IPL ଉଦଯାପନୀ ସମାରୋହକୁ ଆସିନପାରନ୍ତି ତିନି ସେନାର ମୁଖ୍ୟ, ବିସିସିଆଇ କରିଥିଲା ଆମନ୍ତ୍ରଣ

Published By : Prameya-News7 Bureau | May 30, 2025 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଏବେ ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହୋଇଛି ଏବଂ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଜୁନ୍ ୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଉଦଯାପନୀ ଉତ୍ସବ ଆୟୋଜନ କରାଯିବ । ଏଥିପାଇଁ ବିସିସିଆଇ ଏକ ସ୍ୱତନ୍ତ୍ର ଯୋଜନା କରିଥିଲା, କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ଦେଖାଯାଉଛି । ଭାରତୀୟ ସେନା ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୂରକୁ ସମ୍ମାନିତ କରିବା ପାଇଁ ବିସିସିଆଇ ତିନି ସେନାର ମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିଲା । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଶସ୍ତ୍ର ବାହିନୀର ମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ।

ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ସ୍ଥଳ ସେନା ମୁଖ୍ୟ ଥିବା ବେଳେ ଆଡମିରାଲ୍ ଦିନେଶ କେ ତ୍ରିପାଠୀ ନୌସେନା ମୁଖ୍ୟ ଅଛନ୍ତି । ସେହିପରି ବାୟୁସେନା ମୁଖ୍ୟ ହେଉଛନ୍ତି ଏୟାର ମାର୍ଶଲ ଅମର ପ୍ରୀତ ସିଂହ । ଗତ ମାସରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତର ତିନି ସେନା ମିଳିତ ଅପରେସନ୍ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରାଯାଇଥିଲା । ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଟୁର୍ଣ୍ଣାମେଣ୍ଟର ସମାପନୀ ଉତ୍ସବରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏବଂ ସେନାକୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ପଡିଥିଲା । ପରେ IPLର କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା । IPLର ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଫାଇନାଲ୍ ମେ ୨୫ ଖେଳାଯିବାର ଥିଲା, କିନ୍ତୁ ଏହାକୁ ଜୁନ୍ ୩କୁ ପରିବର୍ତ୍ତନ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.