ନ୍ୟୁୟର୍କ ୩୦।୫: ଭାରତର ବ୍ରିଗେଡିୟର ଅମିତାଭ ଝା ଓ ହାବିଲଦାର ସଞ୍ଜୟ ସିଂହଙ୍କୁ ମିଳିତ ଜାତି ସଂଘ (ୟୁଏନ) ଡ୍ୟାଗ୍ ହେମରସ୍କଜଲ୍ଡ ସମ୍ମାନରେ ସମ୍ମାନୀତ କରିଛି। ଦୁଇ ଭାରତୀୟ ବୀର ପୁତ୍ରଙ୍କୁ ଏହି ସମ୍ମାନ ମରଣୋପରାନ୍ତ ପ୍ରଦାନ କରାଯାଇଛି। ସେମାନେ ଶାନ୍ତି ମିସନରେ ସେବା କାଳରେ ଶହିଦ ହୋଇଥିଲେ। ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ ନ୍ୟୁୟର୍କରେ ଅନୁଷ୍ଠିତ ଉତ୍ସବରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିସଙ୍କୁ ଏହି ମେଡାଲ ପ୍ରଦାନ କରିଛନ୍ତି।
ଏହି ସମାରୋହ ସେହି ଶାନ୍ତି ସୈନିକଙ୍କ ସମ୍ମାନରେ ଆୟୋଜନ କରାଯାଇଥିଲା ଯେଉଁମାନେ ଜାତି ସଂଘ ସେବାରେ ନିଜର ଜୀବନ ବଳିଦାନ କରିଛନ୍ତି। ବ୍ରିଗେଡିୟର ଅମିତାଭ ଝା ଜାତିସଂଘ ଡିସଏନଗେଜମେଣ୍ଟ ଅବଜର୍ଭର ଫୋର୍ସ (ୟୁଏନଡିଓଏଫ) ଏକଜ୍ୟୁକୁଟିଭ ଫୋର୍ସର କମାଣ୍ଡର ଥିଲେ। ସେ ଇସ୍ରାଏଲ ଓ ସିରିୟା ମଧ୍ୟରେ ଯୁଦ୍ଧବୀରାମ ଉପରେ ନଜର ରଖିବା ପାଇଁ ଗୋଲନ ହାଇଟସରେ ମୁତୟନ ଥିଲେ। ଗୁଟେରେସ କହିଛନ୍ତି ଯେ ଅମିତାଭ ଝା ସିରିୟାରେ ଅସଦ ସରକାରଙ୍କ ପତନ ପରେ ଜଟିଳ ପରିସ୍ଥିତିରେ ୟୁଏନଡିଓଏଫର କାର୍ଯ୍ୟକାରୀ ଫୋର୍ସ କମାଣ୍ଡର ରୂପେ ସେବା ଦେଉଥିଲେ। ତାଙ୍କୁ ତାଙ୍କର ନେତୃତ୍ୱ କ୍ଷମତା ଓ ଜାତିସଂଘ ଶାନ୍ତି ମିସନ ପ୍ରତି ତାଙ୍କର ଅତୁଟ ସମର୍ପଣ ପାଇଁ ମନେ ରଖାଯିବ।
ନ୍ୟୁୟର୍କରେ ଗୁରୁବାର ୭୭ତମ ଜାତିସଂଘ ଶାନ୍ତି ସୈନିକ ଦିବସ ପାଳିତ ହୋଇଛି। ଏଥିରେ ୬୧,୩୫୩ ଶାନ୍ତି ସୈନିକଙ୍କ କାର୍ଯ୍ୟକୁ ସମ୍ମାନୀତ କରାଯାଇଛି। ଏଥିରୁ ୫,୩୭୫ ଜଣ ଭାରତରୁ ଥିଲେ। ଏହି ଅବସରରେ ନୂଆ ଦିଲ୍ଲୀରେ ଭାରତୀୟ ସେନା ଜାତୀୟ ଯୁଦ୍ଧ ସ୍ମାରକରେ ଏକ ଉତ୍ସବର ଆୟୋଜନ କରିଥିଲା, ଯେଉଁଥିରେ ଜାତିସଂଘ ମିସନରେ ଶହିଦ ହୋଇଥିବା ୧୮୨ଜଣ ଭାରତୀୟ ଶାନ୍ତି ସୈନିକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଉତ୍ସବର ନେତୃତ୍ୱ ଲେଫ୍ଟନାଣ୍ଟ ଜେନେରାଲ ରାକେଶ କପୁର, ଡେପୁଟି ଚିଫ ଅଫ ଆର୍ମିଷ୍ଟାଫ ନେଇଛନ୍ତି।