ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ଉପରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଟ୍ରମ୍ପ ଶୁକ୍ରବାର କହିଛନ୍ତି ଯେ ପୁଟିନଙ୍କ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଆଲୋଚନା ବେଳେ ୟୁକ୍ରେନ ସୈନିକଙ୍କୁ କ୍ଷମା କରିବା ପାଇଁ ଅନୁରୋଧ କରିଛି । ଟ୍ରମ୍ପ ନିଜେ ସୋସିଆଲ୍ ମିଡିଆରେ ଏହି ଘୋଷଣା କରିଛନ୍ତି ।
ଟ୍ରୁଥରେ ସେ ଲେଖିଛନ୍ତି, 'ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭଲ ଓ ସାର୍ଥକ ଚର୍ଚ୍ଚା ହୋଇଛି । ଏହି ଭୟାନକ ଓ ରକ୍ତାକ୍ତ ଯୁଦ୍ଧ ଖୁବଶୀଘ୍ର ଶେଷ ହୋଇପାରେ । ବର୍ତ୍ତମାନ ହଜାର ସଂଖ୍ୟାରେ ୟୁକ୍ରେନୀ ସୈନିକଙ୍କୁ ରୁଷ ସେନା ଘରି ରହିଛନ୍ତି ଓ ସେମାନେ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛନ୍ତି । ସେମାନଙ୍କୁ ନମାରିବା ପାଇଁ ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ଅପିଲ୍ କରିଛି । ଏହା ଏକ ଭୟଙ୍କର ନରସଂହାର ହେବ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କେବେ ଘଟିନାହିଁ । ଭଗବାନ ସମସ୍ତଙ୍କ ରକ୍ଷା କରନ୍ତୁ ।'
ଏହା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧବିରତି ଉପରେ ପୁଟିନଙ୍କ ସ୍ପଷ୍ଟ ଅଭିମୁଖ୍ୟ ନଥିବା ଦର୍ଶାଇ କହିଥିଲେ ଯେ ରୁଷ ଏହି ମାମଲାରେ ଚତୁରତା ଦେଖାଉଛି । ଜେଲେନସ୍କି ଅଭିଯୋଗ କରିଥିଲେ ଯେ ପୁଟିନ ବାସ୍ତବରେ ଯୁଦ୍ଧବିରତି ଚାହୁଁନାହାନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତିଙ୍କୁ ଏହା କହିବାକୁ ସାହାସ ଦେଖାଉନାହାନ୍ତି । ଜେଲେନସ୍କି କହିଛନ୍ତି ଯେ ପୁଟିନ ମନା କରିବା ରଣନୀତି ଉପରେ କାମ କରୁଛନ୍ତି ଓ ଟ୍ରମ୍ପଙ୍କୁ ସିଧାସଳଖ ଏହା କହିବାକୁ ଭୟ କରୁଛନ୍ତି ।
ରୁଷ ଏପର୍ଯ୍ୟନ୍ତ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଏବଂ କୌଣସି ବଡ଼ ଚୁକ୍ତିର ସୂଚନା ଦେଇନାହିଁ । ୟୁକ୍ରେନ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ଉପରେ ନିରନ୍ତର ଚାପ ପ୍ରୟୋଗ କରୁଛନ୍ତି । ସେପଟେ ଟ୍ରମ୍ପ ନିରନ୍ତର ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି । ନିକଟରେ, ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କର ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପୁଟିନଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଅନୁରୋଧ ପରେ ଏହା ଦେଖିବାକୁ ବାକି ରହିଲା ଯେ, ଯୁଦ୍ଧ ବନ୍ଦ ହେବ ନା ଏଭଳି ସ୍ଥିତି ଜାରି ରହିବ ।