ମହିଳାଙ୍କୁ ପୋଡି ହତ୍ୟା ଉଦ୍ୟମ, ୪ କିମି ଚାଲି ଥାନାରେ ପହଞ୍ଚି କହିଲେ FIR କରନି, ପିଲାମାନେ ଅନାଥ ହୋଇଯିବେ

NEWS7
tragic-road-accident-in-madhya-pradesh

ଭୋପାଳ ୧୭/ ୦୨: ଜଣେ ସ୍ବାମୀ ଏତେ ନୃଶଂସ ହୋଇପାରେ । ଯାହାକୁ ହାତ ଧରି ବିବାହ କରିଥିଲା ତାକୁ ମରଣମୁହଁକୁ ଠେଲି ଦେବାକୁ ପଛାଇଲା ନାହିଁ । କିନ୍ତୁ ଭାଗ୍ୟ ଜୋର ଥିବାରୁ ମହିଳା ଜଣକ ବଂଚିଗଲେ । ଅମଣିଷ ସ୍ବାମୀ ଜଣକ ପ୍ରଥମେ ମାଡ ମାରିଥିଲା । ଗଳାକାଟି ହତ୍ୟା ଉଦ୍ୟମ କରିଥିଲା ଓ ପରେ ନିଆଁ ଲଗାଇ ଦେଇଥିଲା । ତେବେ ମହିଳା ଜଣକ କୌଣସି ମୋତେ ସେଠାରୁ ଖସି ଆସି ଘାସ ବୁଦାରେ ଲୁଚି ରହିଲେ । ପରେ ୪କିଲୋମିଟର ଚାଲି ଚାଲି ଆସି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ପିଲାଙ୍କ ଭବିଷ୍ୟତ ପାଇଁ ସ୍ବାମୀଙ୍କ ବିରୋଧରେ କୌଣସି FIR ଦେବାକୁ ମନା କଲେ ।

ମଧ୍ୟପ୍ରଦେଶର ଭୋପାଳରୁ ଆସିଛି ଏପରି ଅଜବ ଖବର । ଘଟଣାଟି ରବିବାରର । ଛତରପୁର ଜିଲ୍ଲାର ସିଭିଲ ଲାଇନ୍ସ ଥାନା ସୀମା ନୟା ଚନ୍ଦ୍ରପୁର ଅ଼ଞ୍ଚଳର ଜଣେ ମହିଳା ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ପୋଲିସ ପାଖରେ ସେ ଯାହା କହିଛନ୍ତି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ବେଦନାଦାୟକ । ପୀଡିତାଙ୍କ ଅଭିଯୋଗ ମୁତାବକ ସ୍ବାମୀ  ରାଜୁ ରାଜପୁତ ତାଙ୍କୁ ଦିନସାରା ଆକ୍ରମଣ କରିଥିଲେ । ବହୁତ ବାଡେଇଥିଲେ ଶେଷରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଦେହରେ ନିଆଁ ଲାଗିବା ପରେ ସେ ଜୀବନ ବିକଳରେ ଦୌଡୁଥିଲେ । ସ୍ବାମୀ ମଧ୍ୟ ତାଙ୍କୁ ପିଛା କରୁଥିଲେ । ତେବେ ସେ କୌଣସି ମତେ ଏକ ଘାସ ବୁଦାରେ ଲୁଚି ଯାଇଥିଲେ । ସେ ରାତିସାରା ସେଠାରେ ଯନ୍ତ୍ରଣାରେ ପଡି ଛଟପଟ ହୋଇଥିଲେ ।

ସକାଳ ହେବା ପରେ ଶେଷରେ ମନକୁ ଦୃଢ କରି ୪ କିଲୋମିଟର ଚାଲି ଚାଲି ସେଠାରେ ଥିବା ସିଭିଲ ଲାଇନ୍ସ ପୋଲିସ ଷ୍ଟେସନକୁ ଆସିଥିଲେ । ଆଉ ତାଙ୍କ ସହ ଘଟିଥିବା ସବୁ କଥା ପୋଲିସକୁ ଜଣାଇଥିଲେ । ପୋଲିସ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍‌ପିଟାଲକୁ ପଠାଇଥିଲା । ଚିକିତ୍ସା କରୁଥିବା ଡାକ୍ତର ମନୋଜ ଚୌଧୁରୀ କହିଛନ୍ତି ପୀଡିତାଙ୍କ ଦେହର ଅନେକ ଅଂଶ ପୋଡିଯାଇଛି । ଏବେ ଅବସ୍ଥା ସ୍ଥିର ରହିଛି । ସିଭିଲ ଲାଇନ ପୋଲିସ ଷ୍ଟେସନ ଇନଚାର୍ଜ ସତୀଶ ସିଂ କହିଛନ୍ତି ମହିଳାଙ୍କ ବୟାନ ରେକର୍ଡ କରାଯାଇଛି । ସେ ସ୍ବାମୀଙ୍କ ବିରୋଧରେ FIR ଦେବାକୁ ମନା କରିଛନ୍ତି । ତାର କାରଣ ବି ଆଶ୍ଚର୍ଯ୍ୟକର । ସେ ପିଲାମାନଙ୍କ ଭବିଷ୍ୟତ ପାଇଁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀ ରାଜୁ ରାଜପୁତଙ୍କୁ ଖୋଜୁଛି ।