ଡୋନାଲ୍ଡ ଟ୍ରମ୍ପଙ୍କ ବଡ ନିଷ୍ପତ୍ତି, ଆମେରିକାରେ ଇସ୍ପାତ ଆମଦାନୀ ଉପରେ ଲାଗୁହେବ ଦୁଇଗୁଣା ଶୁଳ୍କ

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ ୩୧/୦୫: କୋର୍ଟଙ୍କ ରୋକ୍ ପରେ ବି ଟ୍ରମ୍ପଙ୍କ ଟାରିଫ୍‌ ପ୍ଲାନ୍ ବନ୍ଦ ହେଉନାହିଁ । ବିଦେଶରୁ ଆମେରିକା ଆସୁଥିବା ଷ୍ଟିଲ ଉପରେ ଡ଼ବଲ୍ ଟାରିଫ୍ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଷ୍ଟିଲ ଉପରେ ଟାରିଫ୍ ୨୫ ପ୍ରତିଶତରୁ ବଢାଇ ୫୦ ପ୍ରତିଶତ ଲାଗୁ ପାଇଁ ବଡ଼ ଘୋଷଣା କରିଛନ୍ତି । ଜୁନ୍‌ ୪ରୁ ଏହା ଲାଗୁ ହେବ । 

ଟ୍ରମ୍ପ ଏମିତି ସମୟରେ ଏହା ଘୋଷଣା କରିଛନ୍ତି ଯେବେ ଆମେରିକା-ଚୀନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଟେକ୍ନୋଲୋଜି ବ୍ୟବସାୟକୁ ନେଇ ସମସ୍ୟା ଦେଖାଦେଇଛି । ଚୀନର ଷ୍ଟିଲ ଉପରେ ଆମେରିକାର ଭବିଷ୍ୟତ ନିର୍ଭର କରିବ ନାହିଁ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଷ୍ଟିଲ ଉପରେ ଟାରିଫ୍ ବଢାଇବାର ନିଷ୍ପତି ଟ୍ରମ୍ପ ଏଥିପାଇଁ ନେଲେ କାରଣ, ସେ ଘରୋଇ ଷ୍ଟିଲ ଉତ୍ପାଦ ବୃଦ୍ଧି କରିବାକୁ ଚାହାଁନ୍ତି । ଏହାଛଡ଼ା ଆମେରିକା ନିର୍ମାଣ ଉଦ୍ୟୋଗକୁ ମଜବୁତ କରିବାକୁ ଚାହାଁନ୍ତି । 

ଚୀନ ଉପରେ ଆମେରିକା ବ୍ୟବସାୟିକ ଚାପ ପକାଇ ରଖିବାକୁ ତାକୁ ଆର୍ଥିକ ଜଖମ ଦେବାକୁ ଚାହେଁ ଆମେରିକା । ଟାରିଫ୍ ବଢାଇବା ପଛରେ ୟୁଏସ ଷ୍ଟିଲ-ନିପ୍ପନ ଡ଼ିଲକୁ ମଜବୁତ କରିବାକୁ ପ୍ରୟାସ କରାଯାଉଛି । ୨୦୧୮ରେ ପ୍ରଥମ ଥର ପାଇଁ ଷ୍ଟିଲରେ ଟାରିଫ୍ ଲାଗୁ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ ଷ୍ଟିଲ ଦର ପ୍ରାୟ ୧୬ ପ୍ରତିଶତ ବଢିଥିଲା । ସେପଟେ ଟ୍ରମ୍ପଙ୍କ ଯେସାକୁ ତେସା ଟାରିଫ୍‌ ଉପରେ ରୋକ୍‌ ଲଗାଇଥିଲେ ଆମେରିକା କୋର୍ଟ । 

ଟ୍ରମ୍ପଙ୍କ ଟାରିଫ୍‌ ବେଆଇନ୍‌ ଓ ଅବୈଧ । ବିଭିନ୍ନ ଦେଶ ଉପରେ ମୋଟା ଟାରିଫ୍ ଘୋଷଣା କରି ଟ୍ରମ୍ପ ନିଜ ସାମ୍ବିଧାନିକ ଅଧିକାରର ସୀମା ଉଲ୍ଲଂଘନ କରିଛନ୍ତି । ଆପାତକାଳୀନ ଆଇନ୍‌ର ଦୂରୁପଯୋଗ କରିଛନ୍ତି ବୋଲି କହିଥିଲେ ୟୁଏସ୍‌ କୋର୍ଟ ଅଫ୍ ଇଣ୍ଟରନ୍ୟାସ୍‌ନାଲ ଟ୍ରେଡ୍‌ । ଆମେରିକା ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିଲା । ବିଶ୍ୱ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.