ନୂଆଦିଲ୍ଲୀ: ରାଷ୍ଟ୍ରପତି ପୁଟିନଙ୍କୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ସହ ଶାନ୍ତି ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବାରେ ପୁଟିନ ବାଧା ସୃଷ୍ଟି କରୁଛନ୍ତି ଓ ଲଗାତାର ସୈନ୍ୟ କାର୍ଯ୍ୟାନୁଷ୍ଠାନ କରୁଛନ୍ତି । ଟ୍ରମ୍ପ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋଶଲରେ ପୋଷ୍ଟ କରି ଲେଖିଛନ୍ତି, 'ଭ୍ଲାଦିମିର ପୁଟିନ ବୁଝିପାରୁ ନାହାନ୍ତି ଯେ ଯଦି ମୁଁ ନଥାନ୍ତି, ତେବେ ରୁଷ ସହ ଏବେ ସୁଦ୍ଧା ଅନେକ ବଡ଼ ଅଘଟଣ ଘଟି ସାରିନ୍ତାଣି, ସତରେ ବହୁତ ଖରାପ । ସେ ନିଆଁ ସହ ଖେଳୁଛନ୍ତି ।'
ପୁଟିନ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ୟୁକ୍ରେନ ଉପରେ ରୁଷ ଏବେ ସୁଦ୍ଧା ସବୁଠୁ ବଡ଼ ଡ୍ରୋନ ଓ ମିସାଇଲ୍ ଆକ୍ରମଣ କରିଛି । ରୁଷ ଏଥର ୟୁକ୍ରେନର ସହରଗୁଡ଼ିକୁ ଟାର୍ଗେଟ୍ କରିଛି । ଏଥିରେ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
ପ୍ରଥମେ କ୍ରେମଲିନ୍ ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିବା ଟ୍ରମ୍ପ ଏବେ ରୁଷ ଉପରେ ନୂଆ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି । ଟ୍ରମ୍ପ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ ପୁଟିନଙ୍କ କାର୍ଯ୍ୟରେ ଖୁସି ନାହିଁ । ସେ ଅନେକ ଲୋକଙ୍କ ଜୀବନ ନେଉଛନ୍ତି । ପୁଟିନଙ୍କୁ କଣ ହୋଇଛି ଜଣାନାହିଁ ।'
ୟୁକ୍ରେନ ଅଧିକାରୀଙ୍କ ସୂଚନା ଅନୁସାରେ, ଶୁକ୍ରବାରରୁ ରବିବାର ମଧ୍ୟରେ ରୁଷ ପ୍ରାୟ ୯୦୦ ଡ୍ରୋନ ୟୁକ୍ରେନ ଉପରେ ମାଡ଼ କରିଛି । ରବିବାର ରାତିରେରେ ରୁଷ ଯୁଦ୍ଧର ତିନି ବର୍ଷ ଭିତରେ ସବୁଠୁ ବଡ଼ ଡ୍ରୋନ ଆକ୍ରମଣ କରିଥିଲା । ରୁଷ ଏକାସଙ୍ଗରେ ୩୫୫ ଡ୍ରୋନ୍ ୟୁକ୍ରେନ ଉପରେ ମାଡ଼ କରିଥିଲା । ଏହାପରେ ସୋମବାରରୁ ମଙ୍ଗଳବାର ମଧ୍ୟରେ ରୁଷ ଆହୁରି ୬୦ଟି ଡ୍ରୋନ ୟୁକ୍ରେନ ଉପରେ ମାଡ଼ କରିଥିଲା ।