LIVE TV
LIVE TV

CYBER ATTACKS: ସଂସଦରେ ସରକାରଙ୍କ ସ୍ୱୀକାରୋକ୍ତି, ଅନେକ ବିମାନ ବନ୍ଦରରେ ହୋଇଛି GPS ସ୍ପୁଫିଙ୍ଗ

NEWS7
us-donald-trump-launches-strikes-on-yemens-houthis-many-civilians-killed-attack

ନୂଆଦିଲ୍ଲୀ: ନଭେମ୍ୱର ଆରମ୍ଭରେ ଦେଶର ପ୍ରମୁଖ ବିମାନ ବନ୍ଦରରେ ବିମାନ ପରିଚାଳନାରେ ଅସୁବିଧା ଆସିଥିଲା । ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ପ୍ରାୟ ୮୦୦ ଉଡାଣ ପ୍ରଭାବିତ ହୋଇଥିଲା । ସେହି ସମୟରେ ଏଟିସି ପକ୍ଷରୁ ଅଟୋମେଟିକ୍ ମ୍ୟାସେଜ ସ୍ୱିଚିଂ ସିଷ୍ଟମରେ ତ୍ରୁଟି କଥା କୁହାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଏବେ ସଂସଦରେ ଏକ ବୟାନରେ ସ୍ୱୀକାର କରିଛନ୍ତି ଯେ ଦିଲ୍ଲୀ ସମେତ ଦେଶର ପ୍ରମୁଖ ବିମାନ ବନ୍ଦରରେ ଜିପିଏସ ସ୍ଫୁଫିଙ୍ଗ ସମସ୍ୟା ହୋଇଥିଲା, ଅର୍ଥାତ୍ ଏହି ସବୁ ବିମାନ ବନ୍ଦରକୁ ଆସୁଥିବା ଓ ସେଠାରୁ ଉଡାଣ ଭରିଥିବା ବିମାନ ଜିପିଏସ୍ ସ୍ପୁଫିଙ୍ଗର ଶିକାର ହୋଇଥିଲା ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ (ଆଇଜିଆଇ) ନିକଟରେ କିଛି ବିମାନରେ ଜିପିଏସ୍ ସ୍ପୁଫିଙ୍ଗର ସୂଚନା ମିଳିଥିଲା । ଏହି ସମସ୍ୟା ରନୱେ ୧୦ରେ ଜିପିଏସ୍ ଆଧାରିତ ଲ୍ୟାଣ୍ଡିଂ ସମୟରେ ରେକର୍ଡ ହୋଇଥିଲା । ସ୍ପୁଫିଙ୍ଗ ବିଷୟ ଜଣାପଡ଼ିବା ପରେ ତୁରନ୍ତ ବିକଳ୍ପ ପ୍ରକ୍ରିୟା ଆପଣା ଯାଇଥିଲା ଏବଂ ବିମାନକୁ ସୁରକ୍ଷିତ ଅବତରଣ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଦ୍ୱିତୀୟ ରନ୍ ୱେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା, କାରଣ ସେଠାରେ ପାରମ୍ପାରିକ ନାଭିଗେସନ ସିଷ୍ଟମ ଉପଲବ୍ଧ ଥିଲା ।

ସରକାରଙ୍କ ଅନୁସାରେ, ଜିପିଏସ୍ ଜାମିଂ/ ସ୍ପୁଫିଙ୍ଗର ରିପୋର୍ଟ ୨୦୨୩ ନଭେମ୍ୱରରୁ ବାଧ୍ୟତାମୂଳକ କରାଯାଇଛି । ଏହାପରେ ଦେଶର ଅନେକ ବଡ଼ ବିମାନ ବନ୍ଦରରେ ଏହି ସମସ୍ୟା ଲଗାତାର ସାମନାକୁ ଆସୁଛି । ଏଥିରେ କୋଲକାତା, ଅମୃତସର, ମୁମ୍ୱାଇ, ହାଇଦ୍ରବାଦ, ବେଙ୍ଗାଲୁରୁ ଓ ଚେନ୍ନାଇ ବିମାନ ବନ୍ଦର ସାମିଲ ଅଛି । ଏହି ସବୁ ସ୍ଥାନରେ ଜିଏନ୍‌ଏସ୍‌ଏସ୍ ଇଣ୍ଟରଫେରେନ୍ସ ଅଭିଯୋଗ ମିଳିଛି ।

ଜିପିଏସ୍ ସ୍ପୁଫିଙ୍ଗ ଏକ ସାଇବର୍ ଆକ୍ରମଣ । ଏଥିରେ ନକଲି ସିଗନାଲ୍ ପଠାଇ କୌଣସି ବି ଡିଭାଇସକୁ ଭୁଲ୍ ଲୋକେସନ୍ ଦିଆଯାଇଥାଏ । ଯେତେବେଳେ ଏହା ବିମାନ ସହ ହୋଇଥାଏ, ସେତେବେଳେ ଏହାର ନାଭିଗେସନ ସିଷ୍ଟମ ଭୁଲ ବାଟରେ ଯାଇପାରେ ଏବଂ ଦୁର୍ଘଟଣାର ବିପଦ ବଢିପାରେ । ଏହା ପୂର୍ବରୁ କେନ୍ଦ୍ର ସରକାର ସଂସଦରେ ତଥ୍ୟ ଉପସ୍ଥାପନ କରି କହିଥିଲେ ଯେ ୨୦୨୩ ନଭେମ୍ୱରରୁ ୨୦୨୫ ଫେବ୍ରୁଆରୀ ମଧ୍ୟରେ ୪୬୫ ଜିପିଏସ୍ ସ୍ପୁଫିଙ୍ଗ ଘଟଣା ଭାରତ-ପାକିସ୍ତାନ ସୀମା କ୍ଷେତ୍ରରେ ରେକର୍ଡ ହୋଇଥିଲା ।