February wholesale price index : ଯୁଦ୍ଧ ଯୋଗୁ ସବୁ ମହଙ୍ଗା: ୧୧ ମାସରେ ରେକର୍ଡ ଭାଙ୍ଗିଲା ପାଇକାରୀ ମୁଦ୍ରାସ୍ଫୀତି

NEWS7
there-is-no-problem-with-the-under-construction-grand-awas-project-

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସମସ୍ୟା ଭୋଗୁଛି। ଦେଶରେ ଶକ୍ତି ସଂକଟ ସୃଷ୍ଟି ହୋଇଥିବା ବେଳେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଦରଦାମ ବୃଦ୍ଧି ନେଇ ଖାଉଟି ଏବେ ଚିନ୍ତାରେ। ଯୁଦ୍ଧ ଯୋଗୁ ଦେଶରେ ଉତ୍ପାଦିତ ସାମଗ୍ରୀ ଓ ପ୍ରାଇମେରି କମୋଡିଟି(ପ୍ରାଥମିକ ସାମଗ୍ରୀ) ଉପରେ ମହଙ୍ଗା ଚାପ ବଢ଼ି ଯାଇଛି। ଫଳରେ ଫେବ୍ରୁଆରୀ ମାସରେ ପାଇକାରୀ ମୁଦ୍ରାସ୍ଫୀତି ଗତ ୧୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏନେଇ ସୋମବାର କେନ୍ଦ୍ର ସରକାର ରିପୋର୍ଟ ଜାରି କରି ସୂଚନା ଦେଇଛନ୍ତି।

ହୋଲସେଲ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ଫେବୃଆରୀରେ ୨.୧୩%କୁ ବୃଦ୍ଧି ପାଇଛି। ଯାହା ଜାନୁଆରୀରେ ୧.୮୧% ଏବଂ ଡିସେମ୍ବରରେ ୦.୯୬% ଥିଲା। ତେଣୁ ଦେଶରେ ଅର୍ଥନୀତିରେ ଧୀରେ ଧୀରେ ମୂଲ୍ୟ ବୃଦ୍ଧି ଚାପ ବୃଦ୍ଧି ପାଉଥିବା ସ୍ପଷ୍ଟ ଜଣାପଡ଼ିଛି। ମୁଦ୍ରାସ୍ଫୀତିର ସକାରାତ୍ମକ ହାର ମୁଖ୍ୟତଃ ଅନ୍ୟାନ୍ୟ ଉତ୍ପାଦନ, ମୌଳିକ ଧାତୁର ଉତ୍ପାଦନ, ଅଣ-ଖାଦ୍ୟ ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଏବଂ ବୟନ ଇତ୍ୟାଦିର ମୂଲ୍ୟ ବୃଦ୍ଧି ଯୋଗୁ ହୋଇଥାଏ।

ପଢ଼ନ୍ତୁ- Middle East Tension: ଦୁବାଇ ଓ ଆବୁଧାବିକୁ ଏକାଧିକ ବିମାନ ବାତିଲ କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ, ମହଙ୍ଗା ହେଲା ଟିକେଟ୍

ପାଇକାରୀ ମୁଦ୍ରାସ୍ଫୀତିରେ ଉତ୍ପାଦିତ ସାମଗ୍ରୀର ଅବଦାନ ଅଧିକ

ଫେବୃଆରୀ ମାସରେ ହୋଲସେଲ ମୁଦ୍ରାସ୍ଫୀତି ବୃଦ୍ଧିରେ ସର୍ବାଧିକ ଅବଦାନ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ହୋଇଛି। ଏହି ବର୍ଗରେ ମୁଦ୍ରାସ୍ଫୀତି ୨.୯୨ ପ୍ରତିଶତ ବଢ଼ିଛି। ଏହା ଜାନୁଆରୀର ୨.୮୬ ପ୍ରତିଶତ ଠାରୁ ସାମାନ୍ୟ ଅଧିକା ରହିଛି। ସେହିପରି ଡିସେମ୍ବରରେ ଉତ୍ପାଦିତ ସାମଗ୍ରୀରେ ମୁଦ୍ରାସ୍ଫୀତି ୨.୦୩ ପ୍ରତିଶତ ଥିଲା। ଫେବୃଆରୀରେ ଖାଦ୍ୟ ମୁଦ୍ରାସ୍ଫୀତି ୧.୮୫% ବୃଦ୍ଧି ପାଇଛି ଯାହା ଜାନୁଆରୀରେ ୧.୪୧% ଓ ଡିସେମ୍ବରରେ ୦.୨୧ ପ୍ରତିଶତ ଥିଲା।

କୃଷି ସାମଗ୍ରୀ ଏବଂ ଖଣିଜ ପଦାର୍ଥ ସମେତ ପ୍ରାଥମିକ ସାମଗ୍ରୀର ମୁଦ୍ରାସ୍ଫୀତି ବାର୍ଷିକ ଆଧାରରେ ଦ୍ରୁତ ଗତିରେ ବଢ଼ିଛି। ଫେବୃଆରୀ ମାସରେ ଏହି କ୍ୟାଟେଗୋରୀରେ ପାଇକାରୀ ମୁଦ୍ରାସ୍ଫୀତି ୩.୨୭%ରେ ପହଞ୍ଚିଛି, ଯାହା ଜାନୁଆରୀରେ ୨.୨୧% ଏବଂ ଡିସେମ୍ବରରେ ମାତ୍ର ୦.୨୧% ଥିଲା। ଏହି ବର୍ଗରେ ବାର୍ଷିକ ବୃଦ୍ଧି ହୋଇଥିବା ବେଳେ ମାସିକ ହାରରେ ଏହା ୦.୫୨ % ହ୍ରାସ ପାଇଛି।

ଯୁଦ୍ଧ ଯୋଗୁ ଦେଶରେ ମୁଦ୍ରାସ୍ଫୀତି ବଢ଼ିଥିବା ବେଳେ ବିଶେଷଜ୍ଞଙ୍କ କହିବା ଅନୁସାରେ,ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରହିଲେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୫୦ ଡଲାର ପହଞ୍ଚିପାରେ। ଏହା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିପାରେ। ଯାହା ମାଲ ପରିବହନ ଖର୍ଚ୍ଚ ବୃଦ୍ଧି କରିପାରେ ଏବଂ ଫଳ ଏବଂ ପନିପରିବା ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଆହୁରି ବଢ଼ିପାରେ।

ପଢନ୍ତୁ- West Asia conflict: ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର ! ଗ୍ୟାସ୍ ସଙ୍କଟ ବେଳେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ମହଙ୍ଗା

୧. ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ (ପ୍ରାଇମେରି ଆର୍ଟିକଲ)ର ମୁଦ୍ରାସ୍ଫୀତି ୨.୨୧% ରୁ ୩.୨୭% କୁ ବୃଦ୍ଧି ପାଇଛି।୨. ଖାଦ୍ୟ ସାମଗ୍ରୀରେ ମୁଦ୍ରାସ୍ଫୀତି ମାଇନସ ୧.୪୧% ରୁ ୧.୮୫% କୁ ବୃଦ୍ଧି ପାଇଛି।୩. ଇନ୍ଧନ ଏବଂ ଶକ୍ତି ପାଇଁ ପାଇକାରୀ ମୁଦ୍ରାସ୍ଫୀତି ମାଇନସ ୪.୦୧% ରୁ ମାଇନସ ୩.୭୮% କୁ ବୃଦ୍ଧି ପାଇଛି।୪. ଉତ୍ପାଦିତ ଉତ୍ପାଦ(ମେନୁଫେକ୍ଚରିଂ ପ୍ରଡକ୍ଟ) ପାଇଁ ପାଇକାରୀ ମୁଦ୍ରାସ୍ଫୀତି ୨.୮୬% ରୁ ୨.୯୨% କୁ ବୃଦ୍ଧି ପାଇଛି।