LIVE TV

ଭୁଲି ଯାଇଛନ୍ତି କି ମନେ ପକାଇ ଦେଉଛୁ, ସେପ୍ଟେମ୍ବ ୨୨ରୁ ଶସ୍ତା ହୋଇଯିବ ଏହି ୫୦ ସାମଗ୍ରୀ

NEWS7
GST

ନୂଆଦିଲ୍ଲୀ ୨୦।୯: କେନ୍ଦ୍ର ସରକାର ସେପ୍ଟେମ୍ବର ୨୨ ତାରିଖରେ ଉପଭୋକ୍ତାଙ୍କୁ ଏପରି ଏକ ଉପହାର ଦେବାକୁ ଯାଉଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଉପହାର ଆଉ କିଛି ନୁହେଁ ବରଂ ସେବା ଓ ସାମଗ୍ରୀ କର (ଜିଏସଟି)। ସେପ୍ଟେମ୍ବର ୨୨ରୁ ନୂଆ ଜିଏସଟି ସୁଧାର ଲାଗୁ ହେଲେ ଖାଦ୍ୟପଦାର୍ଥରୁ ଆରମ୍ଭ କରି ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ପର୍ଯ୍ୟନ୍ତ ସବୁ ଶସ୍ତା ହୋଇଯିବ। କେବଳ ଏତିକି ନୁହେଁ ଏୟାର କଣ୍ଡିସନର, ଟିଭି, କାର ଓ ବାଇକ୍ ମୂଲ୍ୟ ମଧ୍ୟ ହ୍ରାସ ହେବ।

ଜିଏସଟି ହ୍ରାସ ଏଥି ପାଇଁ ହେଉଛି କାରଣ ଜିଏସଟି ପରିଷଦ ୩ ସେପ୍ଟେମ୍ବର ବୈଠକରେ ଜିଏସଟି ହାରରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଏବେ ଦେଶରେ କେବଳ ୨ଟି ଜିଏସଟି ସ୍ଲାବ ରହିବ।୫ ଓ ୧୮% ସ୍ଲାବ ନିର୍ଦ୍ଧାରିତ ହୋଇଥିବା ବେଳେ ପୂର୍ବରୁ ୧୨ ଓ ୨୮%କୁ ହଟାଇ ଦିଆଯାଇଛି। ୧୨% ସ୍ଲାବରେ ଥିବା ଅଧିକାଂଶ ସେବା ଓ ସାମଗ୍ରୀକୁ ୫% ସ୍ଲାବକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏ ପର୍ଯ୍ୟନ୍ତ ୨୮% ସ୍ଲାବରେ ଥିବା ଅଧିକାଂଶ ସାମଗ୍ରୀ ଓ ସେବାକୁ ୧୮%କୁ ସ୍ଥାନାନ୍ତର କରାଯାଇଛି।

ତେବେ ସବୁଠୁ ଖାସ କଥା ଯାହା କିଛି ସାମଗ୍ରୀ ଉପରେ ଜିଏସଟି ହାର ଶୁନ୍ୟ କରିଦିଆଯାଇଛି। ଏହାର ଅର୍ଥ ସେପ୍ଟେମ୍ବର ୨୨ ତାରିଖ ପରେ ଏହି ସବୁ ସାମଗ୍ରୀ ଓ ସେବା ଉପରେ ଆଦୌ ଜିଏସଟି ଶୁଳ୍କ ଲାଗୁ ହେବ ନାହିଁ। ଏଣୁ ଏହି ସବୁ ସେବା ଓ ସାମଗ୍ରୀ ଶସ୍ତା ହୋଇଯିବ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ସାମଗ୍ରୀ ଉପରେ ଜିଏସଟି ଲାଗିବ ନାହିଁ। ଏଥିରେ ପ୍ରିପ୍ୟାକଡ ଓ ଲେବୁଲଡ ଛେନା,ପନିର, ୟୁଏଚଟି ଦୁଗ୍ଧ, ପିଜ୍ଜା ଓ ବ୍ରେଡ, ରୁଟି ଓ ଚପାତି, ପରଟା, କୁଲଚା ଓ ଅନ୍ୟ ପାରମ୍ପରିକ ଖାଦ୍ୟ। ଏହି ସବୁ ସାମଗ୍ରୀ ଉପରେ ପୂର୍ବରୁ ୫% ଜିଏସଟି ଲାଗୁ ହେଉଥିଲା ଏବେ ଏହାକୁ କର ମୁକ୍ତ କରି ଦିଆଯାଇଛି।

ସେହିପରି ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ଜୀବନ ବୀମା, ୩୩ ପ୍ରକାରର ଜୀବନ ରକ୍ଷକ ଔଷଧ, ମେଡିକାଲ ଗ୍ରେଡ ଅକ୍ସିଜେନ, ପେନସିଲ ସାର୍ପନର, କ୍ରେୟନ ଓ ପେଷ୍ଟଲ, କପି, ନୋଟବୁକ୍ ଓ ପେନସିଲ ଇରେଜର ଆଦି ଉପରେ ଯେଉଁ ୫% ଶୁଳ୍କ ଲାଗୁ ହେଉଥିଲା ତାହା ଶୁଳ୍କ ମୁକ୍ତ ହୋଇଛି।ଏଣୁ ଏହି ସବୁ ସାମଗ୍ରୀ ଏବେ ବଜାରରେ ଶସ୍ତା ହୋଇଯିବ। ଯାହା ଉପଭୋକ୍ତାଙ୍କ ପକେଟ ଉପରେ ବୋଝକୁ କମ କରିବ।