ପାଗରେ ଆସିବନି ପରିବର୍ତ୍ତନ, ଆଗାମୀ ୪ ଦିନ ଯାଏଁ କାଳବୈଶାଖୀର ଆଲର୍ଟ

Published By : Prameya-News7 Bureau | May 04, 2025 IST

ଭୁବନେଶ୍ୱର ୦୪।୦୫ : ପାରଳାଖେମୁଣ୍ଡି, ବୌଦ୍ଧ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଶନିବାର କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, କାଳବୈଶାଖୀ ପ୍ରକୋପ ଆହୁରି ୪ଦିନ ଯାଏ ରହିବ। ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା, ପବନ, କୁଆପଥର ମାଡ଼ ଆଶଙ୍କା ରହିଛି। ଏହାର ପ୍ରଭାବରେ ତାପମାତ୍ରା ବଢ଼ିବନି। ୮ ତାରିଖଠାରୁ ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ଅଛି। ଆସନ୍ତା ୮ରୁ ୧୪ ତାରିଖ ଭିତରେ ପୁଣି ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ। ଅଳ୍ପ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲେଉଟିପାରେ ।

ଶନିବାର ଦିନବେଳା ପାରଳାଖେମୁଣ୍ଡିରେ ୧୬.୬ ମିଲିମିଟର ବର୍ଷା ହୋଇଥିବା ବେଳେ ସନ୍ଧ୍ୟାରେ ବୌଦ୍ଧ, ଭୁବନେଶ୍ୱର ଓ କଟକରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଆହୁରି କେତେକ ସ୍ଥାନରେ ବିଳମ୍ବିତ ରାତି ସୁଦ୍ଧା ବର୍ଷା, ପବନ ହୋଇପାରେ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଲା, ରବିବାର (୪ ତାରିଖ) ଅନେକ ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟାହ୍ନରୁ ସନ୍ଧ୍ୟା ସମୟରେ ବିଜୁଳି ଘଡ଼ଘଡ଼ି ଓ କୁଆପଥର ସହ ପ୍ରବଳ ବର୍ଷା ଏବଂ ୫୦-୬୦ କିମି ବେଗରେ ପବନ ବୋହିବାର ଆଶଙ୍କା ଅଛି । ଏସବୁ ଜିଲ୍ଲା ପାଇଁ କମଳା ରଙ୍ଗର ଚେତାବନୀ ଜାରି କରାଯାଇଛି ।

ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୫୦-୬୦ କିମି ବେଗରେ ପବନ, ବିଜୁଳି ଘଡ଼ଘଡ଼ି ହୋଇପାରେ । କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ବିଜୁଳି, ଘଡ଼ଘଡ଼ି ସହ ୪୦-୫୦ କିମି ପବନ ଆଶଙ୍କା ଅଛି । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କେନ୍ଦୁଝର, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ୩୦-୪୦ କିମି ବେଗରେ ପବନ, ବିଜୁଳି ଘଡ଼ଘଡ଼ି ଆଶଙ୍କା ନେଇ ସତର୍କ କରାଯାଇଛି । 

ଆସନ୍ତା ୫, ୬, ୭ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରକୋପ ରହିବାର ସମ୍ଭାବନା ଅଛି । ୮ ତାରିଖରୁ କାଳବୈଶାଖୀ ପ୍ରକୋପ କମିବ । ତଥାପି ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ଶୁକ୍ରବାର ତୁଳନାରେ ଶନିବାର ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଥିଲା । 

ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୮ରୁ ୧୪ ତାରିଖ ଭିତରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଆସନ୍ତା ୪ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ପାରଦ ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.