ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରୁଷ ଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ରାଗିଛନ୍ତି ଆମେରିକା ରାଷ୍ଟ୍ରପତି। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା ପରେ ଭାରତ-ରୁଷ ସମ୍ପର୍କକୁ ନେଇ କଟାକ୍ଷ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ ରୁଷ ସହିତ କ'ଣ କରେ ତାହା ମୋତେ ଫରକ ପଡେନି। ମୁଁ କେବଳ ଚିନ୍ତା କରେ ଯେ ସେମାନେ ଏକାଠି ସେମାନଙ୍କର ଡେଡ୍ ଇକୋନୋମିକୁ କିପରି ତଳକୁ ଆଣିପାରିବେ।' ଏପରି ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।
ବ୍ରିକ୍ସରେ ଭାରତର ଉପସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ରମ୍ପ। ଏହାକୁ ଶୁଳ୍କ ଲାଗୁ କରିବାର କାରଣ ଭାବରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଭାରତ ଏବଂ ରୁଷ ମଧ୍ୟରେ ଗଭୀର ବନ୍ଧୁତା ବିଷୟରେ ଟ୍ରମ୍ପଙ୍କ ବିରକ୍ତିଭାବ ତାଙ୍କ ପୋଷ୍ଟରେ ସ୍ପଷ୍ଟ ଭାବରେ ବାରି ହୋଇପଡୁଛି। Truth Socialରେ ସେ ଲେଖିଛନ୍ତି, 'ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରିଛୁ। ସେମାନଙ୍କର ଶୁଳ୍କ ବହୁତ ଅଧିକ, ବିଶ୍ୱରେ ସର୍ବାଧିକ। ସେହିପରି, ରୁଷ ସହ ଆମେରିକା ମଧ୍ୟ ପ୍ରାୟ କୌଣସି ବାଣିଜ୍ୟ କରେ ନାହିଁ। ଏହାକୁ ଏପରି ରଖିବା।'
ତାଙ୍କ ପୋଷ୍ଟରେ, ଟ୍ରମ୍ପ ଭ୍ଲାଦିମିର ପୁଟିନଙ୍କ ନିକଟତମ ସହଯୋଗୀ ଏବଂ ପୂର୍ବତନ ରୁଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କୁ ଚେତାବନୀ ଦେଇଥିଲେ। ଟ୍ରମ୍ପ କହିଛନ୍ତି, 'ପୂର୍ବତନ ରୁଷ ରାଷ୍ଟ୍ରପତି ମେଦଭେଦେବଙ୍କୁ କୁହନ୍ତୁ, ଯିଏ ଏବେ ବି ନିଜକୁ ରାଷ୍ଟ୍ରପତି ଭାବନ୍ତି, ତାଙ୍କ କଥାରେ ଧ୍ୟାନ ଦିଅନ୍ତୁ। ସେ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କ୍ଷେତ୍ରରେ ପ୍ରବେଶ କରୁଛନ୍ତି।'
ପୂର୍ବତନ ରୁଷ ରାଷ୍ଟ୍ରପତି ମେଦଭେଦେବ ଗୋଟିଏ ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ ଓ ଯୁଦ୍ଧ ଧମକ ଦେଇଥିଲେ। ରୁଷକୁ ଟ୍ରମ୍ପଙ୍କ ୧୦ ଦିନିଆ ଅଲଟିମେଟମର ଜବାବ ଦେଇ ମେଦଭେଦେବ X ରେ ଲେଖିଥିଲେ ଯେ 'ଟ୍ରମ୍ପ ରୁଷ ସହିତ ଅଲଟିମେଟମର ଖେଳ ଖେଳୁଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ମନେ ରଖିବା ଉଚିତ ଯେ 'ରୁଷ ଇସ୍ରାଏଲ କିମ୍ବା ଇରାନ ନୁହେଁ।'ପ୍ରତ୍ୟେକ ନୂଆ ଅଲଟିମେଟମ ଏକ ବିପଦ ଏବଂ ଯୁଦ୍ଧ ଆଡକୁ ଏକ ପଦକ୍ଷେପ।'
ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ ଅବସରରେ BRICS ଗୋଷ୍ଠୀ ପାଇଁ ଭାରତ ଉପରେ ଶୁଳ୍କ ଲଗାଇବାର କାରଣ ଭାବରେ ଉଲ୍ଲେଖ କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ ଯେ BRICS ମଧ୍ୟ ଏହାର କାରଣ। BRICS ହେଉଛି ଆମେରିକୀୟ ବିରୋଧୀ ଦେଶମାନଙ୍କର ଏକ ଗୋଷ୍ଠୀ ଏବଂ ଭାରତ ମଧ୍ୟ ଏହାର ସଦସ୍ୟ। ସେ ଏହାକୁ ଡଲାର ଉପରେ ଆକ୍ରମଣ ବୋଲି କହିଥିଲେ। ଚେତାବନୀ ଦେଇଥିଲେ ଯେ ସେ ଏହା କାହାକୁ କରିବାକୁ ଦେବେ ନାହିଁ। ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା BRICS ର ପ୍ରମୁଖ ଦେଶ। ବର୍ତ୍ତମାନ ଏଥିରେ ମିଶର, ଇଥିଓପିଆ, ଇରାନ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଇଣ୍ଡୋନେସିଆକୁ ମଧ୍ୟ ସାମିଲ କରାଯାଇଛି।