ଇଟାବା ୧୦।୨: ମହାକୁମ୍ଭରେ ସ୍ନାନ ସାରି ନୋଏଡା ଫେରୁଥିବା ଶ୍ରଦ୍ଧାଳୁଙ୍କ ବସ୍ ସୋମବାର ଏକ ଟ୍ରକ୍ ସହ ଧକ୍କା ଲାଗିଛି। ଫଳରେ ୨ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ଓ ସୈଫଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଏହି ଦୁର୍ଘଟଣା ଇଟାବା ଜିଲ୍ଲା ଫ୍ରେଣ୍ଡସ୍ କଲୋନୀ ଥାନା ଜାତୀୟ ରାଜମାର୍ଗରେ ହୋଇଛି।
ଏସଏସପି ସଞ୍ଜୟ କୁମାର କହିଛନ୍ତି ଯେ ପ୍ରୟାଗରାଜ ମହାକୁମ୍ଭରେ ସ୍ନାନସାରି ଶ୍ରଦ୍ଧାଳୁ ନୋଏଡା ଫେରୁଥିଲେ। ଶ୍ରଦ୍ଧାଳୁଙ୍କ ବସ୍ ଭରଥନା ଛକ ନିକଟରେ ପହଞ୍ଚିଥିବା ବେଳେ ଟ୍ରକ୍ ସହ ଧକ୍କା ଲାଗିଥିଲା। ଫଳରେ ୨ ଜଣ ମହିଳା ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ମହିଳା ଦ୍ୱୟଙ୍କୁ ନୋଏଡା ସେକ୍ଟର ୧୨୮ର ମନୋଜଙ୍କ ପତ୍ନୀ ନିଲୁ ଓ ମୀରା ଭାବେ ଚିହ୍ନଟ କରାଯାଇଛି। ବସ୍ ଚାଳକ ଢୁଳେଇ ପଡିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଆହତ ଯାତ୍ରୀମାନେ କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍ରେ ପାଖାପାଖି ୨୫ ଜଣ ଯାତ୍ରୀ ଥିଲେ।
ଜିଲ୍ଲା ହସ୍ପିଟାଲ ଚିକିତ୍ସାଧିକାରୀ ଡା.ସୌରଭ ଗୁପ୍ତାଙ୍କ ଅନୁସାରେ ୨୦ ଜଣ ଶ୍ରଦ୍ଧାଳୁଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଗୁରୁତର ୨ ଜଣଙ୍କୁ ସୈଫଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଯାତ୍ରୀମାନ ଏକ ଟ୍ରାଭେଲର୍ସ ବସ୍ ଭଡ଼ା କରି ମହାକୁମ୍ଭ ସ୍ନାନ କରିବାକୁ ପ୍ରୟାଗରାଜ ଆସିଥିଲେ। ସ୍ନାନ ସାରି ଫେରିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।