ନୂଆଦିଲ୍ଲୀ: ଋଷ ଠାରୁ ତେଲ କିଣିବା ଅଭିଯୋଗରେ ବୁଧବାର ଆମେରିକା ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ପ୍ରତିକ୍ରିୟା ଦେଇଛି ଭାରତ। ଆମେରିକାର ଏହି ପଦକ୍ଷେପକୁ "ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ" ବୋଲି କହିଛି। ଏଥିସହିତ ଭାରତ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଯାହା ସମ୍ଭବ କରିବ ବୋଲି ଦୋହରାଇଛି। ତେବେ ସାମଗ୍ରିକ ଶୁଳ୍କ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାରତ କହିଛି।
ଟ୍ରମ୍ପ ଆଜି ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ବାଣିଜ୍ୟ ଶୁଳ୍କ ଘୋଷଣା କରିଛନ୍ତି। ପୂର୍ବର ୨୫ ପ୍ରତିଶତ ଓ ଏବର ୨୫ ଶତ ମିଶାଇ ଭାରତ ଉପରେ ଆମେରିକା ମୋଟ ୫୦ ପ୍ରତିଶତ ଶୁଳ୍କ ଲଗାଇଛି। ଯାହା ଚୀନର ୩୦ ପ୍ରତଶତ ଶୁଳ୍କ ଠାରୁ ୨୦ ପ୍ରତିଶତ ଅଧିକ। ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ ନିର୍ଦ୍ଦେଶନାମା ଅନୁଯାୟୀ ଆଜିଠାରୁ ୨୧ ଦିନ ପରେ ଅତିରିକ୍ତ ଶୁଳ୍କ ଲାଗୁ ହେବ। ଯାହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ।
ଟ୍ରମ୍ପଙ୍କର ଅତିରିକ୍ତ ଶୁଳ୍କକୁ ସମାଲୋଚନା କରି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ ଲେଖାଯାଇଛି "ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତର ତୈଳ ଆମଦାନୀକୁ ଟାର୍ଗେଟ କରିଛି। ଆମେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆମର ସ୍ଥିତି ସ୍ପଷ୍ଟ କରିସାରିଛୁ, ଆମେ ଆମର ଆମଦାନୀ ବଜାରର ସ୍ଥିତି ଓ ଭାରତର ୧.୪ ବିଲିୟନ ଲୋକଙ୍କ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାକୁ କରିଛୁ। ଏହିପରି ଅନ୍ୟ ଦେଶମାନେ ବି ନିଜ ଦେଶର ସ୍ୱାର୍ଥରେ କାମ କରନ୍ତି। ତେଣୁ ଏପରି କାର୍ଯ୍ୟ ପାଇଁ ଆମେରିକା ଭାରତ ଉପରେ ଶୁଳ୍କ ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।" ଆମେରିକା ଓ ୟୁରୋପିୟନ ୟୁନିୟନ ମଧ୍ୟ ଋଷ ଠାରେ ତେଲ ଆମଦାନୀ କରୁଛନ୍ତି ବୋଲି ଭାରତ କହିଛି। ଏନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେ ପୁଣିଥରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ ବୋଲି କହୁଛୁ। ଭାରତ ଏହାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।