ଉଦଳା ୧୯୧୧: ଚୋରି କରିବାକୁ ଗାଁରେ ପଶିଥିଲେ । ଘରେ ପଶିଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡ଼ି ନିର୍ଧୁମ ଛେଚା ଖାଇଲେ । କିଏ ଜାଣିଥିଲା ଏହାର ପରିଣତି ଏତେ ଭୟାନକ ହେବ । ନିର୍ଘାତ ମାଡ଼ରେ ଚାଲିଗଲା ଚୋରର ଜୀବନ । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଧାନଘେରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

​​​​​​​

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଧାନଘେରା ଗାଁରେ ଦେଉଳା ଗ୍ରାମର ବାପି କୋହ୍ଲାର ଏବଂ କାହ୍ନୁ ମଢ଼େଇ ଚୋରି କରିବା ପାଇଁ ପଶିଥିଲେ । ଗାଁର ଦୁଇଟି ଘରୁ ସିଲିଣ୍ଡର ଚୋରି କରି ଘରୁ ବାହାରିବା ବେଳେ ଦୁହେଁ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ଗ୍ରାମବାସୀ ଦୁଇ ଚୋରଙ୍କୁ ଧରି ନିର୍ଘାତ ମାଡ଼ ମାରି ଗୁରୁତର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଚୋରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଚୋର ବାପି ବିନ୍ଧାଣୀର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ଜଣେ ଗୁରୁତର ମେଡିକାଲରେ ଚିକିତ୍ସିତ ହୋଇଥିଲେ ।

​​​​​​​

ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ଚୋର ଦୁଇ ଜଣଙ୍କୁ ମାଡ଼ ମାରିଥିବା ୧୦ରୁ ଅଧିକ ଗ୍ରାମବାସୀଙ୍କୁ ଉଠାଇ ଆଣିଛି ପୋଲିସ । ଘଟଣା ସମ୍ପର୍କରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚରା କରୁଥିବା ଜଣାପଡିଛି ।