ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଆର୍ମି ଜେନେରାଲ୍ ଆସିମ ମୁନୀର ପୁଣି ଥରେ ବିଷ ଉଗାରିଛନ୍ତି । ସେ ଟୁ- ନେସନ୍ ଥିଓରି କଥା କହି ହିନ୍ଦୁ-ମୁସଲମାନ ଅଲଗା ବୋଲି କହିଛନ୍ତି । ମୁନୀର କହିଛନ୍ତି ଯେ ଅନେକଙ୍କ ବଳିଦାନ ପରେ ପାକିସ୍ତାନ ହାସଲ ହୋଇଛି ଓ ଏହାର ରକ୍ଷା କିପରି କରିବୁ ଆମକୁ ଜଣା । ମୁନୀର ଏହାର ଗୋଟିଏ ସପ୍ତାହ ପୂର୍ବରୁ କାଶ୍ମୀରୀକୁ ପାକିସ୍ତାନର ଗଳାର ଶିରା କହି ଟୁ-ନେସନ୍ ଥିଓରି କଥା କହିଥିଲେ । ଯାହାପରେ ଭାରତ ମଧ୍ୟ କଡ଼ା ଜବାବ ଦେଇଥିଲା । ଶନିବାର ମୁନୀର ଖୈବର-ପଖତୁନଖ୍ୱା ପ୍ରାନ୍ତର କାକୁଲରେ ପାକିସ୍ତାନ ମିଲିଟାରୀ ଅକାଦେମୀରେ କ୍ୟାଡେଟଙ୍କ ପାସିଂ ଆଉଟ୍ ପରେଡକୁ ସମ୍ୱୋଧନ କରି ଏହା କହିଛନ୍ତି ।
ମୁନୀର କହିଛନ୍ତି, 'ଟୁ-ନେସନ ଥିଓରି ଏହି ମୂଳ ମାନ୍ୟତା ଉପରେ ଆଧାରିତ ଥିଲା ଯେ ମୁସଲମାନ ଓ ହନ୍ଦୁ ଏକ ନୁହନ୍ତି, ବରଂ ଦୁହେଁ ଅଲଗା-ଅଲଗା । ମୁସଲମାନଙ୍କ ଜୀବନର ସବୁ ଦିଗ-ଧର୍ମ, ରୀତି-ନୀତି, ପରମ୍ପରା, ଚିନ୍ତାଧାରା ଓ ଆକାଂକ୍ଷାରେ ହିନ୍ଦୁଙ୍କଠାରୁ ଭିନ୍ନ ।' ପାକିସ୍ତାନ ଆର୍ମି ମୁଖ୍ୟଙ୍କ ଏହି ବୟାନ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସହ ଜାରି ତିକ୍ତତା ମଧ୍ୟରେ ଆସିଛି ।
ଏକ୍ସପ୍ରେସ୍ ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ମୁନୀର କହିଛନ୍ତି, 'ଅନେକ ସଂଘର୍ଷ ଓ ବଳିଦାନ ପରେ ଆମକୁ ପାକିସ୍ତାନ ମିଳିଛି । ଏହାର ରକ୍ଷା କରିବା ସେନାର କର୍ତ୍ତବ୍ୟ ।' ଏହା ପୂର୍ବରୁ ଏପ୍ରିଲ୍ ୧୬ରେ ଇସଲାମାବାଦରେ ପ୍ରବାସୀ ପାକିସ୍ତାନଙ୍କୁ ସମ୍ୱୋଧନ କରି ମୁନୀର ଦାବି କରିଥିଲେ ଯେ ହିନ୍ଦୁ-ମୁସଲମାନ ଅଲଗା-ଅଲଗା ରାଷ୍ଟ୍ର । ତାଙ୍କର ଏଭଳି ବୟାନକୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହ ମଧ୍ୟ ଯୋଡ଼ା ଯାଉଛି । ଏପ୍ରିଲ୍ ୨୨ରେ ପହଲଗାମ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଭାରତ ସରକାର କଡ଼ା ଅଭିମୁଖ୍ୟ ଦେଖାଇ ପାକିସ୍ତାନ ସହ ଥିବା ସିନ୍ଧୁ ଜଳ ସନ୍ଧିକୁ ବାତିଲ କରିଥିଲେ ।
Also Read: ବିଲାବଲ୍ ଭୁଟ୍ଟୋଙ୍କୁ ‘ରକ୍ତ ବୋହିବ’ ଫମ୍ପା ଧମକର କଡ଼ା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ, କହିଲେ-ପାଣି ଟୋପାଏ ବି ପାଇବନି