ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି କାରଣରୁ ସାରା ବିଶ୍ବରେ ଆରମ୍ଭ ହୋଇଛି ବାଣିଜ୍ୟିକ ଯୁଦ୍ଧ। ମୁହାଁମୁହିଁ ହୋଇଛନ୍ତି ଆମେରିକା- ଚୀନ। ଅବଶ୍ୟ ଏହି ନୀତିରେ ଉପରେ ସାମୟିକ ରୋକ ଲାଗିଛି । ହେଲେବି ଆଗକୁ ପୁଣି ଟାରିଫ୍ ଲଗାଇପାରନ୍ତି ଟ୍ରମ୍ପ। ଏମିତିରେ ନୀତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ଏହା ଉପରେ ରୋକ୍ ଲଗାଇଛନ୍ତି ଆମେରିକା କୋର୍ଟ।
ଟ୍ରମ୍ପଙ୍କ ଟାରିଫ୍ ନୀତି ଉପରେ ରୋକ ଲଗାଇଲେ ଆମେରିକାର ଫେଡେରାଲ ଟ୍ରେଡ କୋର୍ଟ। ଏହି ନୀତି ଅସାମ୍ବିଧାନିକ ଦର୍ଶାଇ କୋର୍ଟ ଏହି ରୋକ୍ ଲଗାଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି, ଟ୍ରମ୍ପ ନିଜ ଶକ୍ତିର ଦୂରୁପଯୋଗ କରିଛନ୍ତି। ସେ ନିଜ ଶକ୍ତିର ଦୁରୂପଯୋଗ କରି ସମ୍ବିଧାନର ନିୟମ ବାହାରକୁ ଯାଇ ଏହି ଟାରିଫ୍ ଲଗାଇବାକୁ ଚେଷ୍ଟା କରିଛନ୍ତି। ମ୍ୟାନହାଟନର ଫେଡେରାଲ କୋର୍ଟ ଅଫ୍ ଇଣ୍ଟରନାସନାଲ ଟ୍ରେଡର ତିନି ବିଚାରପତିଙ୍କ ବେଞ୍ଚ କହିଛନ୍ତି, ଟ୍ରମ୍ପ ଅନ୍ତର୍ଜାତୀୟ ଇମରଜେନ୍ସୀ ଇକୋନୋମିକ ପାଓ୍ବାର୍ସ ଆକ୍ଟ (IEEPA)ର ଅପବ୍ୟବହାର କରିଛନ୍ତି। ଏହି ଆଇନ ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ସ୍ଥିତିରେ ଏଭଳି ଶକ୍ତି ଦେଇଥାଏ, କିନ୍ତୁ ଟ୍ରମ୍ପ ଏହାକୁ ବିନା କୌଣସି ଦୃଢ଼ କାରଣ ନଥାଇ ବ୍ୟବହାର କରିଛନ୍ତି।
ସୂଚନାଥାଉକି, ଟ୍ରମ୍ପଙ୍କ ଟାରିଫ୍ ନୀତି ବିରୋଧରେ ଲିବର୍ଟୀ ଜଷ୍ଟିସ ସେଣ୍ଟରରେ ୫ ଛୋଟ ଆମେରିକୀୟ ବ୍ୟବସାୟୀ ଏବଂ ୧୨ ଆମେରିକୀୟ ଆମଦାନୀକାରୀ ମଧ୍ୟ ମାମଲା ରୁଜୁ କରାଇଥିଲେ। ଏମାନେ ଯୁକ୍ତି ରଖିଥିଲେ, ଟାରିଫ୍ କାରଣରୁ ଛୋଟ ବ୍ୟବସାୟୀଙ୍କୁ ବଡ଼ କ୍ଷତି ହେଉଛି। କାରଣ ଆମଦାନୀ ହେଉଥିବା ସାମଗ୍ରୀର ଦାମ ବଢ଼ିବା କାରଣରୁ ତାହାର ଖର୍ଚ୍ଚ ବଢ଼ୁଛି। ତେବେ କୋର୍ଟ ଏହି ଆବେଦନକୁ ଯଥାର୍ଥ ବୋଲି କହିବା ସହ କହିଛନ୍ତି ରାଷ୍ଟ୍ରପତିଙ୍କ ପାଖରେ ଏତେ ବଡ଼ ପରିମାଣରେ ଟାରିଫ୍ ଲଗାଇବା ପାଇଁ ସାମ୍ବିଧାନିକ ଅଧିକାର ନାହିଁ।
କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବ ଟ୍ରମ୍ପ ପ୍ରଶାସନ
ସେପଟେ ଟ୍ରମ୍ପ ପ୍ରଶାସନ ଏହି ନିଷ୍ପତ୍ତି ବିରୋଧରେ ଉପର କୋର୍ଟରେ ଅପିଲ କରିବା କଥା କହିଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ସାଇଟରେ ଦାବି କରିଛନ୍ତି ଯେ, ତାଙ୍କ ଟାରିଫ୍ ନୀତି ‘ଆମେରିକାକୁ ପୁଣି ଥରେ ମହାନ କରିବା’ ପାଇଁ ଜରୁରୀ ଥିଲା। ଅବଶ୍ୟ କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ଟ୍ରମ୍ପ ଟ୍ରେଡ ଆକ୍ଟ ୧୯୭୪ର ଧାରା ୧୨୨ ଅନ୍ତର୍ଗତ ୧୫୦ ଦିନ ପାଇଁ ୧୫% ପର୍ଯ୍ୟନ୍ତ ଟାରିଫ ଲଗାଇପାରିବେ। କିନ୍ତୁ ଏଥିପାଇଁ ମଧ୍ୟ ଠୋସ ଆଧାର ଦରକାର।
ତେବେ ଟ୍ରମ୍ପ ପ୍ରଶାସନର ଅପିଲ ଏବଂ କୋର୍ଟଙ୍କ ଆଗାମୀ ନିଷ୍ପତ୍ତି ଏହି ମାମଲାର ଦିଗ ନିର୍ଦ୍ଧାରଣ କରିବ। ଟ୍ରମ୍ପ ପୂର୍ବରୁ ହିଁ କିଛି ଟାରିଫକୁ ୯୦ ଦିନ ପାଇଁ ସ୍ଥଗିତ କରିଥିଲେ। ଯାହାଦ୍ବାରା ଅନ୍ୟ ଦେଶଙ୍କ ସହ ବାଣିଜ୍ୟିକ ବୁଝାମଣା ହୋଇପାରିବ। ଆଉ ଏବେ କୋର୍ଟଙ୍କ ନିଷ୍ପତ୍ତି ଏହି ନୀତିକୁ ଆହୁରି ଦୁର୍ବଳ କରିଛି।
ଏହା ପୂର୍ବରୁ ବିଶ୍ବ ବାଣିଜ୍ୟ ସଂଗଠନ (WTO) ମଧ୍ୟ ପୂର୍ବରୁ ଚେତାବନୀ ଦେଇଥିଲା। ଡବ୍ଲୁଟିଓ କହିଥିଲା ଟ୍ରମ୍ପଙ୍କ ଟାରିଫ କାରଣରୁ ବିଶ୍ବ ବ୍ୟାପାରରେ ୮୧% ପର୍ଯ୍ୟନ୍ତ ହ୍ରାସ ଆସିପାରେ। ହେଲେ କୋର୍ଟଙ୍କ ଏହି ନିଷ୍ପତ୍ତି ସେହି ଆଶଙ୍କାକୁ କମ୍ କରୁଛି।
୧୦୦ରୁ ଅଧିକ ଦେଶଙ୍କ ଉପରେ ଟ୍ରମ୍ପ୍ ଲଗାଇଥିଲେ ଟାରିଫ୍
ସୂଚନାଥାଉକି, ୨୦୨୫ ଏପ୍ରିଲ ୨ରେ ଟ୍ରମ୍ପ ‘ଲିବରେସନ ଡେ’ ନାଁରେ ୧୦୦ରୁ ଅଧିକ ଦେଶରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନୂଆ ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲେ। ସେ ଦାବି କରିଥିଲେ ଯେ, ଏହି ଟାରିଫ୍ ଆମେରିକା ଅର୍ଥବ୍ୟବସ୍ଥାକୁ ମଜଭୁତ କରିବ ଏବଂ ସେହି ଦେଶକୁ ଶିକ୍ଷା ଦେବ ଯେଉଁ ଦେଶ ଆମେରିକାଠାରୁ କମ୍ ସାମଗ୍ରୀ କିଣୁଛନ୍ତି କିନ୍ତୁ ଅଧିକ ବିକୁଛନ୍ତି।
ଅବଶ୍ୟ ପରେ ଚୀନକୁ ଛାଡ଼ି ଅନ୍ୟ ଦେଶ ଉପରେ ଟାରିଫ୍କୁ ୯୦ ଦିନ ପାଇଁ ରୋକ ଲଗାଇଥିଲେ ଟ୍ରମ୍ପ। ଟ୍ରମ୍ପଙ୍କ ଟାରିଫର ଜବାବରେ ଚୀନ ମଧ୍ୟ ଟାରିଫ୍ ଲଗାଇଥିଲା । ଚୀନର ଟାରିଫକୁ ବଢ଼ାଇ ୧୪୫% କରିଦିଆଯାଇଥିଲା। ଅବଶ୍ୟ କଥାବାର୍ତ୍ତା ପରେ ଚୀନ ଉପରେ ମଧ୍ୟ ଏହି ଟାରିଫ୍କୁ କମ୍ କରିଦିଆଯାଇଛି।