ସରକାରଙ୍କ ନୀରବତା ଯୋଗୁଁ ବିଶ୍ବାସ ହରାଉଛି ଦେଶ...ଖାମେନିଙ୍କ ମାମଲାରେ ମୁହଁ ଖୋଲିଲେ ରାହୁଲ

NEWS7
these-hollywood-acttors-wanted-to-act-with-these-6-bollywood-actor

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନ୍ର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି । ଖାମେନିଙ୍କ ମୃତ୍ୟୁକୁ ନେଇ ବିଶ୍ବର ବଭିନ୍ନ ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ତାଲିକାରେ ଭାରତ ମଧ୍ୟ ସାମିଲ । କିନ୍ତୁ ଏବେ ଖାମେନିଙ୍କ ମୃତ୍ୟୁ ମାମଲାରେ କଂଗ୍ରେସ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ବର୍ଷିଛି । ଇରାନ୍ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେପଟେ ଏହା ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କୌଣସି ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ପିଏମ ମୋଦୀ ସମର୍ଥନ କରନ୍ତି କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନୀରବତା ଯୋଗୁଁ ବିଶ୍ବରେ ଭାରତର ସମ୍ମାନ ହ୍ରାସ ପାଉଛି । ତେଣୁ ସରକାର ଖୋଲାଖୋଲି ନିଜର ଆଭିମୁଖ୍ୟ ପ୍ରକାଶ କରିବା ଦରକାର । ଇରାନ୍ ଉପରେ ଇସ୍ରାଏଲ ଓ ଆମେରିକାର ଆକ୍ରମଣ, ଇରାନ୍ ପକ୍ଷରୁ ଗଲ୍ଫ ଦେଶମାନଙ୍କ ଉପରେ ଆକ୍ରମଣକୁ, ଭାରତ ସରକାର ସ୍ପଷ୍ଟ ଭାବରେ ନିନ୍ଦା କରିବାର ଆବଶ୍ୟକତା ରହିଛି ।

ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ‘ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଶତ୍ରୁତା ଏକ ସମ୍ବେଦନଶୀଳ ଅଞ୍ଚଳକୁ ଏକ ବ୍ୟାପକ ସଂଘର୍ଷ ଆଡ଼କୁ ଠେଲି ଦେଉଛି। ପ୍ରାୟ ୧ କୋଟି ଭାରତୀୟ ନାଗରିକଙ୍କ ସମେତ କୋଟି କୋଟି ଲୋକ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି। ସୁରକ୍ଷା ଚିନ୍ତା ବାସ୍ତବିକ । ସାର୍ବଭୌମତ୍ୱ ଉଲ୍ଲଂଘନ କରୁଥିବା ଆକ୍ରମଣ ସଙ୍କଟକୁ ଆହୁରି ବଢ଼ାଇବ। ଇରାନ ଉପରେ ଆକ୍ରମଣ ଏବଂ ଅନ୍ୟାନ୍ୟ ପଶ୍ଚିମ ଏସୀୟ ଦେଶଗୁଡ଼ିକ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରାଯିବା ଉଚିତ। ହିଂସା ହିଂସାକୁ ଜନ୍ମ ଦିଏ । ଆଲୋଚନା ଏବଂ ସଂଯମତା ହେଉଛି ଶାନ୍ତିର ଏକମାତ୍ର ପଥ।’

ଭାରତ ନୈତିକ ଦୃଷ୍ଟିରୁ ସ୍ପଷ୍ଟ ମନୋଭାବ ରଖିବା ଆବଶ୍ୟକ। ଆମକୁ ଅନ୍ତର୍ଜାତୀୟ ଆଇନ ଏବଂ ମାନବ ଜୀବନର ସୁରକ୍ଷା ପାଇଁ ସ୍ପଷ୍ଟ ଭାବରେ କହିବାର ସାହସ ରହିବା ଆବଶ୍ୟକ। ଆମର ବୈଦେଶିକ ନୀତି ସାର୍ବଭୌମତ୍ୱ ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଧାରିତ ଏବଂ ଏହା ସ୍ଥିର ରହିବା ଆବଶ୍ୟକ ବୋଲି ଲେଖିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ କହିବା ଉଚିତ। ସେ କ'ଣ ଜଣେ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟାକୁ ସମର୍ଥନ କରନ୍ତି କି ?’ସେ ଦାବି କରିଛନ୍ତି ଯେ, ଏହି ନୀରବତା ବିଶ୍ୱବ୍ୟାପୀ ଭାରତର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରୁଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଯେ, ଭାରତକୁ ଏହାର ନୈତିକ ଶକ୍ତିକୁ ଉଜ୍ଜିବୀତ କରିବାକୁ ପଡିବ। ଦେଶକୁ ସର୍ବଦା ଏକ ସନ୍ତୁଳିତ ଏବଂ ନ୍ୟାୟପୂର୍ଣ୍ଣ ଆଭିମୁଖ୍ୟ ପୋଷଣ କରିବାକୁ ହେବ । ଯଦି ଭାରତ ଖୋଲାଖୋଲି ଭାବରେ ଏହାର ମୂଲ୍ୟବୋଧ ବିଷୟରେ କହିବ, ତେବେ ଏହାର ଅନ୍ତର୍ଜାତୀୟ ପ୍ରତିଛବି ଆହୁରି ମଜଭୁତ ହେବ ବୋଲି ସେ କହିଛନ୍ତି।