ନୂଆଦିଲ୍ଲୀ: ଆମେରିକା ଓ ଚୀନ ମଧ୍ୟରେ ଶୁଳ୍କ ଏବଂ ପାଲଟା ଶୁଳ୍କକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ୍ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। ଚୀନ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉଲ୍ଲଂଘନ କରିଥିବା ଟ୍ରମ୍ପ ଅଭିଯୋଗ କରିବା ସହିତ ଭଲ ମଣିଷ ଦେଖେଇ ହେବା ପାଇଁ ସେ ବହୁତ ଅଭିନୟ କଲା ବୋଲି ଟ୍ରମ୍ପ କହିଛନ୍ତି। ତେବେ ଚୀନର ଅର୍ଥନୀତିକୁ ବଞ୍ଚାଇବା ପାଇଁ ବେଜିଂ ସହିତ ତୁରନ୍ତ ଡିଲ୍ ଫାଇନାଲ୍ କରିବାକୁ ଚେଷ୍ଟା କରିଥିଲୁ, ହେଲେ ଚୀନ ଏହାର ଉଲ୍ଲଂଘନ କଲା ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।
ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ରେ ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କର ଟାରିଫ ବୃଦ୍ଧି ପରେ ଚୀନର ଆମେରିକା ବଜାରରେ ବ୍ୟବସାୟ କରିବା ମୁସ୍କିଲ୍ ହୋଇଯାଇଥିଲା। ଚୀନ ଅର୍ଥନୀତି ଖରାପ ସ୍ଥିତିକୁ ଚାଲିଯାଇଥିଲା। ଆମେ ଚୀନ ସହିତ କୋଲ୍ଡ ତୁର୍କି ନୀତି ଅବଲମ୍ବନ କରିଥିଲୁ, ଯାହା ତାଙ୍କ ପାଇଁ ବିନାଶକାରୀ ସାବ୍ୟସ୍ତ ହେଲା। ଏକାଧିକ ଫ୍ୟାକ୍ଟ୍ରି ବନ୍ଦ ହୋଇଗଲା। ସରଳ ଭାଷାରେ କହିବାକୁ ଗଲେ ନାଗରିକ ଅସ୍ଥିରତା ସୃଷ୍ଟି ହୋଇଗଲା। ଯାହା ଆମକୁ ପସନ୍ଦ ହେଲାନି, ମୁଁ ଏହା ଚାହେଁ ବି ନାହିଁ। ତେଣୁ ତାଙ୍କ ପାଇଁ, ତାଙ୍କୁ ଖରାପ ପରିସ୍ଥିତିରୁ ସୁରକ୍ଷା ଦେବାକୁ ମୁଁ ଦ୍ରୁତ ଗତିରେ ଚୀନ ସହିତ ବାଣିଜ୍ୟ ଡିଲ୍ କଲି। ଆଉ ଏଥିପାଇଁ ଚୀନରେ ସବୁକିଛି ପୁଣି ସ୍ଥିର ହୋଇଯାଇଥିଲା। ସମସ୍ତେ ଖୁସି ଥିଲେ। ଏହା ଭଲ ଖବର। ହେଲେ ଖରାପ ଖବର ହେଲା ଚୀନ ଆମେରିକା ସହିତ ନିଜ ଚୁକ୍ତିର ପୂରାପୂରି ଉଲ୍ଲଂଘନ କରିଛି। ଅବଶ୍ୟ ଚୀନ ବିଷୟରେ ଏହା ଆଶ୍ଚର୍ଯ୍ୟ କଥା ନୁହେଁ। ଜଣେ ଭଲ ଲୋକ ହେବାର ଅଭିନୟ କରିବା ପାଇଁ ଏତିକି ଯଥେଷ୍ଟ ବୋଲି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି।
ଏହା ପୂର୍ବରୁ ଚୀନ ସହ ଡିଲ୍ ନେଇ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଚୀନ୍ ସହିତ ବାଣିଜ୍ୟ ଆଲୋଚନା ବନ୍ଦ ହୋଇଯାଇଛି ବୋଲି ମିଡିଆକୁ କହିଥିଲେ। ଚୀନ ସହ ବାଣିଜ୍ୟ ଡିଲ୍ କରିବାକୁ ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସିଧାସଳଖ ସମ୍ପୃକ୍ତି ଆବଶ୍ୟକ ବୋଲି ସେ କହିଥିଲେ। ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରି ବେସେଣ୍ଟ ଆଲୋଚନାର ଜଟିଳତା ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଏହି ମାସ ଆରମ୍ଭରେ ଅସ୍ଥାୟୀ ୯୦ ଦିନିଆ ଯୁଦ୍ଧବିରାମ ହେବା ପରଠାରୁ ଅଗ୍ରଗତି ମନ୍ଥର ହୋଇଛି। ହେଲେ ଏହାର କୌଣସି ସମାଧାନ ହୋଇ ନାହିଁ।
ଏହି ମାସର ଆରମ୍ଭରେ, ଆମେରିକାର ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟର କହିଥିଲେ ଯେ ଟ୍ରମ୍ପ ପ୍ରଶାସନ ଗତ ମାସରେ ଲାଗୁ ହୋଇଥିବା ୧୪୫ ପ୍ରତିଶତ ଶୁଳ୍କକୁ ୩୦ ପ୍ରତିଶତକୁ ହ୍ରାସ କରିବାକୁ ରାଜି ହୋଇଛି। ଏହାର ଜବାବରେ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ତାର ଶୁଳ୍କ ହାରକୁ ୧୨୫ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିବାକୁ ରାଜି ହୋଇଛି ବୋଲି କହିଥିଲେ।