେବେ ଜାଣିଛନ୍ତି କି ଆମେରିକାରେ ରାଷ୍ଟ୍ରପତିଙ୍କୁ କିଏ କରାଏ ଶପଥ । କାହିଁକି ଖାସ୍ ୨୦ ଜାନୁୟାରୀ….
୨୦ ଜାନୁଆରୀ, ସୋମବାର। ଆମେରିକା ସମୟ ମଧ୍ୟାହ୍ନ ୧୨ଟା । ଭାରତୀୟ ସମୟ ରାତି ୧୦ଟା ୩୦। ଆମେରିକାରେ ପୁଣି ଚାଲିବ ଟ୍ରମ୍ପ ଶାସନ। ହ୍ୱାଇଟ୍ ହାଉସରେ ଆରମ୍ଭ ହେବ ଦ୍ୱିତୀୟ ଇନିଂସ। ଏଥିପାଇଁ ଫ୍ଲୋରିଡାରୁ ୱାସିଂଟନ୍ ଅଭିମୁଖେ ପରିବାର ସହ ଉଡାଣ ଭରିଛନ୍ତି ଟ୍ରମ୍ପ। ଭବ୍ୟ ଶପଥ ସମାରୋହ ପାଇଁ ପ୍ରସୁତ କ୍ୟାପିଟଲ୍ ହିଲ୍ ରୋତୁଣ୍ଡା। ମଂଚ ପ୍ରସୁତ, ଅତିଥି ବି ଆସିସାରିଲେଣି। ୨ ଲକ୍ଷ ୨୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟିକେଟ୍ ନଥିବା ଦର୍ଶକ ନ୍ୟାସନାଲ ମଲରୁ ଶପଥ ଉତ୍ସବ ଦେଖିପାରିବେ।
ପ୍ରତି ୪ ବର୍ଷରେ ଥରେ ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ହୁଏ ନିର୍ବାଚନ । ଆଉ ଏହି ନିର୍ବାଚନ ବି ହୁଏ ନଭେମ୍ବର ମାସରେ । ଫଳରେ ବିଜୟୀ ପ୍ରାର୍ଥୀ ପରବର୍ତ୍ତୀ ବର୍ଷ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବବେ ନିଅନ୍ତି ଶପଥ । ଏହି ସମୟରେ, ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ତାଙ୍କ ପ୍ରଶାସନ ପ୍ରସ୍ତୁତ କରିବା ପାଇଁ ଦିଆଯାଏ ସମୟ । ପ୍ରସ୍ତୁତ କରନ୍ତି ତାଙ୍କ ପସନ୍ଦର କ୍ୟାବିନେଟ୍ । ଆମେରିକାର ପରମ୍ପରା ଅନୁଯାୟୀ, କେବଳ ଜାନୁଆରୀ ୨୦ ନୁହେଁ, ଯେକୌଣସି ଦିନ ଅନୁଷ୍ଠିତ ହୋଇପାରେ ଶପଥ ଗ୍ରହଣ ଉତ୍ସବ ।
ଶପଥ ଗ୍ରହଣ ପରେ, ଆମେରିକାର ନୂତନ ରାଷ୍ଟ୍ରପତି ଦେଶବାସୀଙ୍କୁ କରନ୍ତି ସମ୍ୱୋଧନ । ଯେଉଁଥିପାଇଁ ଆୟୋଜିତ ହୁଏ ସ୍ୱତନ୍ତ୍ର ପରେଡ, ଯାହାକୁ କୁହାଯାଏ ଲାଲ୍ ପରେଡ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଆମେରିକାର ଅନ୍ୟାନ୍ୟ ପ୍ରମୁଖ ନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ଅଂଶଗ୍ରହଣ କରନ୍ତି ଏହି ପରେଡରେ । ହ୍ୱାଇଟ୍ ହାଉସରୁ କ୍ୟାପିଟଲ୍ ହିଲ୍ ପର୍ଯ୍ୟନ୍ତ ଚାଲିଚାଲି ଯାଆନ୍ତି ସମସ୍ତେ। ଶେଷରେ ଅନ୍ତିମ ପ୍ରକ୍ରିୟା ଭାବେ ରାତିରେ ଆୟୋଜିତ ହୁଏ ଭବ୍ୟ ଇନାଗ୍ରଲ ବଲ୍ ।
ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶପଥ ପାଠ କରାଇବାର ଦାୟିତ୍ୱ ଆମେରିକାର ମୁଖ୍ୟ ବିଚାରପତିଙ୍କ ଉପରେ ନ୍ୟସ୍ତ। ସୁପ୍ରିମକୋର୍ଟର ମୁଖ୍ୟଙ୍କ ନେତୃତ୍ୱରେ, ନୂତନ ରାଷ୍ଟ୍ରପତି ସମ୍ବିଧାନ ଅନୁଯାୟୀ ତାଙ୍କର କର୍ତ୍ତବ୍ୟ ପାଳନ କରିବା ପାଇଁ ଶପଥ ନିଅନ୍ତି। ଏହି ଶପଥ ପାଠ ବହୁତ ସରଳ ଶବ୍ଦରେ ଥାଏ । ଏଥିରେ ରାଷ୍ଟ୍ରପତି ଶପଥ ନିଅନ୍ତି ଯେ ସେ ଆମେରିକାର ସମ୍ବିଧାନ ପାଳନ କରିବେ। ସେ ତାଙ୍କ ପଦବୀର ଦାୟିତ୍ୱ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିର୍ବାହ କରିବେ। ଆଉ ଟ୍ରମ୍ପକୁ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ । ଦୁଇ ହାତରେ ଦୁଇଟି ବାଇବଲ ଧରି ଆମେରିକୀୟ ସମ୍ବିଧାନର ୩୫ଟି ମହତ୍ତ୍ୱପୂର୍ଣ୍ଣ ଶବ୍ଦର ଶପଥ ନେବେ ଟ୍ରମ୍ପ୍।
ଆମେରିକୀୟ ରାଜନୀତିରେ, ହ୍ୱାଇଟ୍ ହାଉସ୍ ଛାଡିବାର ଚାରି ବର୍ଷ ପରେ ପୁଣି କମ୍ବ୍ୟାକ୍ କରିବା ଅସମ୍ଭବ ବୋଲି କରାଯାଏ ବିବେଚନା । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହି ଅସମ୍ଭବକୁ ସମ୍ଭବ କରି ସୃଷ୍ଟି କରିଛନ୍ତି ନୂଆ ଇତିହାସ । ପୂର୍ବରୁ ଗ୍ରୋଭର କ୍ଲିଭଲ୍ୟାଣ୍ଡ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଥିଲେ ଯିଏ ୪ ବର୍ଷ ହ୍ୱାଇଟ୍ ହାଉସ୍ରୁ ବାହାରିବା ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୩୧ ବର୍ଷ ପୂର୍ବେ ଏହି ରେକର୍ଡ କରିଥିଲେ ସେ । ଗ୍ରୋଭର କ୍ଲିଭଲ୍ୟାଣ୍ଡ ୧୮୮୫ ରୁ ୧୮୮୯ ଏବଂ ୧୮୯୩ ରୁ ୧୮୯୭ ପର୍ଯ୍ୟନ୍ତ ଦୁଇଥର ଆମେରିକାର ରାଷ୍ଟ୍ରପତି ଥିଲେ। ଏବେ ଗ୍ରୋଭରଙ୍କ ପରେ, ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ନେତା, ଯିଏ ୪ ବର୍ଷର ବ୍ୟବଧାନ ପରେ ଫେରିଛନ୍ତି କ୍ଷମତାକୁ ।