କର୍ଣ୍ଣାଟକ ୦୭/୦୬: ଚିନ୍ନାସ୍ବାମୀ ଷ୍ଟାଡିୟମ ଦଳାଚକଟା ଘଟଣାରେ ବଡ ଟ୍ୱିଷ୍ଟ । କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସମ୍ପାଦକ ଏ ଶଙ୍କର ଏବଂ କୋଷାଧ୍ୟକ୍ଷ ଇଏସ ଜୟରାମ ଇସ୍ତଫା ଘୋଷଣା କରିଛନ୍ତି । ଉଭୟ ନୈତିକ ଦୃଷ୍ଟିର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଦଳାଚକଟା ମାମଲାରେ, ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କ ସମେତ ଚାରି ଜଣଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା ।
ସୋସାଲେଙ୍କ ବ୍ୟତୀତ, ଡିଏନଏ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡର ସୁନୀଲ ମାଥ୍ୟୁ, ସୁମନ୍ତ ଏବଂ କିରଣ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସୋସାଲେ ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହି କର୍ଣ୍ଣାଟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।
also read..
ବେଙ୍ଗାଲୁରୁ ଦଳଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ
ସୂଚନା ଥାଉକି, ଜୁନ୍ ୪ ବୁଧବାର ଦିନ ବେଙ୍ଗାଲୁରୁରେ ଆରସିବି ବିଜୟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହି ସମୟରେ, ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଅପ୍ରୀତିକର ଘଟଣା ଘଟିଥିଲା ଏବଂ ଦଳାଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ, ଆରସିବି, କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଫାର୍ମ ଡିଏନଏ ଏଣ୍ଟରଟେନମେଣ୍ଟ ନେଟୱାର୍କସ୍ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରାଯାଇଥିଲା ।
ଏଫଆଇଆର ପଞ୍ଜିକୃତ ହେବା ପରେ, କେଏସସିଏ ଏବଂ ଆରସିବି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପକ୍ଷରେ, କର୍ଣ୍ଣାଟକ ହାଇକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରି ସବୁ ପରିସ୍ଥିତି ଉପରେ ରିପୋର୍ଟ ମାଗିଥିଲେ । ହାଇକୋର୍ଟ ପରବର୍ତ୍ତୀ ଜୁନ୍ ୧୦ରେ ମାମଲାର ଶୁଣାଣି କରିବେ ।