ଅଟୋ-ସ୍କର୍ପିଓ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | February 11, 2025 IST

ବାରିପଦା ୧୧।୦୨ : ଦୁର୍ଘଟଣା ନେଲା ଆଉ ଦୁଇ ଜୀବନ । ସୋମବାର ଭୁବନେଶ୍ୱରରେ ଅଟୋ-କାର୍‌ ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବାରିପଦାରେ ଅଟୋ-ସ୍କର୍ପିଓ ମୁହାଁମୁହିଁ ଧକ୍କାରେ ଚାଲିଯାଇଛି ଦୁଇ ଜୀବନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥର ମଞ୍ଚାବନ୍ଧା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । 

ଖବର ଅନୁଯାୟୀ, ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ନିକଟରେ ଏକ ବ୍ୟାଟେରୀ ଚାଳିତ ଅଟୋକୁ ଜୋରଦାର ଧକ୍କା ଦେଇଛି । ଯାହାଫଳରେ ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହିତ ଆଉ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ହସ୍ପିଟାଲକୁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । 

ଅନ୍ୟପଟେ ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଟଙ୍କପାଣି ସାଇମନ୍ଦିର ନିକଟରେ ଏକ କାର୍‌ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । କାର୍‌ଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି । ବାକି ବାଇକ୍‌ରେ ଥିବା ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର କୌଣସି ପରିଚୟ ମିଳିନାହିଁ । ପୋଲିସର ପ୍ରାଥମିକ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.