ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କଲା ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସି)। ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଅପରାଧୀ, ଆୟୋଜକ ଏବଂ ପ୍ରାୟୋଜକଙ୍କୁ ଦାୟୀ କରି ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି ୟୁଏନଏସି।
ଘଟଣା ଘଟିବାର ୪ ଦିନ ପରେ ଶୁକ୍ରବାର ୧୫-ଦେଶର ଯୁକ୍ତ ଜାତିସଂଘ ସୁରକ୍ଷା ପରିଷଦ (UNSC) ଶୁକ୍ରବାର ଏକ ପ୍ରେସ୍ ବିବୃତ୍ତି ଜାରି କରିଛି। ଯେଉଁଥିରେ ଆତଙ୍କବାଦର ସବୁ ରୂପ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପ୍ରତି ସବୁଠାରୁ ବଡ଼ ବିପଦ ମଧ୍ୟରୁ ଗୋଟିଏ ବୋଲି ସଂଘ ଦୋହରାଇଛି।
ୟୁଏନ୍ଏସସି ପ୍ରେସ୍ ବାର୍ତ୍ତାରେ କହିଛି “ସୁରକ୍ଷା ପରିଷଦର ସଦସ୍ୟମାନେ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଏବଂ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି. ଯେଉଁଥିରେ ଅତି କମରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ।” ସୂଚନା ଥାଉକି, ପାକିସ୍ତାନ ବର୍ତ୍ତମାନ ୟୁଏନ୍ଏସସିରେ ଏକ ଅସ୍ଥାୟୀ ସଦସ୍ୟ ଭାବରେ ରହିଛି।
ୟୁଏନ୍ଏସସି ସଦସ୍ୟମାନେ ପୀଡିତଙ୍କ ପରିବାର ଏବଂ ଭାରତ ଓ ନେପାଳ ସରକାରଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି, ଏବଂ ଆହତମାନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି। ସେମାନେ "ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଅପରାଧୀ, ଆୟୋଜକ, ଆର୍ଥିକ ସହାୟତା ପ୍ରଦାନକାରୀ ଏବଂ ପ୍ରାୟୋଜକଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ ଦେଇଛନ୍ତି।।
ପଢନ୍ତୁ- ପୁଣି ଜଣେ ଲସ୍କର ଆତଙ୍କବାଦୀର ଘର ଉଡ଼ାଇଲା ସେନା: ଆତଙ୍କୀ ପାକିସ୍ତାନରେ ଥିବା ସନ୍ଦେହ
ହତ୍ୟାକାଣ୍ଡ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ବୋଲି ସଂଘ ଗୁରୁତ୍ୱାରୋପ କରିଛି ଏବଂ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରାସଙ୍ଗିକ ସୁରକ୍ଷା ପରିଷଦ ପ୍ରସ୍ତାବ ଅନୁଯାୟୀ ସମସ୍ତ ରାଷ୍ଟ୍ରଙ୍କୁ ଏହି କ୍ଷେତ୍ରରେ ସମସ୍ତ ପ୍ରାସଙ୍ଗିକ କର୍ତ୍ତୃପକ୍ଷଙ୍କ ସହିତ ସକ୍ରିୟ ଭାବରେ ସହଯୋଗ କରିବାକୁ ଅନୁରୋଧ କରିଛି।
ଏହି ଘଟଣା ପରେ ଭାରତ ପାକିସ୍ତାନକୁ ଆତଙ୍କବାଦୀର ପୃଷ୍ଠପୋଷକ ବୋଲି ଦାୟୀ କରି ପଡ଼ୋଶୀ ସହିତ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିଦେଇଛି। ଏମିତିକି ପାକିସ୍ତାନ ନାଗରିକୁ ଭାରତରୁ ଖୋଜି ଖୋଜି ବାହାର କରିଦିଆଯାଉଛି। ସିନ୍ଧୁ ଜଳ ଚୁକ୍ତି ନିଲମ୍ବିତ କରି ପାକିସ୍ତାନକୁ ବଡ଼ ଶାସନ୍ତି ଦିଆଯାଇଛି। ସେହିପରି ଜବାବରେ ପାକିସ୍ତାନ ମଧ୍ୟ ନିଜର ଏୟାରସ୍ପେସ୍ ଭାରତ ପାଇଁ ବନ୍ଦ କରିଦେଇଛି। ସିମ୍ଲା ଚୁକ୍ତି ରଦ୍ଦ କରିଛି।