ନୂଆ ଖେଳ ନୀତି, ରୋଜଗାର ପାଇଁ ପ୍ରୋତ୍ସାହନ ରାଶି; କେନ୍ଦ୍ର କ୍ୟାବିନେଟ୍‌ରେ ୪ ବଡ଼ ଯୋଜନାକୁ ମଞ୍ଜୁରି

Published By : Prameya-News7 Bureau | July 01, 2025 IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ମଙ୍ଗଳବାର ଯୁବବର୍ଗ ଓ ଭିତ୍ତିଭୂମି ସହ ଜଡ଼ିତ ଅନେକ ବଡ଼ ଯୋଜନା ଉପରେ ମୋହର ମାରିଛି । କେନ୍ଦ୍ର କ୍ୟାବିନେଟ୍ ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ଦେଇଛି । ଦୁଇଟି ପାର୍ଟରେ ଏହାର ଲାଭ ମିଳିବ । ପାର୍ଟ-ଏରେ  ପ୍ରଥମ ଥର ରୋଜଗାର ପାଇଥିବା କର୍ମଚାରୀଙ୍କୁ ସର୍ବାଧିକ ୧୫ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯିବ । ଚାକିରି କରିବାର ଛଅ ମାସରେ ପ୍ରଥମ କିସ୍ତି ଓ ବର୍ଷରେ ଦ୍ୱିତୀୟ କିସ୍ତି ମିଳିବ । ପାର୍ଟ-ବିରେ ୩ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରାଯିବ । ପୂରା ଯୋଜନା ବିନିର୍ମାଣ କ୍ଷେତ୍ରରେ ରୋଜଗାରକୁ ପ୍ରୋତ୍ସାହନ ଦେବା ଉପରେ କେନ୍ଦ୍ରିତ ରହିଛି । ଏହି ଯୋଜନା ପାଇଁ ସରକାର ମୋଟ ୧.୦୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହାର ଉଦ୍ଦେଶ୍ୟ ସବୁ କ୍ଷେତ୍ରରେ ରୋଜଗାର ସୃଜନ, ରୋଜଗାର କ୍ଷମତାରେ ବୃଦ୍ଧି ଓ ସାମାଜିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା । ଏଥିରେ ବିନିର୍ମାଣ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯିବ । ଏହି ଯୋଜନାର ଉଦ୍ଦେଶ୍ୟ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦେବା । ଏହା ବ୍ୟତୀତ ଏହି ଯୋଜନା ପ୍ରଥମ ଥର ଚାକିରି କରୁଥିବା କର୍ମଚାରୀଙ୍କୁ ବି ପ୍ରୋତ୍ସାହିତ କରିବ । ପ୍ରଥମ ଥର ଚାକିରି କରୁଥିବା କର୍ମଚାରୀଙ୍କ ଲାଗି ଦୁଇ ବର୍ଷ ଯାଏ ଅତିରିକ୍ତ ୩୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରତି ମାସ ଦିଆଯିବ । ଏହି ପ୍ରୋତ୍ସାହନ ସେହି ନିଯୁକ୍ତିଦାତାମାନଙ୍କୁ ଦିଆଯିବ ଯେଉଁମାନେ ଏପରି କର୍ମଚାରୀଙ୍କୁ ନିଯୁକ୍ତି ଦେବେ ଯାହାଙ୍କ ଦରମା ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବ । ନିର୍ମାଣ କ୍ଷେତ୍ର ପାଇଁ ଏହି ପ୍ରୋତ୍ସାହନ ତୃତୀୟ ଏବଂ ଚତୁର୍ଥ ବର୍ଷ ପାଇଁ ମଧ୍ୟ ଜାରି ରହିବ ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ମୋଟ ଚାରି ବଡ଼ ଯୋଜନାକୁ ମଞ୍ଜୁରି ଦେଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ସମଗ୍ର ଖେଲୋ ଭାରତ ନୀତିକୁ ମଞ୍ଜୁରି ଦେଇଛି । ୧୯୮୪ରେ ପ୍ରଥମ ଥର ରାଷ୍ଟ୍ରୀୟ ଖେଳ ନୀତି ଲାଗୁ କରାଯାଇଥିଲା । ଏହା ପରେ ୨୦୦୧ରେ ନୂଆ ଖେଳ ନୀତି ଜାରି କରାଯାଇଥିଲା । ଏବେ କେନ୍ଦ୍ର ସରକାର ଖେଳ ଭାରତ ନୀତି ୨୦୨୫ ଲାଗୁ କରିବେ । ଏହା ଦ୍ୱାରା ଯୁବବର୍ଗଙ୍କୁ ଖେଳ ପାଇଁ ପ୍ରୋତ୍ସାହିତ କରାଯିବ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମ ଲକ୍ଷ୍ୟ ଖେଳ ମାମଲାରେ ଦେଶକୁ ଦୁନିଆ ଶୀର୍ଷ ୫ ଦେଶରେ ସାମିଲ କରିବା ।

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅନୁସନ୍ଧାନ, ବିକାଶ ଓ ନବସୃଜନ ଯୋଜନାକୁ ମଞ୍ଜୁରି ଦେଇଛି । ଏହି ଯୋଜନାରେ ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ଅଧିନରେ ଯୁବବର୍ଗଙ୍କୁ ରିସର୍ଚ୍ଚ ଓ ଇନୋଭେସନ୍ ପାଇଁ ପ୍ରୋତ୍ସାହିତ କରାଯିବ । ଏହା ବ୍ୟତୀତ ମନ୍ତ୍ରିମଣ୍ଡଳ ତାମିଲନାଡ଼ୁରେ ୧୮୫୩ କୋଟି ଟଙ୍କା ବିନିଯୋଗରେ ଚାରି ଲେନର ପରମକୁଡି-ରାମନାଥପୁରମ ଖଣ୍ଡ (୪୬.୭ କିଲୋମିଟର) ନିର୍ମାଣକୁ ମଞ୍ଜୁରି ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.