ଲଣ୍ଡନ: ବ୍ରିଟେନ୍ ପାଇଁ ନଭେମ୍ବର ଖୁସି ଖବର ଆଣିଛି । ପ୍ରାୟ ୨୫୦ ବର୍ଷ ପୂର୍ବରୁ ବ୍ରିଟେନ୍ ଆକାଶରୁ ଉଭାନ ହୋଇଯାଇଥିବା ଏକ ବିଶାଳ ଶିକାରୀ ପକ୍ଷୀ ପୁଣି ଥରେ ଫେରିଆସିଛି । ଆଡିଙ୍ଗଲ୍ ଜଳାଶୟ ଉପରେ ଏହି ପକ୍ଷୀଟି ଉଡ଼ୁଥିବାର ଦେଖିବାକୁ ମିଳିଛି । ୮ ଫୁଟିଆ ଡେଣା ଏବଂ ପ୍ରଭାବଶାଳୀ ଉଡ଼ାଣ ଲାଗି ଜଣାଶୁଣା ଧଳା ଲାଞ୍ଜ ବିଶିଷ୍ଟ ଚିଲ (ହ୍ବାଇଟ୍ ଟେଲଡ୍ ଇଗଲ୍ସ) ବା ସମୁଦ୍ର ଚିଲ ଆଜି ପୁଣି ଥରେ ବ୍ରିଟେନ୍ ଆକାଶକୁ ଫେରିଆସିଛି । ଦୀର୍ଘ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଏହି ବିଶାଳ ଚିଲ ଆଉ ଗାଏବ ହେବ ନାହିଁ ବୋଲି ଆଶା କରାଯାଉଛି ।

ସ୍ଥାନୀୟ ପର୍ଯ୍ୟବେକ୍ଷକ ହେନେରି ଶାର୍କିଙ୍କ ଦ୍ବାରା ନଭେମ୍ବର ୧୩ରେ ଚିହ୍ନଟ ହୋଇଛି ଏହି ଚିଲ । କିନ୍ତୁ ଏହା ପୂର୍ବରୁ ୩୦ ମାଇଲ୍ ଦୂରରେ ଆସଡାଉନ୍ ଜଙ୍ଗଲରେ ଅନ୍ୟ ଏକ ସମୁଦ୍ର ଚିଲ ଦେଖିବାକୁ ମିଳିଥିଲା । ଲଗାତାର ଏହି ଚିଲ ଦେଖାଯିବାକୁ ନେଇ ପରିବେଶବିତଙ୍କ ଗହଣରେ ଉତ୍ସାହ ଦେଖାଦେଇଛି । ବ୍ରିଟେନର ସବୁଠାରୁ ପ୍ରତିଷ୍ଠିତ ଶିକାରୀମାନଙ୍କ ମଧ୍ୟରୁ ଗୋଟିଏକୁ ଏହାର ପ୍ରାକୃତିକ ପରିସରରେ ପୁନରୁଦ୍ଧାର କରିବା ପାଇଁ ଦୀର୍ଘ ସମୟ ଧରି ଚାଲିଥିବା ପ୍ରୟାସ ସଫଳ ହୋଇଛି ।

ଧଳା ଲାଞ୍ଜ ବିଶିଷ୍ଟ ଚିଲ ( ହାଲିଆଏଟସ୍ ଆଲବିସିଲା ), ଯାହାକୁ ସମୁଦ୍ର ଚିଲ ମଧ୍ୟ କୁହାଯାଏ । ଗୋଟିଏ ସମୟରେ ଇଂଲଣ୍ଡରେ ଏହି ଚିଲଙ୍କ ସଂଖ୍ୟା ଖୁବ ଅଧିକ ଥିଲା । କିନ୍ତୁ ୧୮ ଶହ ଶତାବ୍ଦୀର ଶେଷ ସୁଦ୍ଧା, ମଣିଷଙ୍କ କାର୍ଯ୍ୟକଳାପ ସେମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଫଳରେ ସି-ଇଗଲ ବା ସମୁଦ୍ର ଚିଲ ଲୋପ ପାଇଯାଇଥିଲା । ଏବେ ସି-ଇଗଲ୍ ପୁଣି ଥରେ ବ୍ରିଟେନ୍ ଆକାଶକୁ ଫେରିଆସିଛି । ଏହା ନ୍ୟାଚୁରାଲ ଇଂଲଣ୍ଡ ସମେତ ଫରେଷ୍ଟ୍ରି ଇଂଲଣ୍ଡ ଏବଂ ରୟ ଡେନିସ୍ ୱାଇଲ୍ଡଲାଇଫ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ମିଳିତ କାର୍ଯ୍ୟକ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ।

ପକ୍ଷୀର ନାମ: ଧଳା ଲାଞ୍ଜ ବିଶିଷ୍ଟ ଇଗଲ୍ (ସମୁଦ୍ର ଇଗଲ୍) ।

ଆକାର: ଏହା ୟୁକେର ସବୁଠାରୁ ବଡ଼ ଶିକାରୀ ପକ୍ଷୀ, ଯାହାର ଡେଣା ୨.୫ ମିଟର (୮ ଫୁଟ) ।

ପ୍ରତ୍ୟାବର୍ତ୍ତନ:  ଶହ ଶତାବ୍ଦୀର ଶେଷ ଭାଗରେ ଇଂଲଣ୍ଡରୁ ଏବଂ ୧୯୧୮ ସୁଦ୍ଧା ୟୁକେର ଅବଶିଷ୍ଟ ଅଞ୍ଚଳରୁ ଶିକାର ଯୋଗୁଁ ବିଲୁପ୍ତ ହୋଇଥିଲା । ପ୍ରାୟ ୨୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହାକୁ ଇଂଲଣ୍ଡ ଆକାଶରେ ଦେଖାଯାଇଛି।

ପ୍ରକଳ୍ପ: ନ୍ୟାଚୁରାଲ ଇଂଲଣ୍ଡ ସମେତ ଫରେଷ୍ଟ୍ରି ଇଂଲଣ୍ଡ ଏବଂ ରୟ ଡେନିସ୍ ୱାଇଲ୍ଡଲାଇଫ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ମିଳିତ କାର୍ଯ୍ୟକ୍ରମ ।

ସଫଳତା: ନିକଟରେ ଦକ୍ଷିଣ ଇଂଲଣ୍ଡରେ ସଫଳତାର ସହିତ ଏହି ଇଗଲର ପ୍ରଜନନ ଏବଂ ଛୁଆ ପାଳନ ନେଇ ଖବର ମିଳିଛି । ଏହା ସୂଚାଉଛି ଯେ, ସି-ଇଗଲ୍ର ଏକ ସ୍ଥାୟୀ ଜନସଂଖ୍ୟା ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଉଛି ।