ନୂଆଦିଲ୍ଲୀ ୨୬।୭: ଗତ ୧୦ ବର୍ଷରେ ଭାରତୀୟ ରେଳ ନେଟୱାର୍କରେ ଅନେକ ସୁଧାର ଆସିଛି। ଏହା ସହିତ ଦେଶର ୭୮% ରେଳ ଟ୍ରାକ୍ ଘଣ୍ଟାପ୍ରତି ୧୧୦ କିଲୋମିଟର ଓ ଏହାଠୁ ଅଧିକ ବେଗରେ ଟ୍ରେନ ଚାଲିବା ପାଇଁ ଅପଗ୍ରେଡ ହୋଇସାରିଛି। ଲୋକସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ଟ୍ରେନ ଏବେ ପବନ ସହ କଥା ହେଉଛନ୍ତି।
ରେଳମନ୍ତ୍ରୀ କହିଛନ୍ତି ଯେ ଟ୍ରାକ୍ ଅପଗ୍ରେଡ ଉପାୟ ମଧ୍ୟରେ ୬୦ କେଜିର ରେଲୱେ ଟ୍ରାକ୍, ଚୌଡା ବେସ୍ ଥିବା କଂକ୍ରିଟ ସ୍ଲିପର, ମୋଟା ୱେବସ୍ୱିଚ୍, ଲମ୍ବା ରେଳ ପ୍ୟାନେଲ, ଏଚ ବିମ ସ୍ଲିପର, ଆଡଭାନ୍ସ ଟ୍ରାକ୍ ରିନିୱାଲ ଓ ରକ୍ଷଣାବେକ୍ଷଣାରେ ମେସିନର ଉପଯୋଗ ମଧ୍ୟ ରହିଛି। ଟ୍ରେନ ଘଣ୍ଟା ପ୍ରତି ୧୩୦ କିମିରୁ ଅଧିକ ବେଗରେ ଚାଲିବା ପାଇଁ ୨୦୧୪ରେ ଥିବା ୫,୦୩୬ କିଲୋମିଟର ଦୀର୍ଘ ଟ୍ରାକ୍ କୁ ୪ ଗୁଣାରୁ ଅଧିକ ବଢାଇ ୨୦୨୫ ମସିହା ବେଳକୁ ୨୩,୦୧୦ କିଲୋମିଟର କରାଯାଇଛି, ଯାହା ମୋଟ ଟ୍ରାକ୍ ଦୀର୍ଘତାର ୨୧.୮%ରୁ ବି ଅଧିକ।
ରାଜ୍ୟସଭାରେ ଉତ୍ତର ରଖି ବୈଷ୍ଣବ କହିଛନ୍ତି ଯେ ପ୍ରଥମେ ଏହି ହାଇ-ସ୍ପିଡ୍ ସେକ୍ସନର ମୋଟ ଦୀର୍ଘତା ୬.୩% ଥିଲା। ଏହା ସହିତ ଘଣ୍ଟା ପ୍ରତି ୧୧୦ରୁ ୧୩୦ କିଲୋମିଟର ବେଗରେ ଟ୍ରେନ ଚାଲିବା ପାଇଁ ୨୦୧୪ ମସିହାରେ ଥିବା ୨୬,୪୦୯ କିଲୋମିଟର ଟ୍ରାକ୍ ୨୦୨୫ ମସିହା ବେଳକୁ ୫୯,୮୦୦ କିଲୋମିଟରକୁ ପହଞ୍ଚା ଯାଇଛି। ଯାହା ଏବେ ମୋଟ ଟ୍ରାକ୍ ନେଟୱାର୍କର ୫୬.୬% କୁ ପହଞ୍ଚିଛି।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଇଣ୍ଡିଆନ ରେଲୱେ ନେଟୱାର୍କ ରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ ସେମି ହାଇ-ସ୍ପିଡ ଟ୍ରେନ ଅଟେ। ଏହି ଟ୍ରେନର ଡିଜାଇନ ସ୍ପିଡ ଘଣ୍ଟା ପ୍ରତି ୧୮୦କିଲୋମିଟର ଥିବା ବେଳେ ମ୍ୟାକ୍ସିମମ ଅପରେଟିଂ ସ୍ପିଡ ପ୍ରତି ଘଣ୍ଟା ୧୬୦ କିଲୋମିଟର ରହିଛି। ଟ୍ରେନର ହାରାହାରି ଗତି ଟ୍ରାକ୍ ର ଜ୍ୟାମିତି, ରାସ୍ତାରେ ରହଣୀ ଓ ସେକ୍ସନରେ ରକ୍ଷଣାବେକ୍ଷଣା କାର୍ଯ୍ୟ ଉପରେ ନିର୍ଭର କରୁଛି। ବନ୍ଦେଭାରତ ସ୍ଲିପର ଟ୍ରେନ ସେଟ୍ ର ପ୍ରଥମ ପ୍ରୋଟୋ ଟାଇପ୍ ର ନିର୍ମାଣ ପୂର୍ବରୁ ସରିଛି। ସେ କହିଛନ୍ତି ଯେ ବ୍ୟାପକ ଫିଲ୍ଡ ପରୀକ୍ଷଣ ଓ ଏଥିରୁ ପ୍ରାପ୍ତ ଅଭିଜ୍ଞତାକୁ ଆଧାର କରି ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ ରାକ୍ କୁ ଚାଲୁ କରାଯିବ।