କୁଲଗାମ ୨୬।୪:ଜମ୍ମୁ-କାଶ୍ମୀର କୁଲଗାମରେ ପୋଲିସ ଓ ସିଆରପିଏଫ ମିଳିତ ଚଡଉ କରି ଆତଙ୍କବାଦୀଙ୍କ ୨ ଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମଧ୍ୟ ଜବତ ହୋଇଛି। ଅଧିକାରୀକ ବୟାନ ଅନୁସାରେ କେମୋହ ର ମଟଲାହାମା ଚୌକରେ ଯାଞ୍ଚ କାଳରେ ୨ ଜଣ ଲୋକଙ୍କୁ ରୋକା ଯାଇଥିଲା ଓ ପରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ବିଲାବଲ ଅହମଦ ଭଟ୍ଟ ଓ ମହମଦ ଇସ୍ମାଇଲ ଭଟ୍ଟ ଭାବେ ଚିହ୍ନଟ କରାଯାଇଛି।
ଉଭୟ ଥୋକେରପାରାର ବାସିନ୍ଦା ଓ ଯାଞ୍ଚ ସମୟରେ ସୁରକ୍ଷା ବଳ ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୨ଟି ପିସ୍ତଲ ମ୍ୟାଗଜିନ ସମେତ ୨୫ ରାଉଣ୍ଡ ପିସ୍ତଲ ଗୁଳି ଓ ଗୋଳାବାରୁଦ ଜବତ କରିୁଛନ୍ତି । କେମୋହ ପୋଲିସ ଥାନାରେ ଏ ନେଇ ବିଭିନ୍ନ ଧାରାରେ ମକଦ୍ଦମା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ପଚରା ଉଚରା କରାଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅଧିକାରୀମାନେ ଏବେ ଆକ୍ସନ ମୋଡରେ ଥିବା ବେଳେ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହେଉଛି।
ଏହି କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀଙ୍କ ଘର ଉପରେ ବୁଲଡୋଜର ଚଳାଯାଇଥିବା ବେଳେ ସେମାନଙ୍କ ଠିକଣା ଉପରେ ଚଢଉ କରି ଶତାଧିକ ଲୋକଙ୍କୁ ସନ୍ଦେହରେ ଗିରଫ କରାଯାଇଛି। ଅଧିକାରୀଙ୍କ ଅନୁସାରେ ସୁରକ୍ଷା ବଳ ଏବେ କାଶ୍ମୀର ଘାଟିର ସବୁ ସ୍ଥାନରେ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କୁ ତଲାସ କରୁଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗତ ୪୮ ଘଣ୍ଟାରେ ୫ ଆତଙ୍କବାଦୀ ଓ ସେମାନଙ୍କ ସହଯୋଗୀଙ୍କ ଘର ମାଟିରେ ମିଶାଇ ଦିଆଯାଇଛି।
ଅନନ୍ତନାଗ ଜିଲ୍ଲା ବିଜବେହରା ଅଞ୍ଚଳର ଆତଙ୍କବାଦୀ ଆଦିଲ ଥୋକର ଓ ପୁଲବାମା ଜିଲ୍ଲା ତ୍ରାଲ ଅଞ୍ଚଳର ଆତଙ୍କବାଦୀ ଆସିଫ ଶେଖ ଘରେ ବିସ୍ଫୋରଣ ହୋଇଥିଲା। ଫଳରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଥୋକର ପହଲଗାମ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ବେଳେ ତ୍ରାଲର ଶେଖ ଏହି ଆକ୍ରମଣର ଷଡ଼ଯନ୍ତ୍ରକାରୀ ବୋଲି କୁହାଯାଉଛି।