ଦାରିଙ୍ଗବାଡି ୧୩/୦୭: ରାସ୍ତା ମଝିରେ ମହିଳାଙ୍କ ଉପରେ ମାଡିଗଲା ବୋଲେରୋ । ଜଣେ ଗର୍ଭବତୀ ମୃତ । ୩ ଜଣ ଗୁରୁତର । ଶନିବାର ବିଳମ୍ବିତ ରାତିରେ ଦାରିଙ୍ଗିବାଡିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା କଡର ଗାଡ଼ି ରଖି ଡ୍ରାଇଭର ଯାଇଥିଲେ ପରିସ୍ରା କରିବାକୁ । ତେବେ ଭୁଲବଶତଃ ଗାଡିରେ ଚାବି ଲାଗି ରହିଥିଲା । ଏହି ସମୟରେ ଡ୍ରାଇଭରଙ୍କ ଅନ୍ୟ ୩ ସାଙ୍ଗ ଗାଡିରେ ଚାବି ଲାଗିଥିବା ଦେଖି ଗାଡି ଷ୍ଟାର୍ଟ କରିଦେଇଥିଲେ । ରାସ୍ତାରେ ତୀବ୍ର ବେଗରେ ମାଡିଚାଲିଥିଲା ଗାଡି ।
ଏହି ସମୟରେ ଗୁମିକିୟା ପଞ୍ଚାୟତ ଶ୍ରୀଶିପାଙ୍ଗା ଗାଁର ୪ ଜଣ ମହିଳା ଆଲୋଜିନି ପ୍ରଧାନ, ବୀଣା ପ୍ରଧାନ, ରମନ୍ତି ପ୍ରଧାନ,ରଜନ୍ତି ପ୍ରଧାନ ରାସନ କିଣିବାକୁ ସେଇ ବାଟରେ ଆସୁଥିଲେ । ସେପଟୁ ଦ୍ରୁତ ବେଗରେ ଆସୁଥିବା ଗାଡି ପ୍ରଥମେ ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ପରେ ୪ଜଣ ମହିଳାଙ୍କ ଉପରେ ମାଡିଯାଇଥିଲା । ଜଣକ ଉପରେ ଗାଡିର ଆଗ ଚକ ମାଡିଯାଇଥିଲା । ଅନ୍ୟ ୨ ଜଣ ଗାଡି ଧକ୍କାରେ ଦୂରକୁ ଛିଟିକି ପଡିଥିଲେ । ଅନ୍ୟ ଜଣେ ଚକାରେ ମାଡ ହୋଇ ଗାଡି ଭିତରେ ପଶି ଯାଇଥିଲେ । ଘଟଣାସ୍ଥଳରେ ଗର୍ଭବତୀ ଥିବା ଆଲୋଜିନିଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଦୁର୍ଘଟଣା ପରେ ଗାଡିରୁ ୩ ଜଣ ଯୁବକ ଫେରାର ହୋଇଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ୩ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିଟି ବାଲିଗୁଡାରୁ ବିସ୍କୁଟ ନେଇ ବୁଡାଗୁଡା ଆସିଥିଲା । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସେପଟେ ଜଣେ ଗର୍ଭବତୀ ମହିଳାଙ୍କ ଅକାଳ ବିୟୋଗ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।