ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଶାନ୍ତି ବୁଝାମଣା ପାଇଁ ଆଲୋଚନା ଚାଲିଥିଲେ ମଧ୍ୟ ଯୁଦ୍ଧବିରାମ ଲାଗି ପାରୁନାହିଁ । ଏହାରି ଭିତରେ ଋଷ୍ ଉପରେ ବଡ଼ ହମଲା କରିଛି ୟୁକ୍ରେନ୍ ସେନା । କିଛି ଦିନ ପୂର୍ବରୁ କୀବ୍ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇଛି । ଗତକାଲି ରାତିରେ ଜେଲେନସ୍କି ସେନା ପ୍ରଚଣ୍ଡ ପ୍ରହାର କରିଛି । ଋଷ୍ ରାଜଧାନୀ ମସ୍କୋ ଉପରେ ପ୍ରାୟ ୩୩୦ଶହରୁ ଅଧିକ ଡ୍ରୋନ୍ ମାଡ଼ କରିଛି । ଦୁଇ ଦେଶ ମଧ୍ୟରେ ତିନି ବର୍ଷ ହେଲା ଲାଗି ରହିଥିବା ଯୁଦ୍ଧରେ ଏହା ସବୁଠାରୁ ବଡ଼ ହମଲା ବୋଲି କୁହାଯାଉଛି ।
ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ, ୟୁକ୍ରେନ୍ ସେନା ବିଶେଷ କରି ରାଜଧାନୀ ମସ୍କୋକୁ ଟାର୍ଗେଟ୍ କରି ଘନ ଘନ ଡ୍ରୋନ୍ ମାଡ଼ କରିଛି । ଋଷ୍ ସେନା ପ୍ରାୟ ୯୧ ଡ୍ରୋନକୁ ଆକାଶମାର୍ଗରୁ ମାରି ଖସାଇ ଦେଇଛି । ଏହାଛଡ଼ା ୟୁକ୍ରେନ ସୀମାକୁ ଲାଗି କରିଥିବା କୁର୍କ କ୍ଷେତ୍ରରେ ୧୨୬ ଡ୍ରୋନକୁ ଅଟକାଇଛି ଋଷର ଆଣ୍ଟି ବାଲଷ୍ଟିକ୍ ମିସାଇଲ୍ ସିଷ୍ଟମ । ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନ ଏହି ଏୟାର ଷ୍ଟ୍ରାଇକ୍ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଡ୍ରୋନ୍ ମାଡ଼ରେ ଏକାଧିକ ବିଲ୍ଡିଂ ମାଟି ସମାଧି ନେଇଛି ବୋଲି ସ୍ଥାନୀୟ ମେୟର କହିଛନ୍ତି ।
ଋଷ୍ ସେନା କୀବ୍ ଉପରେ କରିଥିବା ପ୍ରହାରର ଜବାବ ଦେଇଛି ୟୁକ୍ରେନ । ମଙ୍ଗଳବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଋଷ୍ ସେନା ପ୍ରଥମେ ଆକ୍ରମଣ କରିଥିଲା । ବାଲଷ୍ଟିକ୍ ମିସାଇଲ୍ ମାଡ଼ କରିଥିବା ଅଭିଯୋଗ ପରେ ଏହି ଡ୍ରୋନ୍ ଆକ୍ସନ ହୋଇଛି ।
ସଉଦୀ ଆରବରେ ତୁଟିବ ବୁଝାମଣା?
ସୂଚନା ଅନୁଯାୟୀ, ଋଷ୍ ସୀମାରୁ ଶତାଧିକ କି.ମି ଭିତରେ ପଶି ଆକ୍ରମଣ କରିଛି ଯୁକ୍ରେନ ସେନା । ଏହି ଆକ୍ରମଣ ଏଭଳି ସମୟରେ ହୋଇଛି, ଯେଉଁ ସମୟରେ ଦୁଇ ଦେଶ ମଧ୍ୟରେ ଶାନ୍ତି ବୁଝାମଣା ନେଇ ଆମେରିକା ଆଗଭର ହୋଇଛି । ଯୁଦ୍ଧବିରାମ ପାଇଁ ଚେଷ୍ଟା ଚାଲୁଥିବା ବେଳେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ମଙ୍ଗଳବାର ସାଉଦୀ ଆରବରେ ହେବାକୁ ଥିବା ବୈଠକରେ ୟୁକ୍ରେନ, ଋଷ୍ ଓ ଆମେରିକାର ଅଧିକାରୀମାନେ ସାମିଲ୍ ହେବେ । ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି ।...