ଟି20 ବିଶ୍ୱକପ୍ ପାଇଁ ପାକିସ୍ତାନର ଦଳ ଘୋଷଣା : ବିଦା ହେଲେ ଭାରତକୁ ଜିତାଇଥିବା ବୋଲର

NEWS7
tribal-girl-tortured-by-excise-officer

ଲାହୋର,|୧: ଭାରତକୁ ଅସୁରକ୍ଷିତ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଦଳ ନପଠାଇବା ନିଷ୍ପତ୍ତିରେ ଅଟଳ ରହିଥିଲା । ଫଳ ସ୍ୱରୁପ ଆଇସିସି ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପରୁ ବାଂଲାଦେଶ ଦଳକୁ ବାଦ୍ ଦେଇ ସ୍କଟଲ୍ୟାଣ୍ଡ୍ ସାମିଲ କରିଥିଲା । ପାକିସ୍ତାନ ଏହି ଘଟଣାରେ ବାଂଲାଦେଶକୁ ସମର୍ଥନ କରିବା ସହ ବିଶ୍ୱକପ୍ରୁ ଓହରିଯିବା ପାଇଁ ମନ୍ତ୍ରଣା ଦେଇଥିଲା । ମାତ୍ର ବାଂଲାଦେଶ ବିଶ୍ୱକପରୁ ବାଦ୍ ପଡ଼ିବାର ଦିନକ ପରେ ଆଜି ପାକିସ୍ତାନ ବିଶ୍ୱକପ୍ ଦଳ ଘୋଷଣା କରିଛି । ତଥାପି ଦଳ ବିଶ୍ୱକପରେ ଭାଗ ନେବ କି ନାହିଁ ଏବେବି ଅନିଶ୍ଚିତତାରେ ରହିଛି ।

ପାକିସ୍ତାନ ସରକାର ଦଳର ଭାଗ ନେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମହସିନ ନକଭି ଗତ ଶନିବାର ପ୍ରକାଶ କରିଥିଲେ । ମୁଖ୍ୟ ଚୟନକର୍ତ୍ତା ଆକିବ ଜାଭେଦ ବିଶ୍ୱକପ୍ ଦଳ ଘୋଷଣା କରି ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଚୟନ କମିଟି ପକ୍ଷରୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ପୂର୍ବ ଘୋଷିତ ପାକିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇ ବିଶ୍ୱକପ୍ ଦଳ ଚୂଡ଼ାନ୍ତ କରିଛନ୍ତି । ମହମ୍ମଦ ୱାସିମ ଜୁନିୟରଙ୍କୁ ବାଦ୍ ଦିଆଯାଇଛି । ଭେଟେରାନ ବ୍ୟାଟର ବାବର ଆଜମ ଓ ପେସ୍ ବୋଲର ସାହିନ ଆଫ୍ରିଦି ସ୍ଥାନ ବଜାୟ ରଖିଥିବାବେଳେ ହ୍ୟାରିସ୍ ରୌଫ୍ ବାଦ୍ ପଡ଼ିଛନ୍ତି । ସଲମାନ୍ ଆଘା ଦଳର ନେତୃତ୍ୱ ନେବେ । ପାକିସ୍ତାନ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଆଗାମୀ ଫେବ୍ରୁଆରୀ ୭ ତାରିଖରେ ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

ପାକିସ୍ତାନ ଦଳ: ସଲମାନ ଆଘା (ଅଧିନାୟକ),ଅବରାର ଅହମ୍ମଦ,ବାବର ଆଜମ,ଫହିମ ଅସ୍ରଫ,ଫଖାର ଜମାନ,ଖୱାଜା ନଫି,ମହମ୍ମଦ ନୱାଜ,ସଲମାନ ମିର୍ଜା,ନସୀମ ଶାହ,ସାହିବଜାଦା ଫରହାନ,ସାଏମ୍ ଆୟୂବ,ସାହିନ ଆଫ୍ରିଦି,ଶଦାବ ଖାନ,ଉସମାନ ଖାନ,ଉସମାନ୍ ତାରିକ ।