ଭାରତ ଉପରେ ଶୁଳ୍କ ବଢ଼ାଇଲେ ଟ୍ରମ୍ପ: ଚୀନ ଠାରୁ ଅଧିକ ଶୁଳ୍କ ମାଡ଼ ସହିବ ଭାରତ

Published By : Prameya-News7 Bureau | August 06, 2025 IST

indiatoday

ନୂଆଦିଲ୍ଲୀ: ଋଷ ପାଇଁ ଭାରତ ଉପରେ ପୁଣି ଶୁଳ୍କ ଲଦିଲେ ଟ୍ରମ୍ପ। ବୁଧବାର ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫଳରେ ଭାରତର ମୋଟ ଆମେରିକୀୟ ଶୁଳ୍କ ୫୦ ପ୍ରତିଶତ ହୋଇ ଯାଇଛି। ଯାହା ଚୀନ ଠାରୁ ବି ଅଧିକ। କାରଣ ଆମେରିକା ସରକାର ଚୀନ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହା ଭାରତ ଠାରୁ ୨୦ ପ୍ରତିଶତ କମ ରହିଛି।

ଋଷ ଠାରୁ ତେଲ କିଣୁଥିବା ଯୋଗୁ ଭାରତ ଉପରେ ଏହି ଶୁଳ୍କ ଲାଗୁ କରାଯାଇଛି। ଏହା ପୂର୍ବରୁ ସୋମବାର ଟ୍ରମ୍ପ ଆମେରିକା ମିଡିଆ ସିଏନ୍‌ବିସିକୁ ପ୍ରତିକ୍ରିୟା ଦେଇ ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଥିଲେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମେ ଶୁଳ୍କ ବଢ଼ାଇବୁ ବୋଲି ଟ୍ରମ୍ପ କହିଥିଲେ। ସତକୁ ସତ ବୁଧବାର ଭାରତ ଉପରେ ଅତିରିକ୍ତ ବୋଝ ଲଦିଛନ୍ତି ମୋଦୀଙ୍କ ପରମ ମିତ୍ର କହି ଶତ୍ରୁତା ଦେଖାଉଥିବା ଟ୍ରମ୍ପ। ଶୁଳ୍କ ବୃଦ୍ଧି ନେଇ କାର୍ଯ୍ୟକାରୀ ନିର୍ଦ୍ଦେଶରେ ଟ୍ରମ୍ପ ବୁଧବାର ସାଇନ୍ କରିଛନ୍ତି। ଆଜି ଠାରୁ ୨୧ ଦିନ ପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ। ଅଗଷ୍ଟ ୨୭ ତରିଖରେ ନୂଆ ଶୁଳ୍କ ଲାଗୁ ହେବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି।

ବୁଧବାର ଟ୍ରମ୍ପ ସାଇନ କରିଥିବା ନିର୍ଦ୍ଦେଶନାମାରେ ୯ଟି ପ୍ରସଙ୍ଗ ରହିଛି। ଯେଉଁଥିରେ ଟ୍ୟାକ୍ସ ଲଗାଇବାର ପୃଷ୍ଠଭୂମି, ଶୁଳ୍କ, ଶୁଳ୍କର ପରିସର ଏବଂ ଷ୍ଟାକିଂ ଭଳି ବିଭିନ୍ନ ଦିଗର ବିବରଣୀ ଉଲ୍ଲେଖ କରାଯାଇଛି।

ଶୁଳ୍କ ଲାଗୁ କରିବାର କାରଣ ଦର୍ଶାଇ ଟ୍ରମ୍ପ ଆମେରିକାରେ ଏସମ୍ପର୍କିତ ଥିବା ନିୟମ ବିଷୟରେ ଉଲ୍ଲେଖ କରିଥିଲେ। ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ଆମେରିକାର ବୈଦେଶିକ ନୀତିକୁ ପ୍ରଭାବିତ କରିବା ପାଇଁ ଶକ୍ତି ଏବଂ ତୈଳ ସମେତ ରୁଷ ସାମଗ୍ରୀର ଆମଦାନୀକୁ ସୀମିତ କରିବା ପାଇଁ ଆମେରିକାରେ ବିଭିନ୍ନ ଆଇନ କାର୍ଯ୍ୟକାରୀ ହେଉଛି ବୋଲି ଟ୍ରମ୍ପ କହିଥିଲେ।

ଟ୍ରମ୍ପ ଦସ୍ତଖତ କରିଥିବା ନିର୍ଦ୍ଦେଶନାମାରେ କୁହାଯାଇଛି “କାର୍ଯ୍ୟକାରୀ ନିର୍ଦ୍ଦେଶ ୧୪୦୬୬ ରେ ବର୍ଣ୍ଣିତ ଜାତୀୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ, ମୁଁ ଭାରତର ସାମଗ୍ରୀ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଉଛି। ଏହା ଆବଶ୍ୟକ ଓ ଉପଯୁକ୍ତ। କାରଣ ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରୁଷିଆନ ଫେଡେରେସନ ତୈଳ ଆମଦାନୀ କରୁଛି।" ତେବେ ଆମେରିକାକୁ ରପ୍ତାନୀ ହେବା ପାଇଁ ପୂର୍ବରୁ ବାହାରି ସାରିଥିବା ସାମଗ୍ରୀ ଗୁଡ଼ିକ ଉପରେ ନୂଆ ଶୁଳ୍କର ଡେଡ୍‌ଲାଇନ ଲାଗୁ ହେବ ନାହିଁ ବୋଲି ଏଥିରେ କୁହାଯାଇଛି। କେବଳ ସେତିକି ନୁହେଁ ଟ୍ରମ୍ପ ପୁଣିଥରେ ଏସିଆନ ପାର୍ଟନରମାନଙ୍କୁ ଧମକ ଦେଇଛନ୍ତି। ଯଦି କେହି ବି ଆମ ଶୁଳ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ତେବେ ସଂଶୋଧିତ ଶୁଳ୍କକୁ ମୁଁ ପୁଣିଥରେ ପରିବର୍ତ୍ତନ କରିପାରିବେ ବୋଲି ଟ୍ରମ୍ପ କହିଛନ୍ତି।

ଋଷ ଠାରୁ ତେଲ ଆମଦାନୀ କରୁଥିବା କୌଣସି ଦେଶକୁ ଛଡ଼ାଯିବ ନାହିଁ। ବିଶ୍ୱର ଅନ୍ୟ କେଉଁ ଦେଶ ଋଷ ଠାରେ ତେଲ କିଣୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଟ୍ରମ୍ପ ତାଙ୍କର ପ୍ରମୁଖ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ଦେଶଗୁଡ଼ିକ ଉପରେ ବି କେତେ ପରିମାଣରେ ଶୁଳ୍କ ଲାଗୁ କରାଯାଇ ପାରିବ ସେ ବିଷୟରେ ମଧ୍ୟ ପରାମର୍ଶ ଲୋଡ଼ିଛନ୍ତି।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.