‘ଯାତ୍ରା ଉପରେ ପ୍ରଭାବ ପଡ଼ୁଛି’; ପୀୟୂଷ ତ୍ରିପାଠୀ ପ୍ରସଙ୍ଗରେ ଏଭଳି କହିଲେ ବାପି ପଣ୍ଡା

NEWS7
three-arrested-in-newly-wed-woman-death-case-in-athagarh

ଭୁବନେଶ୍ବର: ନିକଟରେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚକୁ ଫେରିବା ନେଇ କହିଥିଲେ। ଆଉ କଥା ଅନୁଯାୟୀ, ପ୍ରଶଂସକ ଓ ଯାତ୍ରା ପ୍ରେମୀଙ୍କ ଗହଣରେ ପ୍ରାୟ ବର୍ଷେ ପରେ ମଞ୍ଚକୁ ଚଢ଼ିଥିଲେ ମଧ୍ୟ। ନାଟକ ‘ତୁ ମୋ ବଜରଙ୍ଗୀ’ ଜରିଆରେ ଯାତ୍ରା ମଞ୍ଚରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ପୀୟୂଷ। ହେଲେ ମଞ୍ଚକୁ ଚଢିବାର କେଇ ଘଣ୍ଟା ନ ଯାଉଣୁ ପୀୟୂଷଙ୍କୁ ବଡ଼ ଝଟକା ଲାଗିଥିଲା। ପୀୟୂଷ ଏବେ ଯାତ୍ରା ମଞ୍ଚରେ ଅଭିନୟ କରିପାରିବେନି ବୋଲି ନିଷ୍ପତ୍ତି ଶୁଣାଇଥିଲେ ଭୁବନେଶ୍ଵର ସିଭିଲ୍ କୋର୍ଟ। ପୂର୍ବ ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ବୁଧବାର ଶୁଣାଣି କରି ଏହି ରାୟ ଦେଇଥିଲେ କୋର୍ଟ । ଏମିତିକି କୋର୍ଟ ପରବର୍ତ୍ତୀ ଶୁଣାଣି ଯାଏଁ ମଞ୍ଚରେ ଅଭିନୟ ବାରଣ ମଧ୍ୟ କରିଛନ୍ତି। ଏମିତିରେ ପୁଣି ଆରମ୍ଭ ହୋଇଛି କଳାକାର ମାଲିକ ବିବାଦ।

ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଯାତ୍ରା କଳାକାର ବାପି ପଣ୍ଡା। ସେ କହିଛନ୍ତି ‘‘ଏକ ଧାରା ଆରମ୍ଭ ହୋଇଛି ଆଗକୁ କଳାକାର ମାନେ ହୁସିଆର ରୁହନ୍ତୁ। ଯାହା ବି ଏଗ୍ରିମେଣ୍ଟ କରୁଛନ୍ତି ଠିକ୍ ଭାବରେ କରନ୍ତୁ। ନହେଲେ ଏହିଭଳି ସମସ୍ୟା ଆଗକୁ ଦେଖାଯିବ। ମାଲିକମାନେ ନିଜ ନିଜ ଭିତରେ ଅହଂ ଭାବ ଛାଡ଼ନ୍ତୁ । ଯାତ୍ରା ବେଶ୍‌ କ୍ଷତି ସହୁଛି । ଯଦି ପୀୟୂଷଙ୍କ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ଅଛି, ସେ କୋର୍ଟରେ ଦେଖାଇପାରିବେ। କିନ୍ତୁ ଯେଉଁଠି ପ୍ରଥମେ ଏଗ୍ରିମେଣ୍ଟ ହୋଇଥିବ ସେଠି କାମ କରିବାକୁ ପଡ଼ିବ।’’

ସେ ଆହୁରି କହିଛନ୍ତି, ଆମ କଳାକାର ସଂଘକୁ କିଛି ବି ଲିଖିତ ଅଭିଯୋଗ ଆସିନି। ଯଦି ଆସେ ତା ଉପରେ ତଦନ୍ତ କରାଯିବ। ଉଭୟ ଯାତ୍ରା ମାଲିକ ଓ କଳାକାର ଏଭଳି କରିବାରୁ ଦୂରେଇ ରହିବା ଦରକାର। କାରଣ ଯାତ୍ରା ଉପରେ ଏହାର ପ୍ରଭାବ ପଡୁଛି । ଦର୍ଶକମାନଙ୍କର ମଧ୍ୟ ଯାତ୍ରା ପ୍ରତି ମନୋଭାବ ଖରାପ ଆସୁଛି । ଏହା ପ୍ରତି ଉଭୟ କଳାକାର ଓ ଯାତ୍ରା ମାଲିକ ଧ୍ୟାନ ଦେବାକୁ ବାପି ପଣ୍ଡା କହିଛନ୍ତି।

 

ସୂଚନାଯୋଗ୍ୟ, ଚୁକ୍ତି ଓ ଟଙ୍କାକୁ ନେଇ ଯାତ୍ରା ବିବାଦ ପରେ ଦୀର୍ଘ ଦିନ ପରେ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଥିଲା ଯାତ୍ରା ମଞ୍ଚରେ। ଚଣ୍ଡିଖୋଲ ସିଣ୍ଡିକେଟ ଯାତ୍ରା କମିଟି ପକ୍ଷରୁ ଯାତ୍ରା ସିଂହବାହିନୀ ଯାତ୍ରା ଅନୁଷ୍ଠାନରେ ନୂତନ ନାଟକ ତୁ ମୋ ବଜରଙ୍ଗୀ ନାଟକରେ ପୀୟୂଷ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି। ପୀୟୂଷ ତ୍ରିପାଠୀଙ୍କୁ ଚଣ୍ଡିଖୋଲ ଛକରେ କମିଟି ପକ୍ଷରୁ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ରାଳି ଶୋଭାଯାତ୍ରାରେ ଯାତ୍ରା ମଞ୍ଚ ପାଖକୁ ଯାଇ ଥିଲେ ପୀୟୂଷ ତ୍ରିପାଠୀ।

ପୀୟୂଷ ତ୍ରିପାଠୀଙ୍କ ଅଭିନୟ ଦେଖିବା ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଖଚାଖଚ ଦର୍ଶକ ଭିତରେ ଯାତ୍ରା ମଞ୍ଚ ରେ ନିଜ ଅଭିନୟ ଦେଖାଇ ଦର୍ଶକ ଙ୍କ ମନ ଜିଣି ଥିଲେ ପୀୟୂଷ। ପୂର୍ବ ଭଳି ଦର୍ଶକ ମାନେ ଯେଉଁ ଭଳି ଭଲପାଇବା ଦେଇଛନ୍ତି ନୂଆ ନାଟକ ରେ ମଧ୍ୟ ଦର୍ଶକ ଙ୍କ ସେହିଭଳି ଭଲପାଇବା ମିଳିବ ବୋଲି ଆଶାବାଦୀ ଥିଲେ ସିଂହବାହିନୀର ସର୍ବେସର୍ବା। ହେଲେ ଭୁବନେଶ୍ଵର ସିଭିଲ୍ ଜଜ୍‌ଙ୍କ ରାୟ ସବୁ ଓଲଟ ପାଲଟ କରି ଦେଇଛି।