News7 Logo

‘ମୋତେ ଅପମାନିତ କରାଯାଇଥିଲା’, ୨୦୨୧ରେ କାହିଁକି ହଠାତ୍ ପଞ୍ଜାବ କିଙ୍ଗ୍ସ ଛାଡ଼ିଥିଲେ କ୍ରିସ୍ ଗେଲ୍ ?

NEWS7

ନୂଆଦିଲ୍ଲୀ: ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ବିସ୍ଫୋରକ ବ୍ୟାଟର୍‌ଙ୍କ ମଧ୍ୟରୁ ଜଣେ କ୍ରିସ୍ ଗେଲ୍ ଏପରି ଏକ ଖୁଲାସା କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ରିସ୍ ଗେଲ୍ କହିଛନ୍ତି ଯେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ଟିମ୍‌ର ବ୍ୟବହାର ତାଙ୍କୁ ଆଘାତ ଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ସେ ଆଇପିଏଲ୍ ଛାଡ଼ିଥିଲେ ଓ ଡିପ୍ରେସନକୁ ଯିବାକୁ ଲାଗିଥିଲେ । କ୍ରିସ୍ ଗେଲ୍ ଏକ ସାକ୍ଷାତକାରରେ ଅନେକ ସଙ୍ଗୀନ ଅଭିଯୋଗ ଲଗାଇ କହିଛନ୍ତି, ପଞ୍ଜାବ କିଙ୍ଗ୍ସ ତାଙ୍କୁ ଅପମାନ କରିଥିଲା । ସେତେବେଳେ ଟିମର ମୁଖ୍ୟ କୋଚ୍ ଅନିଲ କୁମ୍ୱଲେଙ୍କୁ ଫୋନ କରି ନିଜ ମାନସିକ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । କୁମ୍ୱେଲଙ୍କ ସହ କଥାବାର୍ତ୍ତା ବେଳେ କାନ୍ଦି ପକାଇଥିବା ଗେଲ୍ କହିଛନ୍ତି ।

ପ୍ରିତି ଜିଣ୍ଟାଙ୍କ ଟିମ୍ ପଞ୍ଜାବ କିଙ୍ଗ୍ସ ସହ ୨୦୧୮ରେ କ୍ରିସ୍ ଗେଲ୍ ଯୋଡ଼ି ହୋଇଥିଲେ । ଗେଲ୍‌ଙ୍କୁ ପଞ୍ଜାବ କିଙ୍ଗ୍ସ ୨ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା । ୨୦୨୧ ଯାଏ ସେ ଟିମ୍ ସହ ରହିଥିଲେ । କିନ୍ତୁ ବାୟୋ ବବଲ୍ କାରଣରୁ ଆଇପିଏଲ୍ ୨୦୨୧କୁ ଆଧାରୁ ଛାଡ଼ିଥିଲେ । ଗେଲ୍ ଏବେ ମୁହଁ ଖୋଲି ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, 'ପଞ୍ଜାବ ସହ ମୋର ଆଇପିଏଲ୍ ସିଜିନ ଆଗୁଆ ଶେଷ ହୋଇଗଲା । ସତ ସହ କହିବାକୁ ଗଲେ ପଞ୍ଜାବ କିଙ୍ଗ୍ସରେ ମୋ ସହ ଦୁର୍ବ୍ୟହାର ହୋଇଥିଲା । ଜଣେ ବରିଷ୍ଠ ଖେଳାଳି ଭାବେ ମୋ ସହ ସଠିକ୍ ବ୍ୟବହାର କରାଯାଇ ନଥିଲା । ସେମାନେ ମୋତେ ଗୋଟେ ଛୋଟ ପିଲା ପରି ଭାବୁଥିଲେ । ଡିପ୍ରେସନକୁ ଯାଉଥିବା ମୋ ଜୀବନରେ ମୁଁ ପ୍ରଥମ ଥର ଅନୁଭବ କଲି ।'

ଗେଲ୍ କହିଛନ୍ତି, 'ଆପଣଙ୍କ ମାନସିକ ଅବସ୍ଥା ଟଙ୍କାଠାରୁ ଉପରେ ଅଟେ । ମୁଁ ଅନିଲ କୁମ୍ୱଲେଙ୍କୁ ଫୋନ କରି ଟିମ୍ ଛାଡ଼ୁଥିବା କଥା କହିଥିଲି । ଆଗକୁ ବିଶ୍ୱକପ୍ ଥିଲା ଓ ଆମେ ବାୟୋ ବବଲରେ ଥିଲୁ, ଯାହା ମୋର ମାନସିକ ସ୍ଥିତିକୁ ଆହୁରି ଭାଙ୍ଗୁଥିଲା । ମୁମ୍ୱାଇ ବିପକ୍ଷ ଶେଷ ମ୍ୟାଚ୍ ଖେଳିବା ପରେ ଟିମରେ ରହି ନିଜକୁ ଆଉ ଅଧିକ କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ଭିବାଲି। ଅନିଲ କୁମ୍ୱଲେଙ୍କ ସହ କଥା ହେବା ବେଳେ କାନ୍ଦି ପକାଇଥିଲି । ମୁଁ ଅନିଲ୍ କୁମ୍ୱଲେ ଓ ଯେପରି ଟିମ୍ ପରିଚାଳିତ ହେଉଥିଲା, ସେଥିରେ ଖୁସି ନଥିଲି । କ୍ୟାପ୍ଟେନ କେଏଲ୍ ରାହୁଲ ମୋତେ ଫୋନ କରି ପରବର୍ତ୍ତୀ ମ୍ୟାଚ୍ ଖେଳୁଥିବା ଜଣାଇଥିଲେ, କିନ୍ତୁ ମୁଁ ଅଲ୍ ଦ ବେଷ୍ଟ କହି ନିଜ ବ୍ୟାଗ୍ ପ୍ୟାକ୍ କରି ବାହାରି ଯାଇଥିଲି ।'