ଚାଲୁଥିଲା ମେଲୋଡି ଡ୍ୟାନ୍ସ, ଲିଭିଗଲା ଯାତ୍ରା ପେଣ୍ଡାଲର ଲାଇଟ୍, ମୋବାଇଲ ଟର୍ଚ୍ଚରେ ଝୁମିଲେ ଦର୍ଶକ

NEWS7
three-person-giraf-in-bengaluru

ଭୁବନେଶ୍ୱର: ଖଣ୍ଡଗିରିରେ ଚାଲିଛି ଯାତ୍ରା ମହାସମର। ମେଲୋଡି ଡ୍ୟାନ୍ସ, କଳାକାରଙ୍କ ଡାଏଲଗରେ ଦୁଲୁକୁଛି ପେଣ୍ଡାଲ। ରାଜଧାନୀର ନିରବତାକୁ ଭାଙ୍ଗିଦେଉଛି ଯାତ୍ରାପ୍ରେମୀଙ୍କ କୋଳାହଳ। କଳାକାରଙ୍କ ନିଖୁଣ ଅଭିନୟରେ ଦର୍ଶକ ମତୁଆଲା। ଏହାରି ଭିତରେ ଯାତ୍ରା ପେଣ୍ଡାଲରୁ ଆସିଛି ଆଶ୍ଚର୍ଯ୍ୟ କଲାପରି ଖବର। ମେଲୋଡି ଚାଲିଥିବା ବେଳେ ଯାତ୍ରା ପେଣ୍ଡାଲରେ ଲିଭିଗଲା ଲାଇଟ୍। କିନ୍ତୁ ଅଟକିଲାନି କିଛି। ଦର୍ଶକଙ୍କ ମୋବାଇଲ ଟର୍ଚ୍ଚରେ ଚାଲିଲା ଯାତ୍ରା।

ଜାନୁଆରୀ ୨୯ ତାରିଖ। ରାତି ପ୍ରାୟ ୧୧.୧୫। କୋଣାର୍କ ଗଣନାଟ୍ୟର ସୁପରହିଟ୍ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ଦେଖିବାକୁ ଦର୍ଶକଙ୍କ ଖଚାଖଚ ଭିଡ଼। ମେଲୋଡି ଡ୍ୟାନ୍ସରେ ଦଲୁକୁଥାଏ ଖଣ୍ଡଗିରି ମୈଦାନ। ଠିକ୍ ଏତିକି ବେଳେ ଲିଭିଗଲା ଯାତ୍ରା ପେଣ୍ଡାଲର ଲାଇଟ୍। ମୋବାଇଲ ଟର୍ଚ୍ଚରେ ଝୁମିଲେ ଦର୍ଶକ। ଏକଥା ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।ମେଲୋଡି ସରିଆସୁଥିବା ବେଳେ ପେଣ୍ଡାଲକୁ ଆସିଥିଲେ ଯାତ୍ରା ଜଗତର ଲୋକପ୍ରିୟ ସିଙ୍ଗର ଓମ୍ କୁମାର। ଓମକୁ ଦେଖିବା ମାତ୍ରେ ଦର୍ଶକଙ୍କ କୋଳାହଳରେ ଦୁଲୁକୁଥିଲା ମଞ୍ଚ। ଦିବଂଗତ ଗୀତିକାର ହ୍ୟୁମାନ ସାଗରଙ୍କ ସ୍ମୁତିରେ ମାଆ ତୋ ବିନା ଗୀତ ଗାଇଥିଲେ।

ମେଲୋଡି କାର୍ଯ୍ୟକ୍ରମରେ ଓମ୍ କୁମାରଙ୍କ ଶେଷ ଗୀତ ବେଶ ରୋମାଞ୍ଚକର ଥିଲା।ଦର୍ଶକଙ୍କ କ୍ରେଜକୁ ଦେଖି ଯାତ୍ରା ପେଣ୍ଡାଲ ଲାଇଟକୁ ଲିଭାଇବାକୁ କହିଥିଲେ ଓମ୍। ମୋବାଇଲ ଟର୍ଚ୍ଚ ଦେଖାଇବାକୁ ଦର୍ଶକଙ୍କୁ ଅନୁରୋଧ କରିଥିଲେ ସେ। ତାଙ୍କର ଅନୁରୋଧ କ୍ରମେ ଯାତ୍ରା ଲାଇଟ୍ ଅଫ୍ ହୋଇଥିଲା। ଆଉ ଅନ୍ଧାର ହୋଇଥିଲା ପୂରା ପେଣ୍ଡାଲ। ଜଗନ୍ନାଥ ଜଣାଣ ଗାଇବା ମାତ୍ରେ ଦର୍ଶକଙ୍କ ଲାଇଟରେ ଆଲୋକିତ ହୋଇଯାଇଥିଲା ନଥିଲା ଚିକିମିକି ଆଲୁଅ କି ନଥିଲା କୋଳାହଳ। ଦୀର୍ଘ ୫ ମିନିଟ୍ ଧରି ଓମଙ୍କ ଗୀତରେ ଝୁମିଥିଲେ ଦର୍ଶକ।

ଯେପରି ବଡ଼ ବଡ଼ କନସର୍ଟରେ ଦର୍ଶକଙ୍କ ଟର୍ଚ ସୁନ୍ଦର ଦେଖାଯାଏ, ଠିକ୍ ସେଭଳି କୋଣାର୍କ ଗଣନାଟ୍ୟରେ ଦେଖାଦେଇଥିଲା।ଓମ୍ କୁମାରଙ୍କ ଗୀତ ଶେଷ ପରେ ଯାତ୍ରା ଲାଇଟ୍ ଜଳି ଉଠିଥିଲା। ଆପଣ ଏତିକିରେ ଅନୁମାନ କରୁଥିବେ ଓଡ଼ିଶାରେ କେବଳ ଯାତ୍ରା ନୁହେଁ, ବରଂ ମେଲୋଡି ପାଇଁ ରହିଛି କ୍ରେଜ। ଅଶ୍ଳୀଳ ନୃତ୍ୟ ବିନା ଯାତ୍ରା ଭବିଷ୍ୟତ ଥିବା ଏହାବି ପ୍ରମାଣିତ ହୋଇଛି। ଖଣ୍ଡଗିରି ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।