ଯୋଗୀଙ୍କ ବୟାନକୁ ନେଇ UP ରାଜନୀତିରେ ଝଡ଼, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | March 26, 2025 IST

ଲକ୍ଷ୍ନୌ ୨୬।୩: ଏକ ଏପରି ଖବର ଆସୁଛି ଯାହା ଉତ୍ତରପ୍ରଦେଶ (ୟୁପି) ରାଜନୀତିରେ ଝଡ଼ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିକଟରେ ଏଏନଆଇ ପଡକାଷ୍ଟରେ ଏକ ଏଭଳି କଥା କହିଛନ୍ତି ଯାହା ଏବେ ୟୁପିରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୋଗୀ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ସେ ନିଜେ ନିର୍ବାଚନ ଲଢିବାକୁ ଆଉ ଉଦ୍ୟମ କରିବେ ନାହିଁ, ବିଜେପିର କେହି ଅନ୍ୟ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଯୋଗୀଙ୍କ ଏହି ବୟାନ ନା କେବଳ ରାଜନୈତିକ ଅଳିନ୍ଦରେ ଆଲୋଡନ ସୃଷ୍ଟି କରିଛି, ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଏନଆଇ ପଡକାଷ୍ଟରେ ଯୋଗୀଙ୍କୁ ତାଙ୍କର ଜାତୀୟ ମହତ୍ୱାକାଙକ୍ଷା ଓ ତୃତୀୟବାର ମୁଖ୍ୟମନ୍ତ୍ରୀ ପାଇଁ ଥିବା ସମ୍ଭାବନା ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ଯୋଗୀ କହିଥିଲେ ଯେ ତାଙ୍କର ପ୍ରାଥମିକତା ହେଉଛି ସେବା, ସୁରକ୍ଷା ଓ ସୁଶାସନ, ଯାହାକୁ ବିଜେପି ୟୁପିରେ ଲାଗୁ କରିଛି। ଏହାର ଫଳ ହେଉଛି ସାଧାରଣ ଜନତାଙ୍କ ଭରସା ତାଙ୍କ ପାର୍ଟି ଉପରେ ବଢିଛି। ତେବେ ସବୁଠୁ ବଡ଼ ଟ୍ୱିଷ୍ଟ ସେତେବେଳା ଆସିଲା ଯେତେବେଳେ ସେ କହିଲେ ମୁଁ ନିର୍ବାଚନ ଲଢିବାକୁ ଆଉ ଉଦ୍ୟମ କରିବିନି, ଆମ ପାର୍ଟି ନିର୍ଦ୍ଧାରଣ କରିବ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ? 


ଯୋଗୀଙ୍କ ଏହି କଥା ପଦକ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଯୋଗୀଙ୍କ ଏହି ବୟାନ ସାଧାରଣ ବୟାନ ନୁହେଁ, ଉତ୍ତରପ୍ରଦେଶ ଭଳି ଏକ ବଡ଼ ରାଜ୍ୟରେ ବିଜେପିର ଚେହେରା ପାଲଟିଥିବା ଯୋଗୀ ଯଦି କହିବେ ନିର୍ବାଚନ ଲଢିବେନି ଏହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଯୋଗୀ କ’ଣ ଏବେ ଜାତୀୟ ରାଜନୀତି ଦିଗକୁ ପାଦ ପ୍ରସାରୁଛନ୍ତି କି? ଏହାଛଡା ତାଙ୍କର ଏହି ବୟାନରୁ ଏହା ବି ସଂକେତ ମିଳୁଛି ଯେ ଆଗାମୀ ନିର୍ବାଚନରେ ବିଜେପି କୌଣସି ନୂଆ ମୁହଁକୁ ସାମ୍ନାକୁ ଆଣିପାରେ। ୟୁପିରେ ଜନତା ଓ ବିରୋଧୀ ଦଳ ଉଭୟ ଏବେ ନିଜନିଜ ହିସାବରେ ଯୋଗୀଙ୍କ ବୟାନକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। 


ଯୋଗୀ ତାଙ୍କ ଉତ୍ତରରେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଫୋକସ ସର୍ବଦା ଜନତାଙ୍କ ସେବାରେ ରହିଛି। ସେ କହିଛନ୍ତି ଯେ ବିଜେପିର ମଡେଲ ସେବା, ସୁରକ୍ଷା ଓ ସୁଶାସନ, ଯାହାକୁ ୟୁପିରେ ଲାଗୁ କରାଯାଇଥିବାରୁ ପାର୍ଟି ପ୍ରତି ଲୋକଙ୍କ ଭଲପାଇବା ବଢିଛି। ତେବେ ‘ମୁଁ ନିଜେ ଆଗକୁ ଆସିବିନି, ପାର୍ଟି ଯାହା ନିଷ୍ପତ୍ତି ନେବ ସେଇଆ ହେବ’ କହି ଯୋଗୀ ତାଙ୍କ ନେତୃତ୍ୱକୁ ପାର୍ଟିର ସାମୂହିକ ବିଚାର ସହିତ ସଂଯୁକ୍ତ କରିଛନ୍ତି। ଏହି କଥା ତାଙ୍କ ସମର୍ଥକଙ୍କ ଲାଗି ଆଶ୍ଚର୍ଯ୍ୟଜନକ ହୋଇପାରେ, ହେଲେ ଏଥିରୁ ତାଙ୍କ ନିଷ୍ଠା ବି ଜଣାପଡୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.