King On Fore : ୩୭ବର୍ଷରେ ବି ଜବରଦସ୍ତ ଫର୍ମରେ କିଙ୍ଗ୍ କୋହଲି , ତାଙ୍କୁ ରୋକିବ କିଏ ?

NEWS7
tv-channel-rates-will-increase-soon

ନୂଆଦିଲ୍ଲୀ : କିଙ୍ଗ୍ ଅନ ଫାୟାର... ବିରାଟ କୋହଲି କେତେ ଦିନ ପର୍ଯ୍ୟନ୍ତ ଖେଳିବେ ତାହା ପ୍ରଶ୍ନ ନୁହେଁ, ପ୍ରଶ୍ନ ହେଉଛି ତାଙ୍କୁ ରୋକିବ କିଏ ? କାରଣ ଏବେବି ମଇଦାନରେ ଗର୍ଜୁଛି ତାଙ୍କ ବ୍ୟାଟ୍। ୟଙ୍ଗ୍ ପ୍ଲେଆର ତାଙ୍କ ଆଗରେ ଫିକା। ଚୌକା , ଛକାରେ କମ୍ପୁଛି ଷ୍ଟାଡ଼ିଅମ୍... ୩୭ବର୍ଷରେ ବି ତାଙ୍କ ଜଲୱା ବେମିସାଲ୍..

କ୍ରିକେଟରେ ରିଟାୟରକୁ ନେଇ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ବୟସ । ୩୦ ପରେ ଫିଟନେସ୍, 35 ପରେ ରିଫ୍ଲେକ୍ସ ଏବଂ ୩୭ ପରେ ଫ୍ୟୁଚର...କିନ୍ତୁ ବିରାଟ ଏସବୁରୁ ଅଛନ୍ତି ଉର୍ଦ୍ଧ୍ଵରେ । ବିରାଟ କୋହଲି ବର୍ଷ ବର୍ଷ ଦମଦାର ପ୍ରଦର୍ଶନ କରିବା ସହ ନିଜର ଫିଟନେସ୍ ଏମିତି ରଖିଛନ୍ତି, ଯାହା ଯୁବ ଖେଳାଳିଙ୍କ ପାଇଁ ପାଲଟିଛି ଉଦାହରଣ । ୩୭ବର୍ଷୀୟ କିଙ୍ଗଙ୍କ ବ୍ୟାଟ୍ ଆଜି ବି ସେହି ଆତ୍ମବିଶ୍ୱାସ ସହ ଚାଲୁଛି ଯେମିତି ସେ ନୀଳ ଜର୍ସି ପିନ୍ଧି ପ୍ରଥମ ଥର ପଡ଼ିଆକୁ ଓହ୍ଲାଇଥିଲେ। ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀ ପାଇଁ ପଡ଼ିଆକୁ ଓହ୍ଲାଇ କୋହଲି ସ୍ପଷ୍ଟ କରି ଦେଇଛନ୍ତି ଯେ ଘରୋଇ କ୍ରିକେଟ୍ ତାଙ୍କ ପାଇଁ କମ୍ପର୍ଟ ଜୋନ୍ ନୁହେଁ। ଶୁକ୍ରବାର, ଡିସେମ୍ବର 26 ତାରିଖରେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ୍ ଏକ୍ସଲେନ୍ସି, ଗ୍ରାଉଣ୍ଡ 1 ରେ ଗୁଜରାଟ ବିପକ୍ଷରେ 61 ବଲ୍ରେ ଖେଳିଛନ୍ତି 77 ରନର ଇନିଂସ। ତାଙ୍କ ପାଇଁ ଏହା କେବଳ ଅର୍ଦ୍ଧଶତକ ନଥିଲା ବରଂ ଏହା ଅନ୍ତର୍ଜାତୀୟ କ୍ରିକେଟର ସର୍ବୋଚ୍ଚ ସ୍ତରରେ ଥିଲା ଜବରଦସ୍ତ ଅଭିଜ୍ଞତାର ପ୍ରଦର୍ଶନ ।

ଡିସେମ୍ବର 24ରେ, କୋହଲି ବିଜୟ ହଜାରେ ଟ୍ରଫିରେ ଆନ୍ଧ୍ର ବିପକ୍ଷରେ ଏକ ଇନିଂସ ଖେଳିଥିଲେ ଯାହା ଟୁର୍ଣ୍ଣାମେଣ୍ଟର ରୂପ ବଦଳାଇ ଦେଇଥିଲା। କ୍ଲାସିକ୍ କଭର ଡ୍ରାଇଭ୍, ସଠିକ୍ ପୁଲ ସହ 101 ବଲ୍ ରୁ 131 ରନର ଶତକୀୟ ଇନିଂସ ଦର୍ଶାଉଛି ଯେ କୋହଲି ଏବେ ବି ଜଣେ ମ୍ୟାଚ୍ ଓ୍ଵିନର ଖେଳାଳି। ଯେ କୌଣସି ବି ସ୍ଥିତି ହେଉ ନା କାହିଁକି ଇନିଂସ କେମିତି ଗଢାଯାଏ ଏବଂ ମ୍ୟାଚ୍ କେମିତି ଜିତାଯାଏ ତାର ବିନ୍ଧାଣୀ ହେଉଛନ୍ତି କିଙ୍ଗ୍ କୋହଲି। ଯଦି ଆମେ ବିରାଟ କୋହଲିଙ୍କ ଶେଷ ଛଅ ଇନିଂସକୁ ଦେଖିବା ଏଥିରୁ ଗୋଟିଏ କଥା ସ୍ପଷ୍ଟ, ବିରାଟ କୋହଲି ସଂପ୍ରତି ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟିଂରେ ସ୍ଥିରତା ଝଲସିବା ସହ ରନ କରିବାର ଭୋକ ଏବେ ବି ରହିଛି। ଆଉ ଏମିତି ହିଁ ଆଭିମୁଖ୍ୟ ହେଉଛି ବିରାଟ କୋହଲିଙ୍କ ପ୍ରକୃତ ପରିଚୟ।

ଡିସେମ୍ବର ୨୬ରେ ଦିଲ୍ଲୀ ବନାମ ଗୁଜରାଟ ମ୍ୟାଚରେ କୋହଲି ୬୧ ବଲରୁ ଖେଳିଛନ୍ତି ୭୭ ରନର ଇନିଂସ। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ବିପକ୍ଷ ମୁକାବିଲାରେ ୧୦୧ ବଲରୁ ଖେଳିଛନ୍ତି ୧୩୧ ରନର ଦମଦାର ଶତକୀୟ ଇନିଂସ। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରିଥିଲେ। ପ୍ରଥମ ଦିନିକିଆରେ ୧୩୫ ରନ, ଦ୍ଵିତୀୟ ଦିନିକିଆରେ ୧୦୨ ରନ ଓ ତୃତୀୟ ଦିନିକିଆରେ ଅପରାଜିତ ୬୫ ରନ କରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ସିଡନୀରେ ଖେଳା ଯାଇଥିବା ଶେଷ ଦିନିକିଆରେ ଅପରାଜିତ ୭୪ ରନ୍ କରି ଫର୍ମରେ ଥିବା ଦର୍ଶାଇଥିଲେ।

ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଖେଳିବା କେବଳ ଦିଲ୍ଲୀ ଟିମ୍ ପାଇଁ ବୋନସ୍ ନୁହେଁ ବରଂ ଏହା ସମଗ୍ର ଟୁର୍ଣ୍ଣାମେଣ୍ଟର ମାନକୁ ବଢାଇ ଦେଉଛି। ଯୁବ ଖେଳାଳିମାନେ ତାଙ୍କ ସହିତ ଡ୍ରେସିଂ ରୁମ୍ ସେୟାର କରୁଛନ୍ତି। ପଡ଼ିଆରେ ତାଙ୍କୁ ଅନୁକରଣ କରନ୍ତି ଏବଂ ବଡ଼ ମ୍ୟାଚ୍ କିପରି ଖେଳାଯାଏ ତାଙ୍କଠୁ ଶିଖୁଛନ୍ତି। କୋହଲି କେବଳ ରନ ସ୍କୋର କରୁନାହାଁନ୍ତି ବରଂ ଘରୋଇ କ୍ରିକେଟକୁ ସେହି ସମ୍ମାନ ଦେଉଛନ୍ତି ଯାହା ବିଜୟ ହଜାରେ ଟ୍ରଫିର ମର୍ଯ୍ୟାଦାକୁ ବଢାଇ ଦେଇଛି। କୋହଲି ଆଉ କେବଳ ରେକର୍ଡର ପିଛା କରୁନାହାଁନ୍ତି। ସେ ଏପରି ଏକ ଯୁଗରେ ଖେଳୁଛନ୍ତି ଯେଉଁଠାରେ ତାଙ୍କର ଅଭିଜ୍ଞତା, ଫିଟନେସ୍ ଏବଂ ମାନସିକ ଶକ୍ତି ରହିଛି ବହୁ ଉଚ୍ଚରେ । ଏହି କାରଣରୁ ଆଜି ତାଙ୍କର ଇନିଂସ ଅଧିକ ପରିପକ୍ଵ, ଅଧିକ ପ୍ରଭାବଶାଳୀ ଏବଂ ଅଧିକ ନିର୍ଣ୍ଣାୟକ ଦେଖାଯାଉଛି।

ବିଜୟ ହଜାରେ ଟ୍ରଫିରେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ନିରନ୍ତର ପ୍ରଦର୍ଶନ, ଆମକୁ ପୁଣି ଥରେ ମନେ ପକାଇ ଦେଉଛି ଯେ ବିରାଟ କୋହଲି ଏବେ ବି ପ୍ରସ୍ତୁତ ନାହାଁନ୍ତି ଅବସର ନେବାକୁ । ସେ ଏବେ ବି ବ୍ୟାଟରେ ରଚୁଛନ୍ତି ରେକର୍ଡ ....ଏବଂ ପ୍ରତ୍ୟେକ ଇନିଂସ ସହିତ ତାଙ୍କ କାହାଣୀରେ ଯୋଡୁଛନ୍ତି ଏକ ନୂଆଅଧ୍ୟାୟ ।