ଛତିଶଗଡ଼ ୨୬।୦୬ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନ୍କାଉଣ୍ଟର । ପୋଲିସ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ। ଯେଉଁଥିରେ ୨ ଜଣ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।ଶେଷରେ ସୁବିଧା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ମାଓବାଦୀ । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପରେ ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ମୃତଦେହ ମିଳିଛି । ଯାହାପରେ ପୋଲିସ ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।