ଆମେରିକା ରକ୍ଷା ବଜେଟରେ ୧୩.୪% ବୃଦ୍ଧି, ୨୦୨୬ରେ ୧.୦୧ ଟ୍ରିଲିୟନ ଡଲାର ବ୍ୟୟ ପ୍ରସ୍ତାବ

Published By : Prameya-News7 Bureau | June 27, 2025 IST

ନୂଆଦିଲ୍ଲୀ ୨୭।୬:  ଆମେରିକା ୨୦୨୬ ଆର୍ଥିକ ବର୍ଷ ନିମନ୍ତେ ପ୍ରତିରକ୍ଷା ବଜେଟ ୧୩.୪% ବୃଦ୍ଧି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧.୦୧ଟ୍ରିଲିୟନ ଡଲାରର ବଜେଟ୍ ପ୍ରସ୍ତାବ କରିଛନ୍ତି। ଏଥିରେ ବିବେକାଧିନ ବଜେଟ ବାବଦକୁ ୮୪୮.୩ ବିଲିୟନ ଡଲାର ରଖାଯାଇଥିବା ବେଳେ କଂଗ୍ରେସ ମାଧ୍ୟମରେ ଅନିବାର୍ଯ୍ୟ ନିଧି ରୂପେ ୧୧୩.୩ ବିଲିୟନ ଡଲାର ରହିଛି। ଆମେରିକା ରକ୍ଷା ବିଭାଗ ଏହାକୁ ଏକ ଐତିହାସିକ ବଜେଟ୍ ବୋଲି କହିଛି। 

ଏହି ବଜେଟ୍ ଦେଶର ସୁରକ୍ଷାକୁ ମଜଭୁତ କରିବା ସହିତ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍ ଆକ୍ରମକତାର ମୁକାବିଲା ନିମନ୍ତେ ପ୍ରାଥମିକତା ଦେଉଥିବା କୁହାଯାଇଛି। ପେଣ୍ଟାଗନରେ ଗଣମାଧ୍ୟମ ବ୍ରିଫିଙ୍ଗ କାଳରେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ୧୧୩ ବିଲିୟନ ଡଲାରର ଅନିବାର୍ଯ୍ୟ ନିଧି ରାଷ୍ଟ୍ରପତିଙ୍କ ପ୍ରାଥମିକତାକୁ ସମ୍ବୋଧିତ କରିବ। ଏଥିରେ ଜାହାଜ ନିର୍ମାଣ, ମିଜାଇଲ ପ୍ରତିରକ୍ଷା, ଗୋଳାବାରୁଦ ଉତ୍ପାଦନ ସମେତ ସୈନ୍ୟ କର୍ମଚାରୀଙ୍କ ଜୀବନ ବଞ୍ଚିବାର ମାନ ବୃଦ୍ଧି ପାଇଁ ବ୍ୟୟ ମଧ୍ୟ ସାମିଲ। 

ପ୍ରସ୍ତାବିତ ବଜେଟରେ ଆର୍ମି ପାଇଁ ୧୯୭.୪ ବିଲିୟନ ଡଲାର ବଜେଟ୍ ପ୍ରସ୍ତାବ କରାଯାଇଥିବା ବେଳେ ନୌସେନା ଲାଗି ୨୯୨.୨ ବିଲିୟନ ଡଲାର ଓ ବାୟୁସେନା ପାଇଁ ୩୦୧.୧ ବିଲିୟନ ଡଲାର ଓ ଡିଫେନ୍ସ-ୱଇଡ ପାଇଁ ୧୭୦.୯ ବିଲିୟନ ଡଲାର ପ୍ରସ୍ତାବ କରାଯାଇଛି। ବଜେଟରେ ସେନା କର୍ମଚାରୀଙ୍କ ୩.୮% ବେତନ ବୃଦ୍ଧି ସାଙ୍ଗକୁ ସର୍ଭିସ ମେମ୍ବରଙ୍କ ଆବାସ ଲାଗି ୫ ବିଲିୟନ ଡଲାରର ନିବେଶ ମଧ୍ୟ ରହିଛି। ବଜେଟ ସୁପାରିଶରେ ଏଫ-୩୫ ଲାଇଟନିଂ-୨ ଷ୍ଟିଲଥ୍ ଷ୍ଟ୍ରାଇକ୍ ଫାଇଟର କ୍ରୟକୁ ୭୪ରୁ ହ୍ରାସ କରି ୪୭ କରିବା ମଧ୍ୟ ରହିଛି ଓ ଏହି ଫଣ୍ଡିଂ ଫାଇଟର ଜେଟ୍ ଆଧୁନିକରଣରେ ମଧ୍ୟ ଖର୍ଚ୍ଚ ହେବ। 

ଏଫ-୩୫ର ତତ୍ପରତା ଓ ସ୍ଥିରତା ସମ୍ପର୍କିତ ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ସ୍ପେୟାରପାର୍ଟସ ରେ ନିବେଶ ନିମନ୍ତେ ପାଖାପାଖି ୧ ବିଲିୟନ ଡଲାର ଆବଣ୍ଟିତ କରାଯାଇଛି। ଜନୈକ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ସାମ୍ବାଦିକଙ୍କୁ କହିଛନ୍ତି ଯେ ପ୍ରସ୍ତାବିତ ବଜେଟରେ ଗୋଲ୍ଡେନ ଡୋମ ଫର ଆମେରିକା ବ୍ୟାପକ କ୍ଷେପଣାସ୍ତ୍ର ପ୍ରତିରକ୍ଷା କାର୍ଯ୍ୟକ୍ରମରେ  ପ୍ରାରମ୍ଭିକ ନିବେଶ ନିମନ୍ତେ ୨୫ ବିଲିୟନ ଡଲାର ଓ ଦେଶର ପରମାଣୁ ତ୍ରିଭୂଜର ସମସ୍ତ ୩ଟି ଗୋଡ ସହିତ ପରମାଣୁ ଉଦ୍ୟମ ଆଧୁନିକରଣ ନିମନ୍ତେ ୬୦ ବିଲିୟନ ଡଲାର ପ୍ରଦାନ କରୁଛି। 

ଏହି ସୁରକ୍ଷା ଅନୁରୋଧରେ ବାୟୁସେନାର ଯୋଜନାବଦ୍ଧ ଏଫ-୪୭ ନେକ୍ସଟ ଜେନେରେସନ ଏୟାର ଡୋମିନାନ୍ସ ଫାଇଟର ଜେଟ୍ ପ୍ଲାଟଫର୍ମ ଲାଗି ୩.୫ ବିଲିୟନ ଡଲାର ସେହିପରି ସାଇବର ସୁରକ୍ଷା ନିମନ୍ତେ ୧୫.୧ ବିଲିୟନ ଡଲାର ଆବଣ୍ଟିତ ରହିଛି। ପ୍ରତିଯୋଗୀତା ବାତାବରଣରେ ଉତ୍ତରଦାୟିତ୍ୱ ଚିନ୍ତା କାରଣରୁ ଇ-୭ ଭେଜଟେଲ ଇୟର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ଏୟାର କ୍ରାଫ୍ଟ ପ୍ରୋଗ୍ରାମକୁ ରଦ୍ଦ କରିବା ପାଇଁ ମଧ୍ୟ ବଜେଟରେ ସୁପାରିଶ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.