ଅପରେସନ ସିନ୍ଦୂରକୁ ନେଇ ବଡ ଖୁଲାସା, ଭାରତର ବ୍ରହ୍ମୋସ ଆକ୍ରମଣରେ ଡରି ଯାଇଥିଲେ ଟ୍ରମ୍ପ

Published By : Prameya-News7 Bureau | August 06, 2025 IST

ୱାସିଂଟନ ୬।୮: ଆମେରିକୀୟ ସମ୍ବାଦପତ୍ର ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲୁଏସଜେ)ର ଏକ ରିପୋର୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଅପରେସନ ସିନ୍ଦୂର ଯୋଗୁ ଆମେରିକା ରାଷ୍ଟ୍ରପତି ଡରି ଯାଇଥିଲେ। ବିଶେଷ କରି ବ୍ରହ୍ମୋସ ମିଜାଇଲକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ଭୟଭୀତ ଥିଲେ ବୋଲି ଏଥିରେ କୁହାଯାଇଛି। ଏହି ମିଜାଇଲକୁ ପାକିସ୍ତାନର ବାୟୁସେନା ଘାଟି ମାନଙ୍କ ଉପରେ ଆକ୍ରମଣ ପାଇଁ ଉପଯୋଗ କରିଥିଲା ଭାରତ।  

ଡବ୍ଲୁଏସଜେ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଅପରେସନ କାଳରେ ପାକିସ୍ତାନ ଭିତର ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦି ପାଇଁ ଭାରତ ବ୍ରହ୍ମୋସ କ୍ରୁଜ ମିଜାଇଲ ବ୍ୟବହାର କରିଥିବା ଆମେରିକାକୁ ଗୁଇନ୍ଦା ସୂଚନା ମିଳିଥିଲା । ତେବେ ଆମେରିକାର ଡର ଥିଲା ଯେ ଯଦି ଏହି ଯୁଦ୍ଧ ଦୀର୍ଘ ହୁଏ ଅଥବା ଜଟିଳ ହୁଏ ଭାରତ ତାର ଲକ୍ଷ୍ୟ ସାଧାନ ପାଇଁ ବ୍ରହ୍ମୋସ ମିଜାଇଲକୁ ପରମାଣୁ ଅସ୍ତ୍ରରେ ରୂପାନ୍ତରିତ କରିପାରେ। 

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର କିଛି ଏବେକା ଓ କିଛି ପୂର୍ବ ଅଧିକାରୀଙ୍କ ସୂତ୍ରୁରୁ ଏହି ରିପୋର୍ଟରେ ଦାବି କରାଯାଇଛି ଯେ ବ୍ରହ୍ମୋସ ମିଜାଇଲ ଯାହାକୁ ଭାରତ ଓ ଋଷିଆ ମିଳିତ ବିକଶିତ କରିଛନ୍ତି ତାହା ପରମାଣୁ ୱାରହେଡ ପରିବହନ ଲାଗି ସକ୍ଷମ। ରିପୋର୍ଟରେ ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ‘ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଡର ଥିଲା ଯେ ଯଦି ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଚାଲିଯାଏ ତେବେ ଭାରତ କୌଣସି ଏକ ମିଜାଇଲକୁ ପରମାଣୁ ଶକ୍ତି ସମ୍ପନ୍ନ କରିପାରେ ଅଥବା ପାକିସ୍ତାନ ନିଜ ପରମାଣୁ ଅସ୍ତ୍ର ଉପଯୋଗ କରିବାକୁ ଚିନ୍ତା କରିପାରେ।’

ଏଣୁ ଟ୍ରମ୍ପ ଉପରାଷ୍ଟ୍ରପତି ଜେ.ଡି ଭେନ୍ସ ଓ ବିଦେଶ ସେକ୍ରେଟାରୀ ମାର୍କୋ ରୁବିୟୋଙ୍କୁ ସେମାନଙ୍କ ସମକକ୍ଷଙ୍କ ସହ ଆଲୋଚନା କରିବାକୁ ପ୍ରୋତ୍ସାହିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଅପରେସନ ସିନ୍ଦୂର କାଳରେ ପାକିସ୍ତାନୀ ସେନାର ଆକ୍ରମଣ ପରେ ଭାରତ ଅନୁନ୍ୟ ୧୫ଟି ମିଜାଇଲ ପାକିସ୍ତାନ ଏୟାରଫୋର୍ସର ଏୟାର ବେସ୍ ଉପରକୁ ମାଡ଼ କରିଥିଲା। ଏଥିରେ ପାକିସ୍ତାନ ଗୋଟିଏ ବି ବ୍ରହ୍ମୋସକୁ ଇଣ୍ଟରସେପ୍ଟ କରିପାରିନଥିଲା ଓ ଏହାର ୧୧ଟି ବାୟୁସେନା ଘାଟି ଉପରେ ଭାରତର ବ୍ରହ୍ମୋସ୍ ମିଜାଇଲ ପଡିଥିଲା। 

ଭାରତର ବ୍ରହ୍ମୋସ ଆକ୍ରମଣର ୩ ମାସ ପରେ ମଧ୍ୟ ପାକିସ୍ତାନର କେତେକ ଏୟାରବେସ୍ ଅପରେସନାଲ ହୋଇ ପାରିନାହାନ୍ତି ଓ ପାକିସ୍ତାନ ଏହି ସବୁ ଏୟାରବେସର ମରାମତି ଲାଗି ବାରମ୍ବାର ନୋଟମ ଜାରି କରୁଛି। ତେବେ ଭାରତ ଏପର୍ଯ୍ୟନ୍ତ ଦାବି କରୁଛି ଯେ ବ୍ରହ୍ମୋସ ସୁପସୋନିକ କ୍ରୁଜ ମିଜାଇଲ ଏକ ପାରମ୍ପରିକ ଅସ୍ତ୍ର ପ୍ରଣାଳୀ ଓ ଏହାକୁ ଭାରତୀୟ ସେନାର ଆର୍ଟିଲେରୀ ରେଜିମେଣ୍ଟ, ବାୟୁସେନା ଏବଂ ନୌସେନା ଅପରେଟ କରୁଛି। ଏହି ମିଜାଇଲ ଯାହା ଦେଶର ପରମାଣୁ ଶସ୍ତ୍ରାଗାର ପ୍ରବନ୍ଧନ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସଏଫସି) ପ୍ରବନ୍ଧନ ଅନ୍ତର୍ଗତ ନୁହେଁ। 

ଭାରତର ନ୍ୟୁକ୍ଲିୟର କମାଣ୍ଡ ଯେଉଁଥିରେ ପରମାଣୁ ଅସ୍ତ୍ରଶସ୍ତ୍ର ରକ୍ଷଣାବେକ୍ଷଣ ହୁଏ ଏଥିରେ ବ୍ରହ୍ମୋସ ମିଜାଇଲ ଭଣ୍ଡାର ସାମିଲ ନୁହେଁ। ଏହି ମିଜାଇଲକୁ ୨୦୦ରୁ ୩୦୦ କେଜି ଓଜନର ପାରମ୍ପରିକ ୱାରହେଡ ପରିବହନ ଲାଗି ଡିଜାଇନ କରାଯାଇଛି ଏ ଏହା  ଏକ ଉଚ୍ଚ ସଠିକ ଅଣପରମାଣୁ ଅସ୍ତ୍ର ରୂପେ ଜଣାଯାଏ। ଡବ୍ଲୁଏସଜେ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଏହି ସଂଘର୍ଷକୁ ନେଇ ଏତେମାତ୍ରାରେ ଡରି ଯାଇଥିଲେ ଯେ ଏହା ଯେପରି ପରମାଣୁ ଯୁଦ୍ଧରେ ବଦଳି ନଯାଏ। 

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମୋସ ମିଜାଇଲ ଯାହାକୁ ଭାରତ ଓ ଋଷିୟା ମିଳିତ ନିର୍ମାଣ କରିଛନ୍ତି ବିଶ୍ୱର ଏକମାତ୍ର କ୍ରୁଜ ସୁପରସୋନିକ ମିଜାଇଲ ଯାହା ପାଖାପାଖି ମ୍ୟାକ୍ ୨.୮ ବେଗରେ ଗତି କରୁଛି। ଏହାକୁ ଭାରତର ବ୍ରହ୍ମପୁତ୍ର ଓ ଋଷିଆର ମସ୍କୋଭା ନଦୀ  ନାମ ଅନୁସାରେ ରଖା ଯାଇଛି। ଏହି ମିଜାଇଲକୁ ଭୂ ପୃଷ୍ଠ,, ସମୁଦ୍ର ଓ ଆକାଶରୁ ମଧ୍ୟ ବ୍ୟବହାର କରିହେବ। ‘ଫାୟର ଆଣ୍ଡ ଫର୍ଗେଟ’ ଟେକ୍ନୋଲଜିରେ ନିର୍ମିତ ଏହି ମିଜାଇଲ ବହୁତ ସଠିକ ଓ ଶତ୍ରୁର ରାଡାରକୁ ମଧ୍ୟ ଚକମା ଦେବାକୁ ସକ୍ଷମ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.