ନୂଆଦିଲ୍ଲୀ: ବାଣିଜ୍ୟ ଚୁକ୍ତି କର ନହେଲେ ଶୁଳ୍କ ଦିଅ ଏଭଳି ଚେତାବନୀ ଦେଇ ଟ୍ରମ୍ପ ବିଭିନ୍ନ ଦେଶକୁ ପଠାଇଥିବା ଚିଠିରେ ଏକାଧିକ ତ୍ରୁଟି ରହିଛି। ଯାହାକୁ ନେଇ ଅନେକ ଆମେରିକୀୟ ଆମେରିକାର ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଛନ୍ତି। ଟ୍ରମ୍ପ ତାଙ୍କ ଚିଠିରେ ଜଣେ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭୁଲ୍ ଲିଂଗଗତ ସମ୍ବୋଧନ କରିଛନ୍ତି।
ସୋମବାର ଆମେରିକା ରାଷ୍ଟ୍ରପତି ତାଙ୍କର ପୁରୁଣା ଶୈଳୀରେ ଏକାଧିକ ଦେଶଗୁଡ଼ିକୁ ଚେତାବନୀ ଦେଇ ଅନେକ ଚିଠି ପୋଷ୍ଟ କରିଥିଲେ। ବୋସନିଆ ଏବଂ ହର୍ଜେଗୋଭିନାର ପ୍ରେସିଡେନ୍ସି ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଏକ ଚିଠିରେ, ଟ୍ରମ୍ପ ଜେଲ୍ଜକା ସିଭିଜାନୋଭିକ୍ଙ୍କୁ "ପ୍ରିୟ ଶ୍ରୀ ରାଷ୍ଟ୍ରପତି" ବୋଲି ଉଲ୍ଲେଖ କରିଛନ୍ତି। ଜେଲ୍ଜକା ସିଭିଜାନୋଭିକ୍ ଜଣେ ମହିଳା ହୋଇଥିବା ବେଳେ ତାଙ୍କ ଶ୍ରୀ(ମିଷ୍ଟର) ବୋଲି ସମ୍ବୋଧନ କରିଥିଲେ ଟ୍ରମ୍ପ। ତେବେ ପରେ ଏହାକୁ ବଦଲାଇ ମ୍ୟାଡମ ପ୍ରେସିଡେଣ୍ଟ ବୋଲି ଲେଖାଯାଇଥିଲା। ଅଗଷ୍ଟ ୧ ତାରିଖରୁ ବୋସନିଆ ଏବଂ ହାର୍ଜେଗୋଭିନା ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗିବ ବୋଲି ଟ୍ରମ୍ପ କହିଥିଲେ।
କେବଳ ଏହି ଗୋଟିଏ ତ୍ରୁଟି ନୁହେଁ, ଜାପାନ ଓ ଦକ୍ଷିଣ କୋରିଆକୁ ପଠାଇଯାଇଥିବା ଚିଠିରେ ମଧ୍ୟ ଟ୍ରମ୍ପ ବ୍ୟାକରଣଗତ ତ୍ରୁଟି କରିଥିଲେ। ଯାହାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରମ୍ପକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି।
ସୋସିଆଲ୍ ମିଡିଆରେ ଜଣେ ଲେଖିଛନ୍ତି ଯେ ଜାପାନ ଏବଂ ଦକ୍ଷିଣ କୋରିଆକୁ ପଠାଯାଇଥିବା ଟ୍ରମ୍ପଙ୍କ ଟାରିଫ୍ ଚିଠିରେ ଗଡ଼ବଡ଼ ରହିଛି। ଅନିୟମିତ କ୍ୟାପ୍ସ, କୌଣସି ପଲିସ୍ ନାହିଁ, ସମ୍ପୂର୍ଣ୍ଣ ବିଶୃଙ୍ଖଳା। ଏହା ଜଣେ କିଶୋରର କ୍ରୋଧ ସମ୍ଭଳିତ ଲେଖା କିମ୍ବା ଜୁନିଅର ଷ୍ଟାଫଙ୍କ ପ୍ରଥମ ଡ୍ରାଫ୍ଟ ପରି ଦେଖାଯାଉଛି। ଏହା ହ୍ୱାଇଟ୍ ହାଉସ୍ କୂଟନୈତିକ ଡକ୍ୟୁମେଣ୍ଟ ନୁହେଁ। ସେହିପରି ଅନ୍ୟ ଜଣେ ଏହାର ଉତ୍ତର ଦେଇ ଲେଖିଛନ୍ତି ଭାଇ ତୁମର ଜଣେ କର୍ମଚାରୀଙ୍କୁ ଏହାକୁ ଲେଖିବାକୁ ଦିଅ। ଉଭୟ ଦେଶକୁ ପଠାଯାଇଥିବା ଚିଠି ସମାନ ଥିଲା, କେବଳ ଦେଶର ନାମ ଏବଂ ଚିଠି ଯେଉଁମାନଙ୍କୁ ପଠାଯାଇଛି ସେମାନଙ୍କ ନାଁ କେବଳ ଅଲଗା ଅଲଗା ଥିଲା।