ପୁରୀ ୨୭/୬: ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ । ଏକାକାର ହେବେ ଭକ୍ତ ଓ ଭଗବାନ । ଯାତ୍ରା ପାଇଁ କାହାରିକୁ ତର ନାହିଁ । ବଡ଼ଠାକୁରଙ୍କ ଯାତ୍ରା ପ୍ରସ୍ତୁତିରେ ବ୍ୟସ୍ତ ସେବକ ଓ ପ୍ରଶାସକ । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ।ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ୨ଶହ ପ୍ଲାଟୁନ ଫୋର୍ସଙ୍କ ସମେତ ୧୦ ହଜାର ପୋଲିସ କର୍ମଚାରୀ ମୁତୟନ ଅଛନ୍ତି । ୨୭୫ଟି AI କ୍ୟାମେରା ଲଗାଯାଇଛି । ବମ୍ ସ୍କ୍ବାଡ, ଡଗ୍ ସ୍କ୍ବାଡ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା କରାଯାଇଥିବାବେଲେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି ।
ରଥଯାତ୍ରା,ବାହୁଡା ଓ ସୁନାବେଶ ଦିନ ପୁରୀ ସହରକୁ ଗାଡି ପ୍ରବେଶ ଉପରେ କଟକଣା ରହିଛି । ପୁରୀ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି କଟକଣା ୨୬ ତାରିଖ ମଧ୍ୟରାତ୍ରରୁ ୨୮ ତାରିଖ ସକାଳ ଯାଏ ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡକୁ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରେ । ନିୟମିତ ଯାତ୍ରୀବାହୀ ବସ୍ ଭୁବନେଶ୍ବର ଓ କଟକରୁ ମାଳତିପାଟପୁର ରେଲୱେ ଓଭରବ୍ରିଜ ଦେଇ ବାଇପାସରେ ଆସି ବାଇଦାସନଗର ଛକରୁ ଗ୍ରୀଡ ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ପାର୍କିଂରେ ରହିବ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଗ୍ରୀଡ ଷ୍ଟେସନ ଛକ,ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ହରେକୃଷ୍ଣପୁର ଗ୍ରାମରେ ଆସି ଜାତୀୟ ରାଜପଥରେ ବାହାରି ଗନ୍ତବ୍ୟ ସ୍ଥଳକୁ ଯିବେ । ହାଲୁକା ଯାନ ପାସ୍ ଥିବା ଯାନ ଗୁଡିକ ଜେବିପିସି,ଛପନ ଛକ, ଏବଂ ଲୋକନାଥ ମନ୍ଦିର ପାଖ ସ୍ଥାନରେ ପାର୍କିଂ ସୁବିଧା ଉପଲବ୍ଧ ହେବ ।
ଭୁବନେଶ୍ବରରୁ ଆସୁଥିବା ପାସ୍ ନଥିବା ହାଲୁକା ଯାନଗୁଡିକ ମାଳତିପାଟପୁର ରେଲୱେ ଓଭରବ୍ରିଜ ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିକ କେନ୍ଦ୍ର, ହେଲିପ୍ୟାଡ, ଇନଡୋର ଷ୍ଟାଡିୟମ,ଉଦ୍ୟାନ କୃଷି ପଡ଼ିଆ, ସ୍ବଚ୍ଛ ମାଛ ବଜାରରେ ପାର୍କିଂ କରିବେ ।ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ପିକେଆର୍ଟି ଛକ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଅଭିମୁଖେ ଯିବେ । ଦୁଇ ଚକିଆ ଯାନ ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭରେ ନିଜ ନିଜର ଯାନ ରଖିବେ ।ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ମାଟିତୋଟା ଖେଳପଡ଼ିଆରେ ପାର୍କିଂ କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡ଼ିକ ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଦେଇ ବାଟ ଗାଁ ଛକରୁ ଭୁବନେଶ୍ୱର ଅଭିମୁଖେ ଫେରିବେ । ଅନ୍ତଃରାଜ୍ୟ ଟୁରିଷ୍ଟ୍ ବସ୍ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ୍ ବସ୍ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ବର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।