ଇରାନର ନୂଆ ସୁପ୍ରିମ ଲିଡରଙ୍କୁ ଉତ୍ତର କୋରିଆର ସମର୍ଥନ: ଆମେରିକା-ଇସ୍ରାଏଲ୍ ଆକ୍ରମଣକୁ ନିନ୍ଦା, କିମ୍ କଲେ ମିସାଇଲ୍ ପରୀକ୍ଷଣ

NEWS7
truck-rams-into-people-at-bus-stop

ପ୍ୟୋଙ୍ଗୟାଙ୍ଗ, ୧୧/୦୩: ଇରାନର ନୂଆ ସର୍ବୋଚ୍ଚ ନେତା ଭାବେ ମୋଜତାବା ଖାମେନିଙ୍କ ନିଯୁକ୍ତିକୁ ଉତ୍ତର କୋରିଆ ଖୋଲାଖୋଲି ସମର୍ଥନ ଜଣାଇଛି। ଇରାନର ପୂର୍ବତନ ନେତା ଅଲି ଖାମେନିଙ୍କୁ ହତ୍ୟା କରିଥିବା ଆମେରିକା ଏବଂ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣକୁ ଏକ 'ବେଆଇନ' ପଦକ୍ଷେପ ଦର୍ଶାଇ କଡ଼ା ନିନ୍ଦା କରିଛି ଉତ୍ତର କୋରିଆ ।

ନୂଆ ନେତାଙ୍କୁ ସ୍ୱାଗତ, ଆମେରିକାକୁ କଡ଼ା ସମାଲୋଚନା

ଉତ୍ତର କୋରିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବୁଧବାର ସ୍ପଷ୍ଟ କରିଛନ୍ତି ଯେ, ଇରାନର 'ଆସେମ୍ବ୍ଲିଅଫ୍ ଏକ୍ସପର୍ଟ୍ସ'ର ନିଷ୍ପତ୍ତିକୁ ଉତ୍ତର କୋରିଆ ସମ୍ମାନ ଜଣାଇଛି। ସେ କହିଛନ୍ତି, "ଇସଲାମିକ୍ ବିପ୍ଳବର ନୂଆ ନେତା ବାଛିବା ପାଇଁ ଇରାନବାସୀଙ୍କ ଅଧିକାର ଓ ପସନ୍ଦକୁ ଆମେ ସମ୍ମାନ କରୁଛୁ।"

ଅନ୍ୟପଟେ ଆମେରିକା ଓ ଇସ୍ରାଏଲର ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛି ଉତ୍ତର କୋରିଆ। ମୁଖପାତ୍ର ଦର୍ଶାଇଛନ୍ତି ଯେ, ଆମେରିକା-ଇସ୍ରାଏଲର ଏହି ବେଆଇନ ଆକ୍ରମଣ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ଏକ ସାର୍ବଭୌମ ଦେଶର ରାଜନୈତିକ ବ୍ୟବସ୍ଥା ତଥା ଅଖଣ୍ଡତା ଉପରେ ଆଞ୍ଚ ଆଣିଛି, ଯାହା ସାରା ବିଶ୍ୱ ଗ୍ରହଣ କରିବା ଉଚିତ ନୁହେଁ। ଗତ ଫେବୃଆରୀ ୨୮ରେ ହୋଇଥିବା ଆକ୍ରମଣକୁ ଉତ୍ତର କୋରିଆ ପୂର୍ବରୁ 'ଗୁଣ୍ଡାଗର୍ଦ୍ଦି'  ବୋଲି ଆଖ୍ୟା ଦେଇଥିଲା।

ନୂଆ ଯୁଦ୍ଧପୋତରୁ ମିସାଇଲ୍ ଟେଷ୍ଟ କଲେ କିମ୍ ଜଙ୍ଗ୍ ଉନ୍

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଏହି ତିକ୍ତତା ମଧ୍ୟରେ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ ନିଜ ଦେଶର ସବୁଠାରୁ ନୂତନ ଡେଷ୍ଟ୍ରୋୟର 'ଚୋ ହ୍ୟୋନ୍'ରୁ ରଣନୀତିକ କ୍ରୁଜ୍ ମିସାଇଲ୍ ପରୀକ୍ଷଣ କରିଛନ୍ତି। କିମ୍ ଜୋଙ୍ଗ୍ ଉନ୍ ନିଜେ ଉପସ୍ଥିତ ରହି ଏହି ପରୀକ୍ଷଣର ତଦାରଖ କରିଥିଲେ। ଆଣବିକ ଯୁଦ୍ଧକୁ ପ୍ରତିହତ କରିବା ପାଇଁ ଏକ ଶକ୍ତିଶାଳୀ ତଥା ନିର୍ଭରଯୋଗ୍ୟ ପ୍ରତିରୋଧ ବ୍ୟବସ୍ଥାକୁ ବଜାୟ ରଖିବା ଓ ସମ୍ପ୍ରସାରଣ କରିବା ଉପରେ କିମ୍ ଗୁରୁତ୍ୱାରୋପ କରିଛନ୍ତି। ଏହା ହେଉଛି କିମ୍‌ଙ୍କ ତତ୍ତ୍ୱାବଧାନରେ ଦ୍ୱିତୀୟ ମିସାଇଲ୍ ପରୀକ୍ଷଣ।

​​​​​​​also- କୋରିଆକୁ ଆମେରିକୀୟ ସୈନ୍ୟ ପଠାଇଲେ ଟ୍ରମ୍ପ, କିମ୍ କହିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଟ୍ରମ୍ପ ପ୍ରଶାସନ ସହ ବୁଝାମଣା ଆଶା!

ଆମେରିକା ଦୀର୍ଘ ଦିନ ଧରି ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିବାକୁ ପ୍ରୟାସ କରୁଛି। ତେବେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ଅନୁସାରେ ସାମ୍ପ୍ରତିକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଉତ୍ତର କୋରିଆ ସହ ପୁଣିଥରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଛି। ଅନ୍ୟପକ୍ଷରେ କିମ୍ ଜୋଙ୍ଗ୍ ଉନ୍ ସର୍ତ୍ତ ରଖିଛନ୍ତି ଯେ, ଯଦି ୱାଶିଂଟନ୍ ଉତ୍ତର କୋରିଆକୁ ଏକ 'ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର' ଭାବେ ସ୍ୱୀକୃତି ଦିଏ, ତେବେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ହୋଇପାରିବ ଏବଂ ଏକାଠି ଆଗକୁ ବଢ଼ିହେବ।