UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ତ୍ରିନିଦାଦ ଓ ଟୋବେଗୋର ସମର୍ଥନ

Published By : Prameya-News7 Bureau | July 05, 2025 IST

ନୂଆଦିଲ୍ଲୀ ୫।୭: ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆଉ ଏକ ଦେଶର ସମର୍ଥନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାତ୍ରା ମଧ୍ୟରେ ତ୍ରିନିଦାଦା ଓ ଟୋବେଗୋ ଏହି ସମର୍ଥନ ଘୋଷଣା କରିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସମକକ୍ଷ କମଲା ପ୍ରସାଦ ବିସେସରଙ୍କ ମଧ୍ୟରେ ବାର୍ତ୍ତା ହୋଇଥିଲା। ଏଥିରେ ଭାରତ ସହିତ ତ୍ରିନିଦାଦ ଓ ଟୋବେଗୋ ୬ଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। 

ଏ ନେଇ ଶନିବାର ଜାରି ମିଳିତ ବୟାନରେ କୁହାଯାଇଛି ଯେ ତ୍ରିନିଦାଦା ଓ ଟୋବେଗୋ ବିସ୍ତାରିତ ମିଳିତ ଜାତିସଂଘରେ ଭାରତାର ସ୍ଥାୟୀ ସଦସ୍ୟତା ନିମନ୍ତେ ଭାରତକୁ ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ ପୁଷ୍ଟି କରିଛି। ବୈଶ୍ୱିକ ପ୍ରସଙ୍ଗରେ ଗହନ ବିଚାରବିମର୍ଷ କରି ମୋଦି ଓ ବିସେସର ଜାତିସଂଘରେ ବ୍ୟାପକ ସଂସ୍କାର ଉପରେ ଗୁରୁତ୍ୱ ଦେଇଛନ୍ତି, ଯେଉଁଥିରେ ଜାତି ସଂଘ ସୁରକ୍ଷା ପରିଷଦ ସମ୍ପ୍ରସାରଣ ମଧ୍ୟ ସାମିଲ। ଯାହାଦ୍ୱାରା ବର୍ତ୍ତମାନର ବାସ୍ତବିକତାକୁ ବେଶ୍ ଭଲ ଭାବେ ପ୍ରତିବିମ୍ବିତ କରାଯାଇ ପାରିବ। 

ମିଳିତ ବକ୍ତବ୍ୟରେ କୁହାଯାଇଛି ଯେ ‘ବଢୁଥିବା ଭୂ-ରାଜନୈତିକ ଉତ୍ତେଜନା ଓ ବୈଶ୍ୱିକ ସଂଘର୍ଷକୁ ସ୍ୱୀକାର କରି ଦୁଇ ନେତା ଆଲୋଚନା ଓ କୂଟନୀତିକୁ ଆଗକୁ ବଢାଇବା ପାଇଁ ମାର୍ଗ ପ୍ରଦର୍ଶିତ କରିଛନ୍ତି’। ଏ କଥାରେ ମଧ୍ୟ ସହମତି ହୋଇଛି ଯେ ଭାରତ ୨୦୨୭-୨୮ ଅବଧି ଲାଗି ଜାତି ସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ଆଶନ ନିମନ୍ତେ ତ୍ରିନିଦାଦ ଓ ଟୋବେଗୋର ପ୍ରାର୍ଥୀତ୍ୱକୁ ସମର୍ଥନ କରିବ। ଏ ନେଇ ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ତ୍ରିନିଦାଦ ଓ ଟୋବେଗୋ ଐତିହାସିକ ଯାତ୍ରା ଯୋଗୁ ଦୁଇ ଦେଶଙ୍କ ମଧ୍ୟରେ ବିଶେଷ ସମ୍ପର୍କକୁ ପ୍ରୋତ୍ସାହନ ମିଳିଛି। 

୧୯୯୯ ମସିହା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ତ୍ରିନାଦାଦ ଓ ଟୋବେଗୋ ପ୍ରଥମ  ଦ୍ୱିପାକ୍ଷୀୟ ଯାତ୍ରା। ଏହି ଗସ୍ତ କାଳରେ ଦୁଇ ନେତା ଆତଙ୍କବାଦ ବିରୋଧରେ ଲଢିବାକୁ ନିଜ ସଂକଳ୍ପ ପୁଷ୍ଟି କରିଛନ୍ତି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିନିଦାଦ ଓ ଟୋବେଗୋ ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କଙ୍ଗାଲୁଙ୍କୁ ମଧ୍ୟ ଭେଟିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.